କାବୁଲ:ତାଲିବାନ ଆଫଗାନିସ୍ତାନ କବଜା କରିବା ପରେ ଏବେ ସ୍ଥିତି ଭୟଙ୍କର ହୋଇପଡିଛି । କାବୁଲରେ ଆତଙ୍କୀରାଜ ଆରମ୍ଭ କରି ଦେଇଛି ତାଲିବାନ । କାବୁଲ ବିମାନବନ୍ଦର ବାହାରେ ସିରିଜ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୭୩କୁ ବୃଦ୍ଧି ହୋଇ ଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । 13 ଜଣ ଆମେରିକା ସୈନିକଙ୍କ ପ୍ରାଣହାନୀ ଘଟିଛି । ତେବେ ଏହି ଘଟଣା ପାଇଁ ତାଲିବାନ ଆମେରିକା ସୈନ୍ୟଙ୍କୁ ଦାୟୀ କରିଛି ।
ତାଲିବାନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଏକ ଟୁଇଟ୍ରେ କହିଛନ୍ତି, ସନ୍ଧ୍ୟାରେ କାବୁଲରେ ଅନେକ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା । କାବୁଲ ବିମାନବନ୍ଦର ଭିତରେ ଆମେରିକାର ସେନା ଦ୍ୱାରା ଏହି ବିସ୍ଫୋରଣ କରାଯାଇଛି । ଏନେଇ କାବୁଲ ବାସିନ୍ଦା ଚିନ୍ତିତ ନୁହଁନ୍ତି ବୋଲି ସେ କହିଛନ୍ତି । ବିମାନ ବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣର କିଛି ଘଣ୍ଟା ପରେ କାବୁଲ ସହରରେ ଅତି କମରେ ସାତଟି ବିସ୍ଫୋରଣ ଶୁଣିବାକୁ ମିଳିଥିଲା । ଯେଉଁଥିରେ ଆମେରିକାର ସୈନ୍ୟ ସମେତ 60ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।