ଇସଲାମାବାଦ: ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସରକାର । ତାଙ୍କୁ ପଦଚ୍ୟୁତ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକ। ଏହା ସହିତ ସେମାନେ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି।
ତେଜୁଛି ଇମ୍ରାନ ହଟାଅ ଅଭିଯାନ, ଚିନ୍ତାରେ ସରକାର - ଇମ୍ରାନଙ୍କ ଇସ୍ତଫା ଦାବି କଲେ ପ୍ରଦର୍ଶନକାରୀ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପଦଚ୍ୟୁତ୍ କରିବା ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ସଂଖ୍ୟକ ଲୋକ। ଏହା ସହିତ ସେମାନେ ଇମ୍ରାନଙ୍କ ଇସ୍ତଫା ଦାବି କରିଛନ୍ତି।
ଦକ୍ଷିଣପନ୍ଥୀ ଜମିୟତ ଉଲେମା-ଏ-ଇସଲାମ ଫଜଲ(ଜେୟୁଆଇ-ଏଫ)ର ପ୍ରମୁଖ ମୌଲାନା ଫଜଲୁର ରହମାନଙ୍କ ନେତୃତ୍ଵରେ ତୀବ୍ର ହୋଇଛି ଇମ୍ରାନ ହଟାଓ ଅଭିଯାନ। ଏଥିପାଇଁ ଶୁକ୍ରବାର ଇସଲାମାବାଦରେ ହୋଇଛି ଏକ ବଡ ଧରଣର ରାଲି । ଇମ୍ରାନକୁ ଗାଦିଚ୍ୟୁତ କରିବା ପାଇଁ ଅକ୍ଟୋବର ୨୭ରେ ଅନ୍ୟ ବିରୋଧୀ ଦଳର ନେତାଙ୍କ ସହିତ ଦକ୍ଷିଣ ସିନ୍ଧ ପ୍ରାନ୍ତରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା । ତେବେ ଗତ ୫ ଦିନ ମଧ୍ୟରେ ପାକିସ୍ତାନରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ଭିନ୍ନ ଭିନ୍ନ ସହରରୁ ଲୋକ ଏହି ସ୍ବାଧୀନତା ରାଲିରେ ସାମିଲ ହୋଇଛନ୍ତି । 2018 ସାଧାରଣ ନିର୍ବାଚନରେ ଇମ୍ରାନ ଅନିୟମିତତା କରିଥିବା ଅଭିଯୋଗ କରି ତତ୍କାଳ ଇସ୍ତଫା ଦାବି କରିଛନ୍ତି ପ୍ରଦର୍ଶନକାରୀ ।
ଏହା ବ୍ୟତିତ ସେମାନେ ଇମ୍ରାନଙ୍କ ବିରୋଧରେ ଅର୍ଥବ୍ୟବସ୍ଥାର କୁପ୍ରବନ୍ଧନ, କୁପ୍ରଶାସନ ଏବଂ ଅକ୍ଷମତାର ଅଭିଯୋଗ ମଧ୍ୟ ଲଗାଇଛନ୍ତି । ଯାହା ଦ୍ବାରା ସାଧାରଣ ଲୋକ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି । ଏହି ସରକାର ବିରୋଧୀ ପ୍ରଦର୍ଶନରେ ପାକିସ୍ତାନ ମୁସଲିମ ଲିଗ-ନଓ୍ଵାଜ(ପିଏମଏଲ-ଏନ) ଓ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ସମେତ ବିରୋଧୀ ଦଳର ହଜାର ହଜାର ସଂଖ୍ୟକ ସମର୍ଥକ ସାମିଲ ହୋଇଛନ୍ତି।