ଦୁବାଇ: କୋରୋନା କଟକଣା ସହ 110 ଦିନର ବିରତି ପରେ ପୁଣି ଖୋଲିଛି ଦୁବାଇସ୍ଥିତ ଗୁରୁ ନାନକ ଦରବାର ଗୁରୁଦ୍ବାରା । ୟୁଏଇରେ ସମସ୍ତ ଧାର୍ମିକ ସ୍ଥଳ ଲକଡାଉନ ଆରମ୍ଭରୁ ବନ୍ଦ ରହିଥିବା ବେଳେ ରବିବାର ପୁଣି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ଦୁବାଇସ୍ଥିତ ଗୁରୁଦ୍ବାରା । ଦୁବାଇରେ ମଧ୍ୟ ଅନୁରୂପ ଭାବେ ସମସ୍ତ ମସଜିଦ ଓ ଏକମାତ୍ର ହିନ୍ଦୁ ମନ୍ଦିର ଗତ ସପ୍ତାହରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯାଇଛି ।
ରବିବାର ଦୁବାଇର ସାମାଜିକ ବିକାଶ ସଂସ୍ଥା ଦ୍ବାରା ଅନୁମତି ମିଳିବା ପରେ ଗୁରୁଦ୍ବାରା ଖୋଲାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ସଂସ୍ଥା ନିର୍ଦ୍ଦେଶକ ସୁରେନ୍ଦର ସିଂ କନ୍ଧାରୀ । ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁଦ୍ବାରା ଖୋଲିଥିବା ବେଳେ ଏଠାରେ ସମସ୍ତ ପ୍ରକାଶ ସତର୍କତାମୂଳକ ପଦକ୍ଷେପର ପାଳନ କଡାକଡି କରାଯାଇଛି । ଏହି କ୍ରମରେ ସକାଳ 9ଟାରୁ 9ଟା 30 ମିନିଟ ଓ ସନ୍ଧ୍ୟାରେ 6ଟାରୁ 6ଟା 30 ମିନିଟ ପର୍ଯ୍ୟନ୍ତ ଗୁରୁଦ୍ବାରା ଖୋଲା ରହିବ । ଏହି ନିୟମ ଆଗାମୀ 2 ସପ୍ତାହ ଯାଏଁ ଲାଗୁ ରହିବା ନେଇ ସୁରେନ୍ଦର ସ୍ପଷ୍ଟ କରିଛନ୍ତି । ଏହାପରେ ପରିସ୍ଥିତି ଅନୁଯାୟୀ ଆଗାମୀ ନିଷ୍ପତ୍ତି ନିଆଯିବ ।