କାବୁଲ:ଆଫଗାନିସ୍ତାନ ରାଜଧାନୀ କାବୁଲକୁ କାବୁ କରି ନେଇଛି ତାଲିବାନ ଆତଙ୍କୀ ସଂଘଠନ । ଜୀବନ ବଞ୍ଚାଇବାକୁ କାବୁଲରେ ଚାଲିଛି ସଂଘର୍ଷ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରପତି ଅସରଫ ଘନି । ସାଙ୍ଗରେ ୪ଟି କାର, ଗୋଟିଏ ହେଲିକପ୍ଟର ଓ ନଗଦ ଟଙ୍କା ସହିତ ଦେଶ ଛାଡି ପଳାଇଥିବା କହିଛି ଋଷ ଦୂତାବାସ ।
ଶାସନ ପତନ ହେଲା ପରେ ଘନି ଏପରି କରିଛନ୍ତି । ୪ଟି କାର ଟଙ୍କାରେ ଭର୍ତ୍ତି ହୋଇଥିଲା । କିଛି ଟଙ୍କା ହେଲିକପ୍ଟରରେ ଭର୍ତ୍ତି କରିବାରୁ ଚେଷ୍ଟା କରିଥିଲେ ମାତ୍ର ତାହା ସମ୍ଭବ ହୋଇନଥିଲା ଫଳରେ କିଛି ଟଙ୍କା ରନୱେରେ ଛାଡି ଦେଇଥିବା କହିଛି ଋଷ ଦୂତାବାସ ।
ପ୍ରକାଶ ଥାଉ କି, ରବିବାର ତାଲିବାନମାନେ କାବୁଲ କବଜା କରିବା ପରେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ଘନି ଦେଶ ଛାଡି ଦେଇଥିଲେ । ଏହା ପରେ ସେ ସୋସିଆଲ ମିଡିଆରେ କହିଥିଲେ ଯେ, ବର୍ତ୍ତମାନ ଠାରୁ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ଧନ ଏବଂ ରକ୍ଷା ପାଇଁ ତାଲିବାନ ଦାୟୀ ରହିବ ।