ଟୋକିଓ:ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଗୋଟିଏ ସପ୍ତାହରେ ସେ ଦୁଇ ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ସେ କ୍ଷମତାରେ ରହିବା ନେଇ ଶାସକ ଦଳ ଚିନ୍ତା ପ୍ରକଟ କରିବା ସହ ସାଧାରଣରେ ମଧ୍ୟ ଆଲୋଚନା ହେଉଥିଲା । ତେବେ ଶୁକ୍ରବାର ପ୍ରେସମିଟ ଜରିଆରେ ସେ ନିଜ ଇସ୍ତଫା ନେଇ ଘୋଷଣା କରିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସିଞ୍ଜୋ ଆବେ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି। ମୁଁ କ୍ରନିକ୍ ରୋଗ ଅଲସରାଟିଭ କୋଲାଇଟିସରେ ପୀଡିତ। ଏହି ରୋଗ ପାଇଁ ମୁଁ ଏକ ନୂତନ ଚିକିତ୍ସା କରୁଛି । ଯେଉଁଥିପାଇଁ ନିୟମିତ ପରୀକ୍ଷା ଏବଂ ଯତ୍ନ ଆବଶ୍ୟକ । ତେଣୁ ଚିକିତ୍ସା ସମୟରେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ମୁଁ ପର୍ଯ୍ୟାପ୍ତ ସମୟ ଦେଇ ପାରିବି ନାହିଁ । ତେଣୁ ମୁଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି ସିଞ୍ଜୋ କହିଛନ୍ତି ।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ମୁଁ ଆତ୍ମବିଶ୍ବାସର ସହିତ ଲୋକଙ୍କଠାରୁ ମିଳିଥିବା ଜନାଦେଶକୁ ପୂରଣ କରିବାକୁ ସକ୍ଷମ ନୁହେଁ । ତେଣୁ ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ ଆଉ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ତେବେ ତାଙ୍କ ଶାସକ ଲିବରାଲ୍ ଡେମୋକ୍ରାଟିକ୍ ପାର୍ଟି ଜଣେ ଉତ୍ତରାଧିକାରୀ ବାଛିବା ପର୍ଯ୍ୟନ୍ତ ଆବେ ଏହି ପଦବୀରେ ରହିବେ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ନିର୍ବାଚନ କେବଳ ସାଂସଦ ଏବଂ ଦଳର ସଦସ୍ୟଙ୍କ ମଧ୍ୟରେ ହେବାର ସମ୍ଭାବନା ରହିଛି।