କାବୁଲ: ସାରା ବିଶ୍ବରେ ବିଭିନ୍ନ ଦେଶ କୋରୋନା ଲଢେଇ ପାଇଁ ସବୁଠାରୁ ଅତ୍ୟାବଶ୍ୟକ ଭେଣ୍ଟିଲେଟର ଅଭାବ ସହିତ ସଂଘର୍ଷ କରୁଛନ୍ତି । ଗୁରୁତର କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଭେଣ୍ଟିଲିଟର | ଆଫଗାନିସ୍ତାନରେ ମଧ୍ୟ ସମାନ ସମସ୍ୟା ରହିଛି । 3.5କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ କେବଳ 300 ଭେଣ୍ଟିଲେଟର ଅଛି | ଏବେ ଦେଶରେ ଭେଣ୍ଟିଲିଟର ସମସ୍ୟା ଦୂର କରିବା ପାଇଁ ହେରାତ ରୋବେଟିକ ଗାର୍ଲ୍ସ ଟିମ କାରର ପୁରୁଣା ଅଂଶକୁ ବ୍ୟବହାର କରି ଏକ ଭେଣ୍ଟିଲିଟର ତିଆରି କରିଛନ୍ତି ।
ଏହି ଭେଣ୍ଟିଲିଟର ନିର୍ମାଣରେ ଖର୍ଚ୍ଚ ମାତ୍ର 22,800 ଟଙ୍କା ହୋଇଛି । ଏହି ଭେଣ୍ଟିଲେଟର ବଜାରରେ 20-23 ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ | ଏହି ଡିଭାଇସକୁ WHOର ଅନୁମୋଦନ ପାଇଁ ପଠାଯାଇଛି ।
ଏହି ଗାର୍ଲ୍ସ ଟିମ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଏବଂ ସ୍ଥାନୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ ସହିତ ଏହି ପ୍ରକଳ୍ପରେ କାମ କରୁଛନ୍ତି | ଆଫଗାନିସ୍ତାନର ଏକ ଟେକ୍ କମ୍ପାନୀ ଅପରେଟର ତଥା ଏହି ପ୍ରକଳ୍ପରେ ସାହାଯ୍ୟ କରୁଥିବା ରୋୟା ମେହବୁବଙ୍କ ଅନୁଯାୟୀ, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦ୍ବାରା ଦିଆଯାଇଥିବା ଡିଜାଇନ୍ ଉପରେ ଆଧାର କରି ପ୍ରୋଟୋଟାଇପ୍ ଡିଜାଇନ୍ କରିଥିଲେ।
ଦଳରେ ପାଞ୍ଚ ଜଣ ବାଳିକା ଅଛନ୍ତି। ସେମାନଙ୍କର ବୟସ 14-17 ବର୍ଷ ମଧ୍ୟରେ | ଏମାନେ ସମସ୍ତେ ହେରାତ ପ୍ରଦେଶର । ପୁରୁଣା ଟୟୋଟା କାର ବ୍ୟାଟେରୀ ଏବଂ ପାର୍ଟସରୁ ଏକ ଭେଣ୍ଟିଲେଟର ତିଆରି କରିଛନ୍ତି ଏହି ବାଳିକା ଦଳ | ଆଫଗାନିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ୱାହିଦୁଲ୍ଲା ମାୟାରଙ୍କ ଅନୁଯାୟୀ ସେ ଏହି ଦଳକୁ ସାହାଯ୍ୟ କରିବାକୁ ବିଶେଷଜ୍ଞ ଏବଂ ଇଞ୍ଜିନିୟରମାନଙ୍କୁ କହିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, ଆଫଗାନିସ୍ତାନରେ ପ୍ରାୟ 840 କୋରୋନା ସଂକ୍ରମିତ ହୋଇଥିବାବେଳେ ଏହି ଭାଇରସ ଯୋଗୁଁ 30 ଜଣଙ୍କର ମୃତ୍ୟୁ ଘଟିଛି ।