ନୂଆଦିଲ୍ଲୀ: କୋରୋନା ଭାଇରସରେ ବିଶ୍ବରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏବେ କୋରୋନାର ପ୍ରତିକାର, ଉପଚାର ପାଇଁ ସୋସିଆଲ ମିଡିଆ ଅନେକ ଭିଡିଓ ଘୁରି ବୁଲୁଛି । ଚୀନର ଏକ ଗଣମାଧ୍ୟମ ରିପୋର୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । ଯେଉଁଥିରେ ସ୍ମାର୍ଟ ହେଲମେଟ ପିନ୍ଧି ପୋଲିସ କୋରୋନା ଆକ୍ରାନ୍ତଙ୍କୁ ଅତି ସହଜରେ ଚିହ୍ନଟ କରୁଥିବା ଦେଖିବାକୁ ମିଳିଛି । ମାତ୍ର ଏହା କେତେ ସତ୍ୟ ସେ ନେଇ କୌଣସି ସଠିକ ତଥ୍ୟ ନାହିଁ ।
ଭାଇରାଲ ଭିଡିଓରେ କୁହାଯାଇଛି ଯେ, ଚାଇନାରେ ପୋଲିସ କର୍ମଚାରୀମାନେ ସ୍ମାର୍ଟ ନେଟୱାର୍କ ଯୁକ୍ତ ହେଲମେଟ ପିନ୍ଧିବା ଆରମ୍ଭ କରିଛନ୍ତି । ଯାହା ରାସ୍ତାରେ ପାଟ୍ରୋଲିଂ କରିବା ସମୟରେ ପଥଚାରୀଙ୍କ ତାପମାତ୍ରାକୁ ସ୍ବୟଂଚାଳିତ ଭାବରେ ଟ୍ରକ କରିବା କ୍ଷମତା ରଖିଛି ।
ହେଲମେଟ ଅଳ୍ପ ସମୟ ମଧ୍ୟରେ ଭିଡ଼ରେ ଅସ୍ବାଭାବିକ ତାପମାତ୍ରା ଥିବା ଲୋକଙ୍କୁ ସଠିକ୍ ଭାବରେ ଚିହ୍ନିବାରେ ସାହାଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଏହି ଜୀବନନାଶକ ଭାଇରସ ବିରୋଧରେ ଲଢେଇରେ ଏହା ଉପଯୋଗୀ ଉପକରଣ ବୋଲି ମିଡିଆ ରିପୋର୍ଟରେ କୁହାଯାଇଛି।