ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ରହିଛି । ରେହମ ଖାନ ଅଭିଯୋଗ କରିଛନ୍ତି ଯେ ଗତ ରବିବାର ରାତିରେ କେତେଜଣ ବ୍ୟକ୍ତି ତାଙ୍କ ଗାଡ଼ିକୁ ଗୁଳିମାଡ କରିଛନ୍ତି । ଏହି ଆକ୍ରମଣରେ ସେ ତାଙ୍କ ପୂର୍ବତନ ସ୍ବାମୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଇମ୍ରାନଙ୍କ ଅଧିନରେ ପାକିସ୍ତାନ “ଭୟଭୀତ, ଚୋର ଏବଂ ଲୋଭୀ” ଦେଶରେ ପରିଣତ ହୋଇ ସାରିଛି ।
ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ, “ମୋ ପୁତୁରା ବିବାହରୁ ଫେରିବା ବାଟରେ କାରକୁ କିଛି ଅଜଣା ବ୍ୟକ୍ତି ଗୁଳିମାଡ କରିଥିଲେ । ମୋଟର ସାଇକେଲରେ ଦୁଇ ବ୍ୟକ୍ତି ବନ୍ଧୁକ ମୁନରେ ଗାଡ଼ିକୁ ଅଟକାଇଥିଲେ । ଏହା ପରେ ମୁଁ ମୋ ଗାଡ଼ି ବଦଳାଇ ଦେଇଥିଲି । ହେଲେ ମୋର PS ଏବଂ ଡ୍ରାଇଭର ସେହି କାରରେ ଥିଲେ | କଣ ଏହା ହେଉଛି ଇମ୍ରାନ ଖାନଙ୍କ ନୂଆ ପାକିସ୍ତାନ ? ଭୟଭୀତ, ଚୋର ଏବଂ ଲୋଭୀ ଦେଶକୁ ସ୍ବାଗତ କରୁଛି! ” ସେ ଏହା ମଧ୍ୟ ଟ୍ବିଟ୍ କରି ଜଣାଇଛନ୍ତି, "ଏହି ଘଟଣାରେ ମୁଁ ଆହତ ହୋଇନାହିଁ । ହେଲେ ଏହାକୁ ନେଇ ମୁଁ କ୍ରୋଧିତ ଓ ଚିନ୍ତିତ ଅଛି "।