ନୂଆଦିଲ୍ଲୀ: ଚାଇନାରେ ରହସ୍ୟମୟୀ କୋରୋନା ଭାଇରସର ଆତଙ୍କ ଜାରି ରହିଛି। ଏବେ ପୂର୍ବାପେକ୍ଷା ଅତ୍ୟଧିକ ମାରାତ୍ମକ ହେବାରେ ଲାଗିଲାଣି ଏହି ଭାଇରସ । ବୁଧବାର ସୁଦ୍ଧା ଏହି ଭାଇରସରେ ଆକ୍ରାନ୍ତ ହୋଇ 17ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ବଢିବାରେ ଲାଗିଛି। ଗୁରୁବାର ରିପୋର୍ଟ ଅନୁଯାୟୀ ଏହି ଭାଇରସରେ ମୃତ୍ୟୁ ସଂଖ୍ୟା 25ରେ ପହଞ୍ଚିଛି। ଏହାସହ ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପଖି 830ଜଣ ଏହା ଯୋଗୁଁ ସଂକ୍ରମିତ ହୋଇଛନ୍ତି।
ଏହି ଭାଇରସର ଭୟାବହତା ଦେଖି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ଚୀନରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଦେଇଛି। ଭାଇରସ୍ ବ୍ୟାପୁଥିବା ଯୋଗୁଁ ଚୀନ୍ର ୩ଟି ସହର ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଉହାନ୍ , ହୁଆଗାଙ୍ଗ୍ ଏବଂ ଇଜୋଉ ସହରରେ ପରିବହନ ଏବଂ ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଛି। ଉହାନ୍ରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ତିନୋଟି ସହରର ଚଳାଚଳ ଉପରେ ରୋକ ଲଗାଯାଇଛି।
ଏହି ଭୟାନକ ଭାଇରସକୁ ନେଇ ଏବେ ଭାରତରେ ହାଇଆଲର୍ଟ ଜାରି କରାଯାଇଛି। ବିମାନ ବନ୍ଦରରେ ଚୀନରୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ତନ୍ନତନ୍ନ କରି ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଏହି କୋରୋନା ଭାଇରସର ନମୁନା ଆମେରିକାରେ ମଧ୍ୟ ଚିହ୍ନଟ କରାଯାଇଛି। ଏବେ ସାଉଦି ଆରବରେ କେରଳ ନର୍ସ ଆକ୍ରାନ୍ତ ହେବା ଖବର ରହିଛି । ପ୍ରାୟ ୧୦୦ ଭାରତୀୟ ନର୍ସଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।