ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଆସନ ପୂନର୍ବାର ବିପଦରେ ଥିବା ନଜର ଆସୁଛି । ବୁଧବାର ହୋଇଥିବା ନିର୍ବାଚନରେ ପିଟିଆଇ ସରକାରରେ ଅର୍ଥମନ୍ତ୍ରୀ ଥିବା ହଫିଜ ଶେଖଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀଙ୍କ ପାଖରୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହାପରେ ଏବେ ଇମ୍ରାନ ଖାନ ସରକାରଙ୍କୁ ପାକିସ୍ତାନ ସଂସଦରେ ବିଶ୍ବାସ ମତ ହାସଲ କରିବା ନେଇ ମିଳିଛି ଚ୍ୟାଲେଞ୍ଜ । ଏନେଇ ସରକାରଙ୍କୁ ସମନ ଜାରି କରିଛି ପାକିସ୍ତାନ ସଂସଦ ।
ପାକିସ୍ତାନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ ଟ୍ବିଟ କରି କହିଛନ୍ତି, ଶନିବାର ଠାରୁ ପାକିସ୍ତାନ ସଂସଦର ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନରେ ଗୃହର ଅଧ୍ୟକ୍ଷ ରହିବେ ପିଟିଆଇ ସମର୍ଥିତ ପ୍ରାର୍ଥୀ ସାଦିକ ସଞ୍ଜରାନୀ । ସେପଟେ ସଂସଦୀୟ ବ୍ୟାପାରରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ବାବର ଅୱନ କହିଛନ୍ତି ଗୁରୁବାର ସଂଧ୍ୟା 7ଟା 30ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶକୁ ସମ୍ବୋଧିତ କରିପାରନ୍ତି । ତେବେ ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ ଦେଶର ରାଜନୈତିକ ସ୍ଥିତି ସମ୍ପର୍କରେ ସୂଚନା ଦେବେ ବୋଲି କୁହାଯାଇଛି ।