ବେଜିଂ: ବିଶ୍ବରେ ସର୍ବାଧିକ ଜନସଂଖ୍ୟା ଦେଶ ହେଉଛି ଚୀନ । ତଥାପି ଦେଶରେ ଦମ୍ପତିଙ୍କୁ ଅଧିକ ସନ୍ତାନ ଜନ୍ମ କରିବା ପାଇଁ ଉତ୍ସାହିତ କରୁଛି ଚୀନ ସରକାର । ଏଥିଲାଗି ଆଣିଛି ନୂଆ ଶିଶୁ ନୀତି । ଚୀନ ସରକାର ଜନସଂଖ୍ୟା ଏବଂ ପରିବାର ଯୋଜନା ଆଇନକୁ ସଂଶୋଧିତ କରି ଦମ୍ପତିଙ୍କୁ ୩ଟି ସନ୍ତାନ ଜନ୍ମ କରିବା ପାଇଁ ଅନୁମତି ଦେଇଛି । ଏହାକୁ ନେସନାଲ ପିପୁଲ କଂଗ୍ରେସ କମିଟି (NPC) ପାରିତ କରିଛି ।
ଖର୍ଚ୍ଚ ବଢିବା କାରଣରୁ ଚୀନର ଦମ୍ପତି ଅଧିକ ସନ୍ତାନ ଜନ୍ମ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ଏହି ସଂଶୋଧିତ ଆଇନ ଖର୍ଚ୍ଚ ସମସ୍ୟାର ସମାଧାନ ପାଇଁ ଅଧିକ ସାମାଜିକ ତଥା ଅର୍ଥନୈତିକ ସହାୟତା ପଦକ୍ଷେପ ଗ୍ରହଣ କରିଛି । ଏହି ନୂତନ ଆଇନରେ ଦର୍ଶାଯାଇଛି ଯେ ପରିବାରର ଅର୍ଥନୈତିକ, ଟିକସ, ବୀମା, ଶିକ୍ଷା, ଗୃହ ଏବଂ ନିଯୁକ୍ତି କ୍ଷେତ୍ରରେ ପରିବାର ସଦସ୍ୟଙ୍କ ଭାର ହ୍ରାସ କରିବ ଏହି ନୀତି । ସଂଶୋଧିତ ନୀତିରେ ପିଲାମାନଙ୍କ ଶିକ୍ଷା ଖର୍ଚ୍ଚ ମଧ୍ୟ ହ୍ରାସ କରିବାକୁ ପଦକ୍ଷେପ ଗ୍ରହଣ କରିବ।