କାବୁଲ:ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ସିରିଜ୍ ବିସ୍ଫୋରଣ ଘଟଣାରେ 100 ଟପିଛି ମୃତ୍ୟୁ ସଂଖ୍ୟା । ଆତଙ୍କୀ ସଂଗଠନ ISIS-K ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ 13 ଆମେରିକା ସୈନ୍ୟ ପ୍ରାଣ ହରାଇଛନ୍ତି । ଆକ୍ରମଣ ପରେ ଶୁକ୍ରବାର ପୁନର୍ବାର କାବୁଲ ବିମାନବନ୍ଦରରୁ ନାଗରିକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ବିସ୍ଫୋରଣ ପରେ ସମ୍ପୂର୍ଣ୍ଣ ଦୋହଲିଯାଇଛି ଆଫଗାନିସ୍ତାନ । କାବୁଲରୁ ସାମ୍ନାକୁ ଆସୁଥିବା ଦୃଶ୍ୟ ସମଗ୍ର ବିଶ୍ବକୁ ସ୍ତବ୍ଧ କରିଦେଇଛି । ରକ୍ତାକ୍ତ ହୋଇଯାଇଛି କାବୁଲ ମାଟି । ଅନ୍ୟପକ୍ଷେ ଏହି ବିସ୍ଫୋରଣରେ ଅନେକ ତାଲିବାନୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ମିଳିଛି । କାବୁଲ ବିମାନବନ୍ଦର ନିକଟରେ ବୋମା ବିସ୍ଫୋରଣରେ ଏପର୍ଯ୍ୟନ୍ତ 110 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1138 ଜଣ ଆହତ ହୋଇଛନ୍ତି।
ସେପଟେ 31 ଅଗଷ୍ଟସୁଦ୍ଧା ଆମେରିକାକୁ ସୈନ୍ୟ ପ୍ରତ୍ୟାହାର କରିନେବାକୁ ତାଲିବାନର ଚେତାବନୀ ପରେ ସମସ୍ତ ଦେଶ ଉଦ୍ଧାର କାର୍ଯ୍ୟକୁ ଦ୍ରୁତ ଗତିରେ ତ୍ବରାନ୍ବିତ କରିବାକୁ ପ୍ରୟାସ କରୁଛନ୍ତି । ଶୁକ୍ରବାର ରାତିସୁଦ୍ଧା ଆଫଗାନିସ୍ତାନରୁ ଉଦ୍ଧାର କାର୍ଯ୍ୟ ମିଶନ ଶେଷ କରିଦିଆଯିବ ବୋଲି ବ୍ରିଟେନ ଓ ସ୍ପେନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । କିଛି ଘଣ୍ଟା ମଧ୍ୟରେ ଅପରେସନ ଶେଷ କରିବା ନେଇ ବ୍ରିଟେନ କହିଥିବାବେଳେ ଏବେ ବି 1000 ନାଗରିକଙ୍କ ଉଦ୍ଧାର ବାକି ରହିଥିବା କହିଛି ସ୍ପେନ ।
ଏପଟେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି। ଗୁରୁବାର ବୈଦେଶିକ ମନ୍ତ୍ରୀ ସର୍ବଦଳୀୟ ବୈଠକରେ ପରିସ୍ଥିତି ସମ୍ପର୍କରେ ସମସ୍ତ ଦଳର ନେତାଙ୍କୁ ଅବଗତ କରାଇଥିଲେ ।
କାବୁଲ ବିମାନବନ୍ଦର ବାହାରେ ଗୁରୁବାର ସିରିଜ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ନିଜକୁ ଦାୟୀ କରିଛି ISIS-k ଆତଙ୍କବାଦୀ ସଙ୍ଗଠନ । ମତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ବିସ୍ଫୋରଣ ସମୟରେ ବିମାନବନ୍ଦରରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ପୂର୍ବରୁ ଆଇଏସଆଇଏସ ପକ୍ଷରୁ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଇନପୁଟ ଜରିଆରେ ଆଲର୍ଟ କରାଯାଇଥିଲା ।