ନୂଆଦିଲ୍ଲୀ: ନେପାଳ ପ୍ରଧାନ ମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ବିବାଦୀୟ କାର୍ଯ୍ୟଧାରା ଏବଂ ଭାରତ ବିରୋଧୀ ମନ୍ତବ୍ୟ ମଧ୍ୟରେ ତାଙ୍କୁ ବହିଷ୍କାର କରିବା ସକାଶେ କ୍ରମାଗତ ଭାବେ ଦାବି ହୋଇଆସୁଥିବା ସମୟରେ, ଏହି ହିମାଳୟ ପାର୍ବତ୍ୟ ରାଷ୍ଚ୍ରର ରାଜନୈତିକ ଘଟଣାକ୍ରମ ଉପରେ ନଜର ରଖିଥିବା ପର୍ଯ୍ୟବେକ୍ଷକମାନଙ୍କ ମତରେ, ଓଲି ତରବରିଆ ଭାବେ ପଦତ୍ୟାଗ କରିବେ ନାହିଁ ଏବଂ ନିଜ ପଦବୀରେ ଅତି କମ୍ରେ ଆଉ ମାସେ ଯାଏଁ ତିଷ୍ଠି ରହିପାରିବେ ।
ଗୁରୁବାର ଦିନ କାଠମାଣ୍ଡୁରେ ଅନୁଷ୍ଠିତ ଏକ ବୈଠକ ଅବସରରେ ଦୁଇ ଜଣ ପୂର୍ବତନ ପ୍ରଧାନ ମନ୍ତ୍ରୀ- ପୁଷ୍ପ କୁମାର ଦହଲ, ଯିଏ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟିର ସହ-ଅଧ୍ୟକ୍ଷ ମଧ୍ୟ, ଏବଂ ଦଳର ବରିଷ୍ଠ ନେତା ମାଧବ ନେପାଳ- ପୁନର୍ବାର ଓଲିଙ୍କୁ ପଦରୁ ଓହରି ଯିବାକୁ କହିଥିଲେ ।
ବିଭିନ୍ନ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ରାଜନୈତିକ ଏବଂ କୂଟନୈତିକ ବିବାଦକୁ ଆମନ୍ତ୍ରଣ କରିଥିବା କାରଣରୁ ସେ ଇସ୍ତଫା ଦିଅନ୍ତୁ ବୋଲି ଦହଲ ଓ ନେପାଲ ଓଲିଙ୍କୁ କହିଥିଲେ । ତାଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିବା ନେପାଳ କମ୍ୟୁନିଷ୍ଟ ପାର୍ଟି ସ୍ଥାୟୀ କମିଟିର ସଂଖ୍ୟାଧିକ ସଦସ୍ୟଙ୍କ ଦାବି ଯୋଗୁଁ ଓଲିଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଛି ।
ଇତି ଅବସରରେ, ନେପାଳର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମରେ ପ୍ରମୁଖ ଅଂଶୀଦାର ରହିଥିବା ଭାରତ ସହ କୂଟନୈତିକ ସଂପର୍କ ଦୁର୍ବଳ ହେବାରେ ଲାଗିଛି । ଭାରତୀୟ ସୀମା ପରିସରରେ ରହିଥିବା କାଲାପାନି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନେପାଳରେ ସାମିଲ କରାଇ ପ୍ରସ୍ତୁତ ଏକ ନୂତନ ମାନଚିତ୍ରକୁ ଗତ ମାସରେ ଓଲି ସଂସଦରେ ଗୃହୀତ କରାଇ ନେବା ପରେ ଏହି ସ୍ଥିତି ଦେଖାଦେଇଛି । କୈଳାସ ମାନସରୋବର ଯାତ୍ରୀଙ୍କ ପାଇଁ ଲିପୁଲେଖ ପର୍ଯ୍ୟନ୍ତ ନିର୍ମିତ ଏକ ରାସ୍ତାକୁ ଗତ ମେ ମାସରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍ଘାଟନ କରିବା ପରେ ଓଲି ଏହା କରିଥିଲେ ।
ନେପାଳର ପ୍ରତିନିଧି ସଭା ପରେ ଜୁନ୍ 13 ତାରିଖ ଦିନ ସଂସଦର ନିମ୍ନ ସଦନରେ ଏହା ଗୃହୀତ ହୋଇଥିଲା । ଭାରତ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଥିଲେ, “ଅଞ୍ଚଳ ଉପରେ ଅଧିକାର ଦାବିର ଏହି ଅପ୍ରାକୃତିକ ବିସ୍ତୃତି ଐତିହାସିକ ତଥ୍ୟ କିମ୍ବା ପ୍ରମାଣ ଆଧାରିତ ନୁହେଁ ଏବଂ ଗ୍ରହଣୀୟ ନୁହେଁ । ସଂପ୍ରତି ସୀମା ପ୍ରସଙ୍ଗରେ ବିଦ୍ୟମାନ ସମସ୍ତ ସମସ୍ୟା ସଂପର୍କରେ ଆଲୋଚନା କରିବାକୁ ଉଭୟଙ୍କ ମଧ୍ୟରେ ରହିଥିବା ବୁଝାମଣା ନିଷ୍ପତ୍ତିକୁ ମଧ୍ୟ ଏହା ଉଲ୍ଲଂଘନ କରେ ।”
ତେବେ, ଓଲିଙ୍କ ଦୃଷ୍ଟିଭଙ୍ଗୀ ପ୍ରତି ଆପାତତଃ ସମର୍ଥନ ଜଣାଇବାକୁ ଉଦ୍ୟମ କରି ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି କହିଥିଲେ ଯେ କୂଟନୈତିକ ପ୍ରୟାସ ବଳରେ ବିବାଦର ସମାଧାନ ହେବା ଉଚିତ । ଜୁନ 29ରେ ସଂସଦରେ ଅନୁଷ୍ଠିତ ଏକ ବୈଠକରେ ଗ୍ୟାୱାଲି କହିଲେ, “କୂଟନୈତିକ ପ୍ରୟାସ ଜରିଆରେ ଏହି ବିବାଦର ସମାଧାନ ହେବ ବୋଲି ଆମର ଦୃଢ଼ ବିଶ୍ବାସ ରହିଛି । ନେପାଳ ଓ ଭାରତ ମଧ୍ୟରେ ରହିଥିବା ବହୁମୁଖୀ ସଂପର୍କକୁ ପ୍ରଭାବିତ କରିବା ଭଳି କୌଣସି ପଦକ୍ଷେପ ନିଆଯିବ ନାହିଁ । ଭାରତ ସହ ନେପାଳର ସାମଗ୍ରିକ ସଂପର୍କର ସ୍ଥିତିକୁ ଏହି ସୀମା ବିବାଦ ଦୁର୍ବଳ କରିବା ଉଚିତ ନୁହେଁ ।”
ତାଙ୍କର ଭାରତ ବିରୋଧୀ ମନ୍ତବ୍ୟ ଅଭିଯାନକୁ ଅବ୍ୟାହତ ରଖି, ନୂଆଦିଲ୍ଲୀ ତାଙ୍କୁ ପଦଚ୍ୟୁତ କରିବାକୁ ଉଦ୍ୟମ କରୁଛି ବୋଲି ପୂର୍ବଦିନ କାଠମାଣ୍ଡୁରେ ଆୟୋଜିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଓଲି କହିଥିଲେ ।
ସାଂପ୍ରତିକ କୋଭିଡ୍-19 ବିଶ୍ବ ମହାମାରୀ ସ୍ଥିତିରେ ଥିବା ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇ, ଜୁନ 21ରେ ଓଲିଙ୍କ ଦଳ ଏକ ନାଗରିକତା ସଂଶୋଧନ ବିଲ୍ ଆଗତ କରିଥିଲା ଏବଂ ଏହା ସଂସଦୀୟ ବ୍ୟାପାର ଏବଂ ସୁଶାସନ କମିଟିର ଅନୁମୋଦନ ଲାଭ କରିଥିଲା ।
ସଂଶୋଧିତ ନୂତନ ବିଲ୍ ଅନୁସାରେ, ନେପାଳୀ ପୁରୁଷଙ୍କୁ ବିବାହ କରୁଥିବା ବିଦେଶୀ ମହିଳାଙ୍କୁ ନେପାଳର ନାଗରିକତା ହାସଲ କରିବା ସକାଶେ ସାତ ବର୍ଷ ଅପେକ୍ଷା କରିବାକୁ ପଡ଼ିବ । ପୂର୍ବରୁ ପ୍ରଚଳିତ ଆଇନ ଅନୁସାରେ ବିବାହ କରିବାର ଅବ୍ୟବହିତ ପରବର୍ତ୍ତୀ ସମୟରେ ଏଭଳି ମହିଳାମାନଙ୍କୁ ନାଗରିକ ମାନ୍ୟତା ମିଳିଯାଉଥିଲା । ଏହି ସଂଶୋଧନ ଯୋଗୁଁ ଉଭୟ ଦେଶର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଶେଷତଃ ନେପାଳୀ ପୁରୁଷଙ୍କ ସହ ଝିଅ ବିବାହ କରିଥିବା ଭାରତର ଅନେକ ପରିବାର ଏଥିରେ କ୍ଷୁବ୍ଧ ହୋଇଥିଲେ ।
ଏହା ପରେ ପୁଣି, ଏ ସପ୍ତାହ ପ୍ରାରମ୍ଭରୁ ଓଲି କହିଥିଲେ ଯେ, ପ୍ରକୃତରେ ନେପାଳର ପାର୍ସା ଜିଲ୍ଲା ଅନ୍ତର୍ଗତ ଥୋରିରେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଅବସ୍ଥିତ । ଏହାକୁ କେନ୍ଦ୍ର କରି ନାଗରିକ ସମାଜର ସଦସ୍ୟ ଏବଂ ଦଳୀୟ ନେତାମାନେ କ୍ଷୁବ୍ଧ ହୋଇଥିଲେ ଏବଂ ଓଲି ସାଧାରଣରେ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ତାଙ୍କ ନିଜ ଦଳର ନେତା ବାମଦେବ ଗୌତମ କହିଥିଲେ ।
ପର୍ଯ୍ୟବେକ୍ଷକମାନଙ୍କ ମତରେ, ନେପାଳରେ କୋଭିଡ୍-19 ବିଶ୍ବ ମହାମାରୀ ମୁକାବିଲା ନୀତିକୁ କେନ୍ଦ୍ର କରି ନିଜ ଦଳର ନେତାଙ୍କ ଦ୍ବାରା ଅତ୍ୟଧିକ ଚାପର ସମ୍ମୁଖୀନ ହୋଇଥିବା ପ୍ରଧାନ ମନ୍ତ୍ରୀ ଓଲି ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଉଦ୍ଦେଶ୍ୟରେ ଏଭଳି ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି ।
ଓଲି ଉଭୟ ପ୍ରଧାନ ମନ୍ତ୍ରୀ ଏବଂ ଏନ୍ସିପିର ସହ-ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦହଲ ଦାବି କରୁଥିବା ବେଳେ ଓଲିଙ୍କ ଭବିଷ୍ୟତ ସଂପର୍କରେ ନିଷ୍ପତ୍ତି ନେବା ଲାଗି ଏନ୍ସିପି ସ୍ଥାୟୀ କମିଟିର ଅନେକ ବୈଠକ ବସିସାରିଛି । ଆସନ୍ତା ଶୁକ୍ରବାର ଦିନ ହେବାକୁ ଥିବା ଅନ୍ୟ ଏକ ସ୍ଥାୟୀ କମିଟି ବୈଠକକୁ ରବିବାର ଯାଏଁ ସ୍ଥଗିତ ରଖାଯାଇଛି ।
ଏନ୍ସିପି ସ୍ଥାୟୀ କମିଟିର 44 ଜଣ ସଦସ୍ୟଙ୍କ ମଧ୍ୟରୁ ଓଲିଙ୍କ ପାଇଁ କେବଳ 13 ଜଣଙ୍କର ସମର୍ଥନ ରହିଛି ।
ଇତିମଧ୍ୟରେ, ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଏଡ଼ାଇ ଯିବା ପାଇଁ ଓଲି ରାଷ୍ଟ୍ରପତିଙ୍କର ଏକ ଘୋଷଣାନାମା ବଳରେ ସଂସଦକୁ ମୁଲତବୀ ରଖିଛନ୍ତି ।