ଜାକର୍ତ୍ତା: ବର୍ଷ ବର୍ଷ ଧରି ଇଣ୍ଡୋନେସିଆରେ ଚାଲି ଆସୁଥିବା ପରମ୍ପରା ଚଳିତବର୍ଷ କୋରୋନା ସଂକ୍ରମଣ ପାଇଁ ଭାଙ୍ଗିବାକୁ ଯାଉଛି । ପ୍ରତିବର୍ଷ ଇଦ୍ରେ ଦେଶର ରାଷ୍ଟ୍ରପତି ଭବନ ଜନସାଧାରଣଙ୍କ ପାଇଁ ଖୋଲିବାର ବିଧି ରହିଛି । ଭାଇଚାରା ଓ ଏକତାର ପର୍ବ ଇଦ୍ ଦେଶର ନାଗରିକ ଏକାଠି ହୋଇ ପାଳନ କରି ଆସୁଥିବା ବେଳେ ଚଳିତବର୍ଷ କୋରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଇ ଏହି ନିୟମରେ ବ୍ୟତିକ୍ରମ ହେବାକୁ ଯାଉଛି ।
ଆସନ୍ତା ରବିବାର ଅର୍ଥାତ୍ ମେ’ 24ରେ ଦେଶରେ ଇଦ ପାଳନ ହେବାକୁ ଥିବା ବେଳେ, ଏବର୍ଷ ଜନସାଧାରଣଙ୍କ ପାଇଁ ରାଷ୍ଟ୍ରପତି ଭବନ ଖୋଲିବ ନାହିଁ ବୋଲି ଶୁକ୍ରବାର ଘୋଷଣା କରାଯାଇଛି । ଏହି ଦିନ ରାଷ୍ଟ୍ରପତି ଭବନ ଖୋଲାଯିବା ସହ ରାଷ୍ଟ୍ରପତି ଦେଶର ନାଗରିକଙ୍କ ସହ ସିଧାସଳଖ କଥା ହେବାର ଅବସର ସୃଷ୍ଟି ହୁଏ । ଏଥିସହ ଲୋକେ ଦେଶର ପ୍ରଥମ ନାଗରିକ ଓ ମହିଳାଙ୍କୁ ଭେଟି ନୈଶ୍ୟ ଭୋଜନ କରିବାର ବ୍ୟବସ୍ଥା କରାଯାଇଥାଏ । ହେଲେ ଏ ବର୍ଷ ଏସମସ୍ତ ଆୟୋଜନରେ ରୋକ ଲଗାଇଛନ୍ତି ରାଷ୍ଟ୍ରପତି ଜୋକୋ ୱିଡୋଡୋ ।