ଗିଲଗିଟ-ବାଲ୍ଟିସ୍ତାନକୁ ପାକିସ୍ତାନର ଏକ ପୂର୍ଣ୍ଣାଙ୍ଗ ପ୍ରଦେଶରେ ପରିଣତ କରିବା ଚିନ୍ତାଧାରା ଏହି ଅଞ୍ଚଳ ବାହାରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି । ଗିଲଗିଟ-ବାଲଟିସ୍ତାନର ପ୍ରବାସୀମାନଙ୍କ ଦୃଷ୍ଟିରେ, ଜାମ୍ମୁ ଓ କାଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଭାରତୀୟ ସମ୍ବିଧାନର 370 ଓ 35ଏ ଧାରା ଉଚ୍ଛେଦ ନିମନ୍ତେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଭାରତ ଦ୍ବାରା ଗୃହୀତ ପଦକ୍ଷେପର ପ୍ରତ୍ୟୁତ୍ତରରେ ଏହା କରାଯାଇଛି ।
କାଶ୍ମୀର ସଂପର୍କରେ ପାକିସ୍ତାନର ରାଜନୈତିକ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବା ଲାଗି ଗିଲଗିଟ-ବାଲଟିସ୍ତାନକୁ ଏହାର ପଞ୍ଚମ ପ୍ରଦେଶରେ ପରିଣତ କରିବାକୁ ପାକିସ୍ତାନ ଲକ୍ଷ୍ୟ ରଖିଛି ବୋଲି ପାକିସ୍ତାନର କାଶ୍ମୀର ଓ ଗିଲଗିଟ-ବାଲ୍ଟିସ୍ତାନ ବ୍ୟାପାର ମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିବା ପରେ ଏହି ପ୍ରସଙ୍ଗ ଚର୍ଚ୍ଚା ପରିସରକୁ ଆସିଥିଲା । ପାକିସ୍ତାନର ଏକ ପ୍ରଦେଶରେ ପରିଣତ ହେବା ପରେ ଗିଲଗିଟ୍- ବାଲ୍ଟିସ୍ତାନକୁ ପାକିସ୍ତାନର ଜାତୀୟ ଆସେମ୍ବ୍ଲିରେ ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିବ, ଯାହାକି ପାକିସ୍ତାନ ଅଧିକୃତ କାଶ୍ମୀରର ଅନ୍ୟ ଅଞ୍ଚଳକୁ ମିଳିନାହିଁ । ଜାମ୍ମୁ ଓ କାଶ୍ମୀରକୁ ବାଦ ଦେଇ ମଧ୍ୟ ଗିଲଗିଟ୍-ବାଲ୍ଟିସ୍ତାନର ନିଜସ୍ବ ସ୍ବତନ୍ତ୍ର ରାଜନୈତିକ ଇତିହାସ ରହିଛି ଏବଂ ଏହାକୁ ଜାମ୍ମୁ ଓ କାଶ୍ମୀରର ଅଂଶ ରୂପେ ବିଚାର କରିବା ଉଚିତ ନୁହେଁ ବୋଲି ମତପୋଷଣ କରିଆସୁଥିବା ଏହି ଅଞ୍ଚଳର ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ସ୍ବର ଚପାଇ ଦେବା ହିଁ ଗିଲଗିଟ୍-ବାଲଟିସ୍ତାନକୁ ପ୍ରଦେଶର ମାନ୍ୟତା ଦେବାର ଅସଲ ଉଦ୍ଦେଶ୍ୟ ବୋଲି ମତପ୍ରକାଶ ପାଇଛି । ପ୍ରକୃତରେ, ବ୍ରିଟିଶ ସରକାର ଓ ଗୁଲାମ ସିଂହଙ୍କ ମଧ୍ୟରେ ସଂପାଦିତ ଅମୃତସର ଚୁକ୍ତିନାମାରେ ଗିଲଗିଟ୍-ବାଲଟିସ୍ତାନ ସ୍ଥାନ ପାଇ ନଥିଲା ଏବଂ ପରେ ଏହା ଜାମ୍ମୁ ଓ କାଶ୍ମୀରର ଅଂଶ ରୂପେ ପରିଗଣିତ ହୋଇଥିଲା ।
ସେତେବେଳେ ଉତ୍ତରରେ ଅବସ୍ଥିତ ଏହି ଅଞ୍ଚଳକୁ ଗିଲଗିଟ୍ ଏଜେନ୍ସି କୁହାଯାଉଥିଲା ଏବଂ ସୀମାପାର ସାମ୍ୟବାଦ ପ୍ରଭାବରୁ ଏହାକୁ ମୁକ୍ତ ରଖିବା ଲାଗି ଜଣେ ରାଜନୈତିକ ଏଜେଣ୍ଟଙ୍କ ଜରିଆରେ ବ୍ରିଟିଶ ସରକାର ଏହାକୁ ପ୍ରତ୍ୟକ୍ଷ ଭାବେ ଶାସନ କରୁଥିଲେ । ଗିଲଗିଟ-ବାଲ୍ଟିସ୍ତାନର ନେତାମାନଙ୍କ ମତରେ କାଶ୍ମୀର ସହିତ ସଂଯୋଗ କରାଯିବା ଫଳରେ ଏ ଅଞ୍ଚଳର ଅବମୂଲ୍ୟାୟନ କରାଯାଇଥିଲା । ଏହି ଅଞ୍ଚଳକୁ ଜାମ୍ମୁ ଓ କାଶ୍ମୀରର ଅଂଶ ରୂପେ କାଗଜପତ୍ରରେ ଉଲ୍ଲେଖ କରାଯାଉଥିଲେ ହେଁ ପାକିସ୍ତାନ ଅଧିକୃତ କାଶ୍ମୀର ଅନ୍ତର୍ଗତ ଅବଶିଷ୍ଟ ଅଞ୍ଚଳ ଭଳି ଏହାକୁ ସେତେ ବେଶୀ ସ୍ବୟଂଶାସନ କ୍ଷମତା ପ୍ରଦାନ କରାଯାଇନାହିଁ ।
ପୃଥକ୍ ଭାବରେ ପାକିସ୍ତାନ ଅଧିକୃତ କାଶ୍ମୀରର ଜଣେ ରାଷ୍ଟ୍ରପତି ଓ ଜଣେ ପ୍ରଧାନ ମନ୍ତ୍ରୀ ଅଛନ୍ତି ଏବଂ ଏକ ବିଧାନସଭା ରହିଛି । କିନ୍ତୁ ଗିଲଟିଟ ବାଲଟିସ୍ତାନରେ ଏଭଳି ବ୍ୟବସ୍ଥା ନାହିଁ । 2018ରେପାକିସ୍ତାନ ଜାରି କରିଥିବା ଏକ ନିର୍ଦ୍ଦେଶନାମା ବଳରେ ଏଠାରେ ସ୍ଥାପିତ ବିଧାନସଭା ମାଧ୍ୟମରେ ପାକିସ୍ତାନ ଏ ଅଞ୍ଚଳରେ ପ୍ରତ୍ୟକ୍ଷ ଶାସନ କରିଆସୁଛି ।
ପାକିସ୍ତାନ ଅଧିକୃତ କାଶ୍ମୀରର ନିଜସ୍ବ ସୁପ୍ରିମ କୋର୍ଟ ରହିଛି, କିନ୍ତୁ ଗିଲଗିଟ୍-ବାଲଟିସ୍ତାନ ଏହାର ପରିସରଭୁକ୍ତ ନୁହେଁ । ହେଲେ, ପାକିସ୍ତାନ ସୁପ୍ରିମ କୋର୍ଟ ଦେଇଥିବା ଏକ ରାୟ ଏବଂ ପାକିସ୍ତାନ-ଚୀନ ରାଜିନାମା ଅନୁସାରେ ଜାମ୍ମୁ ଓ କାଶ୍ମୀର ସଂପର୍କିତ ଚୂଡ଼ାନ୍ତ ବନ୍ଦୋବସ୍ତର ଧାରା, ଗିଲ୍ଗିଟ-ବାଲଟିସ୍ତାନ କ୍ଷେତ୍ରରେ ମଧ୍ୟ ସ୍ବତଃ ପ୍ରଯୁଜ୍ୟ ହେବ । କିନ୍ତୁ ଏହି ଅଞ୍ଚଳକୁ ପାକିସ୍ତାନର ଅନ୍ୟ ଏକ ପ୍ରଦେଶରେ ପରିଣତ କରାଗଲେ ସାମଗ୍ରିକ ଭାବେ ଏଠାକାର ରାଜନୈତିକ ଚରିତ୍ର ବଦଳିଯିବ ।
ୟୁରୋପିଆନ୍ ଫାଉଣ୍ଡେସନ ଫର୍ ସାଉଥ୍ ଏସିଆନ ଷ୍ଟଡିଜ୍ (EFAS) ନାମକ ୟୁରୋପର ଏକ ବୁଦ୍ଧିଜୀବୀ ଗୋଷ୍ଠୀର କହିବା ଅନୁସାରେ, ‘ଇସ୍ଲାମାବାଦ ନୁହେଁ, ରାୱଲପିଣ୍ଡି’ ଏହି ନିଷ୍ପତ୍ତି ନେଇଛି । ଏଠାରେ ଆଳଙ୍କରିକ ଅର୍ଥରେ ରାୱଲପିଣ୍ଡିକୁ ପାକିସ୍ତାନର ସାମରିକ ରାଜଧାନୀ ରୂପେ ବର୍ଣ୍ଣନା କରାଯାଇଛି ।
ଅନେକ ଯୁକ୍ତି କରନ୍ତି ଯେ ଏହି ବିବାଦୀୟ ଅଞ୍ଚଳରେ ଚୀନ ପୁଞ୍ଜିନିବେଶ କରିଥିବାରୁ ଗିଲଗିଟ୍-ବାଲ୍ଟିସ୍ତାନ ଅଞ୍ଚଳର ମାନ୍ୟତା ପରିବର୍ତ୍ତନ ଲାଗି ଏହା ଚାପ ପ୍ରୟୋଗ କରୁଛି । ‘ଚାଇନା ପାକିସ୍ତାନ ଇକୋନୋମିକ୍ କରିଡର’ (CPEC) ଶୀର୍ଷକ ଚୀନ୍ର ପ୍ରମୁଖ ବାଣିଜ୍ୟିକ ପଥ ଗିଲଗିଟ-ବାଲଟିସ୍ତାନ ଅଞ୍ଚଳ ମଧ୍ୟ ଦେଇ ଯାଇଛି ଏବଂ ଏହି ଅଞ୍ଚଳ ଅବିଭକ୍ତ ଜାମ୍ମୁ ଓ କାଶ୍ମୀରର ଅଂଶ ରୂପେ ସ୍ବୀକୃତ । ମିଳିତ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ସମୟରେ ପଣ୍ଡିତ ଜବାହରଲାଲ ନେହରୁ, ଗିଲଗିଟ୍ ଏଜେନ୍ସୀ ବା ବର୍ତ୍ତମାନର ଗିଲଗିଟ-ବାଲଟିସ୍ତାନକୁ ବିବାଦୀୟ ରାଜ୍ୟର ଏକ ଅଂଶ ରୂପେ ଅଭିହିତ କରିଥିଲେ ।