ହଂକଂ: ଚୀନ-ହଂକଂ ବିବାଦରେ ନୂଆ ମୋଡ । ଗୁରୁବାର ହଂକଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କ୍ୟାରି ଲାମଙ୍କ ପ୍ରମୁଖ ସହଯୋଗୀଙ୍କୁ ଜାତୀୟ ସୁରକ୍ଷା ଆଇନର ଆଞ୍ଚଳିକ କମିଟିର ମୁଖ୍ୟ ଭାବେ ନିୟୋଜିତ କରିଛି ଚୀନ । କ୍ୟାରିଙ୍କ କାର୍ଯ୍ୟାଳୟରେ ମୁଖ୍ୟ ନିର୍ଦ୍ଦେଶକ ଦାୟିତ୍ବ ତୁଲାଉଥିବା ଏରିକ ଚାନଙ୍କ ଏହି ନୂଆ ଦାୟିତ୍ବ ଦିଆଯାଇଥିବା ଜଣା ପଡିଛି ।
ମଙ୍ଗଳବାର ରାତିରୁ ହଂକଂରେ ଲାଗୁ ହୋଇଥିବା ସୁରକ୍ଷା ଆଇନର ନିରାପତ୍ତା ଦାୟିତ୍ବରେ ଏରିକଙ୍କୁ ନିୟୋଜିତ କରାଯାଇଛି । ଏନେଇ ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ ଖବରକାଗଜରେ ପ୍ରକାଶ କରାଯାଇଛି । ତେବେ ଏହି ଖବରକାଗଜରେ ପ୍ରଦତ୍ତ ସୂଚନା ମୁତାବକ ଚୀନ ଦ୍ବାରା ନିୟୋଜିତ ଏକ ଉପଦେଷ୍ଟା ମଣ୍ଡଳୀଙ୍କ ଉପସ୍ଥିତିରେ କ୍ୟାରିଙ୍କ ନେତୃତ୍ବରେ ଏକ କମିଟି ଗଠନ ହୋଇଛି । ଯାହା ହଂକଂରେ ଜାତୀୟ ସୁରକ୍ଷା ଆଇନର ପ୍ରଣୟନ ନେଇ ନୀତି ନିୟମ ନିର୍ଦ୍ଧାରଣ କରିବେ । ଯାହା ସହରର ଆଇନ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବ ।