କାବୁଲ: ନିଜ ପ୍ରତିଶ୍ରୁତିକୁ ପୂରଣ କରିବାରେ ବିଫଳ ହୋଇଛି ତାଲିବାନ । ଆଫଗାନିସ୍ତାନକୁ କବଜା କରିବା ପରେ ଗୋଟିଏ ପରେ ଗୋଟିଏ କଠୋର ଆଇନ ପ୍ରଣୟନ କରୁଛନ୍ତି ତାଲିବାନ । ଆଫଗାନିସ୍ଥାନରେ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ତାଲିବାନମାନେ ଘରେ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ । କିନ୍ତୁ ଏହାକୁ ବିରୋଧ କରିଛନ୍ତି ଆଫଗାନି ମହିଳା । ଏହା ବିରୋଧରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି ।
କାବୁଲ ସିଟିରେ ମହିଳା କର୍ମଚାରୀମାନଙ୍କୁ ଘରେ ରହିବାକୁ ତାଲିବାନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯେଉଁ ମହିଳା କର୍ମଚାରୀଙ୍କ ସ୍ଥାନରେ ପୁରୁଷ କର୍ମଚାରୀ ରହିବା ଅସମ୍ଭବ, ସେଠାରେ କେବଳ ମହିଳା କର୍ମଚାରୀ କାମ କରିବେ ବୋଲି କୁହାଯାଇଛି । ଏ ସମ୍ପର୍କରେ ରବିବାର ଆଫଗାନିସ୍ତାନ ରାଜଧାନୀର ଅନ୍ତରୀଣ ମେୟର ସୂଚନା ଦେଇଛନ୍ତି । ତେବେ ଏହାଦ୍ବାରା ସହରର ଅନେକ ମହିଳା କର୍ମଚାରୀ ନିଜ କର୍ମକ୍ଷେତ୍ରକୁ ଯାଇପାରୁନଥିବା ଦେଖିବାକୁ ମିଳିଛି । ପୂର୍ବରୁ ୧୯୯୦ ମସିହାରେ ତାଲିବାନମାନେ ଆହୁରି କଠୋର ଆଇନ ମହିଳାଙ୍କ ବିରୋଧରେ ପ୍ରଣୟନ କରିଥିଲେ । ଯେଉଁଥିରେ ମହିଳା ଓ ଛୋଟ ଝିଅମାନଙ୍କୁ ବିଦ୍ୟାଳୟ, ଚାକିରି ଓ ଜନଗହଳିପୂର୍ଣ୍ଣ ସ୍ଥାନ କିମ୍ବା ବାହାରକୁ ଯିବାକୁ ଅନୁମତି ନଥିଲା ।
ଏହା ବି ପଢନ୍ତୁ: ଛାତ୍ରୀଙ୍କୁ ସ୍କୁଲଠୁ ଦୂରରେ ରଖୁଛି ତାଲିବାନ, ଚିନ୍ତା ପ୍ରକଟ କଲା UNICEF