ବେଜିଂ: ଚୀନରେ ଉହାନ ସହରରେ ପୁଣି ବ୍ୟାପିଲାଣି କୋରୋନା ଭାଇରସ । ଏହାକୁ ଦୃଷ୍ଟିରେ ରଖି 1 କୋଟି 20 ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସହରରେ 1 କୋଟି 12 ଲକ୍ଷ 30 ହଜାର ନମୁନା ପରୀକ୍ଷା କରାସରିଲାଣି । ଶନିବାର ଦିନ ଏନେଇ ସ୍ଥାନୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି । 2019ରେ ଉହାନରେ କୋରୋନା ଭୂତାଣୁର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ଏହାକୁ କୋରୋନାର ଉତ୍ପତ୍ତିସ୍ଥଳ କୁହାଯାଏ । କିନ୍ତୁ ବର୍ତ୍ତମାନ, ଉହାନରେ ସ୍ଥାନୀୟ ସଂକ୍ରମଣର 6ଟି ମାମଲା ଏବଂ 15ଟି ବିନା ଲକ୍ଷଣ ମାମଲା ସାମ୍ନାକୁ ଆସିଛି ।
ଶୁକ୍ରବାର ସୁଦ୍ଧା ହୁବେଇ ପ୍ରଦେଶର ରାଜଧାନୀ ଉହାନରେ କୋଭିଡ-19ର 47 ଟି ମାମଲା ସାମ୍ନାକୁ ଆସିଛି । ଏଥିରେ 31ଟି ସ୍ଥାନୀୟ ସଂକ୍ରମଣ ରହିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ମୁତାବିକ, ଉହାନରେ ନ୍ୟୁକ୍ଲିକ୍ ଏସିଡ୍ ପରୀକ୍ଷା ପାଇଁ 1 କୋଟି 12 ଲକ୍ଷ 30 ହଜାରରୁ ଅଧିକ ନମୁନା ସଂଗ୍ରହ କରାଯାଇଥିଲା । ସରକାରଙ୍କ ଦ୍ବାରା ପରିଚାଳିତ ନ୍ୟୁଜ୍ ଏଜେନ୍ସି ଷିନ୍ହୁଆ ରିପୋର୍ଟ କରିଛି ଯେ, ଡାକ୍ତରୀ ସମୀକ୍ଷା ସମୟରେ ବିନା ଲକ୍ଷଣର 64ଟି ମାମଲା ମଧ୍ୟ ରିପୋର୍ଟ କରାଯାଇଛି ।