ଖ୍ରୀଷ୍ଟଚର୍ଚ୍ଚ: ଶୁକ୍ରବାର ଘଟିଥିବା ନ୍ୟୁଜିଲାଣ୍ଡ ମସଜିଦ ଗୁଳିକାଣ୍ଡ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । ଏହି ନରସଂହାରରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ପ୍ରାୟ 40 ଲୋକ ଆହତ ହୋଇଛନ୍ତି । ତେବେ ଏହି ନରସଂହାର ରଚିଥିବା ଆତଙ୍କବାଦୀ ସମ୍ପର୍କରେ ଏବେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଜାଣିବାକୁ ମିଳିଛି ।
ଏହି ହତ୍ୟାକାରୀ ଅଷ୍ଟ୍ରେଲୀୟର ବାସିନ୍ଦା ଏବଂ ସେ ଜଣେ ଦକ୍ଷିଣପନ୍ଥୀ ଆତଙ୍କବାଦୀ । ଏହାକୁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମଧ୍ୟ ମାନିଛନ୍ତି ଏବଂ ତାହାର ନାମ ବ୍ରେଣ୍ଟନ ହେରିସନ ଟାରାଣ୍ଟ ବୋଲି ଜଣାପଡିଛି । ବର୍ତ୍ତମାନ ପୋଲିସ ହେପାଜତରେ ଥିବା 28 ବର୍ଷିୟ ବ୍ରେଣ୍ଟନ ଏହି ଭୟାନକ ନରସଂହାର ପାଇଁ ପ୍ରାୟ ୫ ବର୍ଷ ତଳୁ ପ୍ରସ୍ତୁତି ଆରମ୍ଭ କରିଥିଲା । ଆଉ ଏହାର ସମସ୍ତ ପ୍ରସ୍ତୁତି ଅନଲାଇନରେ ଚାଲିଥିଲା । ଏହି ଆକ୍ରମଣର ସମସ୍ତ ତଥ୍ୟ, ପ୍ରମାଣ, ଉଦ୍ଦେଶ୍ୟ ଏବଂ ଲାଇଭ ରେକର୍ଡିଂ ଏବେ ସୋସିଆଲ ମିଡିଆରେ ରହିଛି । ଏହାକୁ ଆକ୍ରମଣକାରୀ ଯୋଜନାବଦ୍ଧ ଭାବେ ପ୍ରଚାର ଓ ପ୍ରସାର କରିବାରେ ସକ୍ଷମ ହୋଇଛି ।
ବ୍ରେଣ୍ଟନ ଜଣେ ଅନଲାଇନ ପ୍ରିୟ ବ୍ୟକ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାଏ । ଏପରିକି ଆକ୍ରମଣଠାରୁ ଗିରଫ ହେବା ପର୍ଯ୍ୟନ୍ତ ପ୍ରତିଟି ଘଟଣା ସେ ସୋସିଆଲ ମିଡିଆରେ ଅପଡେଟ କରିଛି । ଅନଲାଇନରେ ସେ ସବୁ ଘଟଣା ଛାଡିବା ସହ ତାହାର ଆକ୍ରମଣ କରିବାର ଉଦ୍ଦେଶ୍ୟ ମଧ୍ୟ ପୋଷ୍ଟ କରିଛି । ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି କୌଣସି ଆତଙ୍କବାଦୀ ମୁସଲିମ ସମ୍ପ୍ରଦାୟକୁ ଟାର୍ଗେଟ କରିଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଘଟଣା ପାଇଁ ନିଜକୁ ଦାୟୀ କରିନାହାନ୍ତି ।
ତେବେ ୨ଟି ମସଜିଦରେ ଆକ୍ରମଣ କରିବା ପାଇଁ ପ୍ରତ୍ୟେକଟି ଯୋଜନା ବ୍ରେଣ୍ଟନ ଅନଲାଇନରେ ପ୍ରଘଟ କରିଛି । ଆକ୍ରମଣର ପ୍ରାୟ 17 ମିନିଟର ଲାଇଭ ରେକର୍ଡିଂ ସେ ଫେସବୁକରେ ଛାଡିଛି । ‘ଦି ଗ୍ରେଟ ରିପ୍ଲେସମେଣ୍ଟ’ ଶୀର୍ଷକରେ ଏହି ଆକ୍ରମଣର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ନେଇ ୭୩ ପୃଷ୍ଠାର ଇସ୍ତାହାର ସେ ଅନଲାଇନରେ ଛାଡିଛି । ତାହାର ଟାର୍ଗେଟରେ ଥିଲେ ମୁସଲିମ ପ୍ରବାସୀ ଏବଂ ଶରଣାର୍ଥୀ । ଏମାନଙ୍କ ଉପରେ ସେ ଅତ୍ୟନ୍ତ ଘୃଣିତ ମନ୍ତବ୍ୟ ଦେଇଥିବାବେଳେ ଅନ୍ୟମାନଙ୍କୁ ମୁସଲିମ ବିରୋଧୀ ହିଂସା ପାଇଁ ପ୍ରବର୍ତ୍ତାଇବା ତାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଧର୍ମ ପରିବର୍ତ୍ତନ କରୁଥିବା ଏବଂ ବାହାର ରାଷ୍ଟ୍ରରୁ ଆସୁଥିବା ମୁସଲିମଙ୍କୁ ହଟାଇବାକୁ ସେ ଏପରି ଆକ୍ରମଣ କରିଥିବା କହିଛି ।
ଅନଲାଇନ ଦ୍ବାରା ସେ ନିଜର ଏକ ବଡ ସମର୍ଥକ ଗୋଷ୍ଠୀ ତିଆରି କରିଥିଲା । ଅଷ୍ଟ୍ରେଲିଆରେ ଦକ୍ଷିଣ କଠୋରପନ୍ଥୀଙ୍କୁ ମୁସଲିମଙ୍କ ବିରୋଧରେ ତୟାର କରିବା ପାଇଁ ସେ ଅନେକ ଯୋଜନା ପ୍ରସ୍ତୁତ କରିଥିଲା । ଅଷ୍ଟ୍ରେଲିଆ ସରକାର ବ୍ରେଣ୍ଟନ ବିଷୟରେ ସମସ୍ତ ସୂଚନା ସାର୍ବଜନୀନ କରିଛନ୍ତି । ତାର ପରିବାର ନିମ୍ନ ମଧ୍ୟବିତ୍ତ ଏବଂ ସେ ପିଲାବେଳେ ପଢାପଢିରେ ଦୁର୍ବଳ ଥିଲା । କ୍ୟାନ୍ସରରେ 2001ରେ ବାପାଙ୍କ ମୃତ୍ୟୁ ଘଟିଥିଲା ଏବଂ ପରେ ସେ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବାକୁ ଅଷ୍ଟ୍ରେଲିଆ ଛାଡିଥିଲା ।
ନିଜର ଯୋଜନା ଓ ଲକ୍ଷ୍ୟ ସମ୍ପର୍କରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସୋସିଆଲ ମିଡିଆକୁ ସେ ଅସ୍ତ୍ର କରିଥିଲା । ସୋସିଆଲ ମିଡିଆରେ ତାହାର ସକ୍ରିୟ ଏହି 2ଟି ମସଜିଦ ଆକ୍ରମଣରେ ସହାୟକ ହୋଇଥିଲା । ସେ ଅନେକ ମୁସଲିମ ବିରୋଧୀ ମନ୍ତବ୍ୟ ଅନଲାଇନରେ ଦେଇଥିଲା । ଆକ୍ରମଣ ପୂର୍ବରୁ ସେ ଏହାର ଉଦ୍ଦେଶ୍ୟ ଅନଲାଇନରେ ଛାଡିଥିଲେ ମଧ୍ୟ ପୋଲିସ ଏହାର ସୂଚନା ପାଇପାରିନଥିଲା । ତେବେ ଏହି ଆକ୍ରମଣ ପରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମଧ୍ୟ ବଡ ଧରଣର ବିସ୍ଫୋରଣ ଘଟାଇବା ପାଇଁ ସେ କେତେକ ଗାଡିରେ ଶକ୍ତିଶାଳୀ ବିସ୍ଫୋରକ ଖଞ୍ଜିଥିଲା । ହେଲେ ପୋଲିସ ଠିକ ସମୟରେ ଏହାର ଖବର ପାଇ ଯୋଜନାକୁ ପଣ୍ଡ କରିବାରେ ସକ୍ଷମ ହୋଇଛି ।