ନୂଆଦିଲ୍ଲୀ: ଗତ ସପ୍ତାହରେ ଲଦାଖର ଗଲୱାନ ଉପତ୍ୟକାରେ ହୋଇଥିବା ଭାରତ-ଚୀନ ମୁହାଁମୁହିଁ ସଂଘର୍ଷରେ ଭାରତ ନିଜର 20 ବୀରପୂତ୍ରଙ୍କୁ ହରାଇଥିବା ବେଳେ ସପ୍ତାହେ ପରେ ଏସମ୍ପର୍କରେ ମୁହଁ ଖୋଲିଛି ଚୀନ । ଚୀନ ଏହି ଘଟଣାରେ ନିଜର 20ରୁ କମ୍ ଯବାନଙ୍କୁ ହରାଇଥିବା ସୂଚନା ଦେଇଛି । ଏହାପୂର୍ବରୁ ଭାରତୀୟ ଗଣମାଧ୍ୟମରେ ପ୍ରକାଶ ପାଇସାରିଥିଲା କି ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)କୁ ଭାରତ 16 ଜଣ ଯବାନଙ୍କ ମରଶରୀର ହସ୍ତାନ୍ତର କରିଛି ।
ଉଭୟ ଦେଶ ମଧ୍ୟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ହୋଇଥିବା ରକ୍ତାକ୍ତ ସଂଘର୍ଷର ତୁରନ୍ତ ପରେ 20 ଭାରତୀୟ ଜବାନ ଶହୀଦ ହୋଇଥିବା ନେଇ ସରକାରୀ ଭାବେ ଦେଶରେ ଘୋଷଣା କରାଯାଇଥିଲା । ଅପରପାର୍ଶ୍ବରେ ଦୀର୍ଘ ସମୟ ଯାଏଁ ନିରବତା ଅବଲମ୍ବନ କରିଥିଲା ବେଜିଂ । ସେପଟେ ବେଜିଂରେ କମ୍ୟୁନିଟି ଦଳ ମୁଖପାତ୍ର ଗଣମାଧ୍ୟମକୁ ଏନେଇ ସଫେଇ ଦେଇ କହିଥିଲେ ଯେ ଚୀନ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ କରି ସୀମାରେ ସଂଘର୍ଷ ବଢାଇବାକୁ ଚାହୁଁନାହିଁ ।
ଗ୍ଲୋବାଲ ଟାଇମ୍ସକୁ ଏନେଇ ଚୀନ ସ୍ପଷ୍ଟ ସଂଖ୍ୟା ନଜଣାଇ କେବଳ 20ରୁ କମ୍ ଜଣଙ୍କ ପ୍ରାଣହାନୀ ହୋଇଥିବା ପ୍ରକାଶ କରିଛି । ପ୍ରକୃତ ସଂଖ୍ୟା ସ୍ପଷ୍ଟ କଲେ ଭାରତ ପୁଣି କ୍ରୋଧ ପରାୟଣ ଆଚରଣ ଆପଣାଇବାର ଭୟ ରହିଛି ବୋଲି ମଧ୍ୟ ଚୀନ ସୂଚନା ଦେଇଛି । ସେପଟେ ଏହି ତଥ୍ୟ ପରେ ଗ୍ଲୋବାଲ ଟାଇମ୍ସ ଚୀନର ବିଶେଷଜ୍ଞ ଓ ପର୍ଯ୍ୟବେକ୍ଷକଙ୍କ ଗତିବିଧି ଦେଖି କହିଛି କି କେବଳ ଭାରତୀୟ ରାଷ୍ଟ୍ରବାଦୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚୀନ ଏପରି ସଂଖ୍ୟା ବଢାଇ ପ୍ରଦର୍ଶିତ କରିଛି ।