ବେଜିଂ ଦ୍ବାରା ପ୍ରସ୍ତାବିତ ଜାତୀୟ ସୁରକ୍ଷା ଆଇନ ପ୍ରତିବାଦରେ ହଂକଂରେ ଆନ୍ଦୋଳନ ଅବ୍ୟାହତ ରହିଛି । ଗତ ଜୁନ୍ ମାସରୁ ଏଠାରେ ଆରମ୍ଭ ହୋଇଥିବା ପ୍ରତିବାଦ ଆନ୍ଦୋଳନକୁ ଚୀନ ‘ବିଚ୍ଛିନ୍ନତାକାମୀ ତତ୍ତ୍ବ ସମ୍ବଳିତ ବିନାଶକାରୀ କାର୍ଯ୍ୟକଳାପର ସଂଘଟନ’ ରୂପରେ ଅଭିହିତ କରିଥିବା ବେଳେ ହଂକଂର ସାମାଜିକ କର୍ମୀ ଓ ଗଣତନ୍ତ୍ର ସପକ୍ଷବାଦୀ ରାଜନୈତିକ ନେତାମାନେ ଏହାକୁ ଅସ୍ବୀକାର କରିଛନ୍ତି ।
ସ୍ବତନ୍ତ୍ର ଅଧିକାର ଏବଂ ସ୍ବୟଂଶାସନ କ୍ଷମତା ସହିତ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ଶୀର୍ଷକ ବୁଝାମଣା ବଳରେ 1997ରେ ଚୀନକୁ ପୂର୍ବତନ ବ୍ରିଟିଶ ଉପନିବେଶ ହଂକଂ ହସ୍ତାନ୍ତରିତ ହୋଇଥିଲା । ହଂକଂର ନିଜସ୍ବ ବିଚାର ବ୍ୟବସ୍ଥା ଏବଂ ଆଇନ ପ୍ରଣୟନ ପଦ୍ଧତି ରହିଛି, ଯାହାକି ଚୀନ୍ର ମୁଖ୍ୟ ଭୂଭାଗ ତୁଳନାରେ ସଂପୂର୍ଣ୍ଣ ଅଲଗା ଏବଂ ଏଥିରେ ସମାବେଶ ଏବଂ ବାକ୍ ସ୍ବାଧୀନତାକୁ ଅନୁମତି ପ୍ରଦାନ କରାଯାଇଛି ।
ଏକ ପ୍ରତ୍ୟର୍ପଣ ବିଲ ବିରୋଧରେ ଗତ ଜୁନ୍ ମାସରେ ଏଠାରେ ଅଭୂତପୂର୍ବ ସାମାଜିକ ବିଦ୍ରୋହ ମୁଣ୍ଡ ଟେକିଥିଲା ଏବଂ ଆକଳନ ଅନୁସାରେ, ପ୍ରାୟ ଦଶ ଲକ୍ଷ ଲୋକ ସ୍ବତଃସ୍ଫୂର୍ତ୍ତ ଭାବରେ ଏହାର ପ୍ରତିବାଦ କରିଥିଲେ । ପରବର୍ତ୍ତୀ ସମୟରେ, ସେପ୍ଟେମ୍ବର ମାସରେ ପ୍ରତ୍ୟାହୃତ ହୋଇଥିବା ଏହି ବିଲ୍ରେ ପଳାତକ ଅପରାଧୀମାନଙ୍କୁ ଚୀନକୁ ପ୍ରତ୍ୟର୍ପଣ କରାଯିବା ବ୍ୟବସ୍ଥା ରହିଥିଲା । ସମାଲୋଚକମାନଙ୍କ ମତରେ ଏହା ହଂକଂର ନ୍ୟାୟପାଳିକାକୁ ଗୌଣ କରିଦେଇଥାଆନ୍ତା ଏବଂ ଚୀନର ସ୍ବେଚ୍ଛାଚାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଭିନ୍ନମତବାଦୀ ବ୍ୟକ୍ତିଙ୍କ ଜୀବନଧାରା ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା । ସେବେଠାରୁ ହଂକଂରେ ବିକ୍ଷୋଭ ପ୍ରଦର୍ଶନ ଅବ୍ୟାହତ ରହିଛି ଏବଂ ହଂକଂକୁ ସଂପୂର୍ଣ୍ଣ ଗଣତାନ୍ତ୍ରିକ ଅଧିକାର ପ୍ରଦାନ ସହିତ ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ସଂପର୍କରେ ତଦନ୍ତ କରିବା ପାଇଁ ସାମାଜିକ କର୍ମୀମାନେ ଦାବି କରିଆସୁଛନ୍ତି । ଏ ବର୍ଷ ମେ ମାସରେ ପ୍ରସ୍ତାବିତ ନୂତନ ଜାତୀୟ ନିରାପତ୍ତା ଆଇନ, ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ଏବଂ ବିଶେଷଜ୍ଞମାନଙ୍କ ମତରେ ଏହି ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ଚୀନରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କ ସ୍ଥିତି ଦୁର୍ବଳ ହେବା ସହିତ ଏହା ଉପରେ ପ୍ରଶ୍ନ ଉଠିଛି । ଅନେକ ଭାରତୀୟ ପର୍ଯ୍ୟବେକ୍ଷକଙ୍କ ମତରେ ହଂକଂ ଓ ତାଇୱାନରେ ସଂଘଟିତ ଘଟଣା ଯୋଗୁଁ ରାଷ୍ଟ୍ରପତି ସି ଏବଂ ଚୀନ୍ର କମ୍ୟୁନିଷ୍ଟ ପାର୍ଟି ନିଜ ଦେଶ ଭିତରେ ସମାଲୋଚନାର ଶରବ୍ୟ ହୋଇଥିବା କାରଣରୁ ହିଁ ଭାରତ ଚୀନ୍ ସୀମାର ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ୍ ଅତିକ୍ରମଣ କରିଛି ।
ହଂକଂରେ ବାସ୍ତବ ସ୍ଥିତି, ଉପସ୍ଥାପିତ ଦାବି ସମୂହ ଏବଂ ସାଂପ୍ରତିକ ପ୍ରତିବାଦ ଆନ୍ଦୋଳନ ଜନିତ ଅନ୍ତର୍ଜାତୀୟ ପ୍ରତିକ୍ରିୟା ସଂପର୍କରେ ହଂକଂ ସିଭିକ୍ ପାର୍ଟି ନେତା ତଥା ବିଧାନ ପରିଷଦ ସଦସ୍ୟ ଆଲଭିନ୍ ୟେଉଙ୍ଗଙ୍କ ସହିତ ବାର୍ତ୍ତାଳାପ କରିଥିଲେ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା । ଗତ ନଭେମ୍ବରରେ ହଂକଂର ବିଭିନ୍ନ ସ୍ଥାନୀୟ ପରିଷଦ ପାଇଁ ଅନୁଷ୍ଠିତ ନିର୍ବାଚନରେ ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନ ବିପୁଳ ସମର୍ଥନ ହାସଲ କରିଥିଲା ଏବଂ ଏବେ, ମୋଟ 18ଟିରୁ 17ଟି ପରିଷଦ, ପୂର୍ଣ୍ଣାଙ୍ଗ ଗଣତନ୍ତ୍ର ସ୍ଥାପନ ପାଇଁ ଲଢ଼େଇ କରୁଥିବା ପରିଷଦର ସଦସ୍ୟମାନଙ୍କ ନିୟନ୍ତ୍ରଣରେ ରହିଛି । ଆଲଭିନ ୟେଉଙ୍ଗ କହନ୍ତି ଯେ, ସେମାନଙ୍କ ଅଧିକାର କ୍ଷୁଣ୍ଣ କରୁଥିବା ଜାତୀୟ ନିରାପତ୍ତା ଆଇନକୁ ସ୍ବୀକାର କରିବା ଲାଗି ହଂକଂର ଲୋକେ ମନା କରିଦେଇଛନ୍ତି ଏବଂ ପ୍ରତିଶ୍ରୁତି ମୁତାବକ ମୌଳିକ ଆଇନ ପରିସରଭୁକ୍ତ ଯଥାର୍ଥ ଦାବିଗୁଡ଼ିକୁ ସେମାନେ ଉପସ୍ଥାପନ କରୁଛନ୍ତି । ସେ କହନ୍ତି ଯେ, ଅଧିକାଂଶ ନାଗରିକ ବର୍ଗ ପୃଥକ୍ ହେବା ପାଇଁ ଦାବି କରୁନାହାନ୍ତି, କିନ୍ତୁ ବେଜିଂ ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ କିମ୍ବା ସ୍ବୟଂଶାସନ କ୍ଷମତା ପ୍ରଦାନ ଲାଗି ପ୍ରଦତ୍ତ ପ୍ରତିଶ୍ରୁତି ପାଳନ ପ୍ରତି ସମ୍ମାନ ପ୍ରଦାନ କରୁନାହିଁ । ଆଲଭିନ ଆହୁରି କହିଛନ୍ତି ଯେ, ହଂକଂରେ ମୁହଁ ଖୋଲୁଥିବା ଲୋକେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଅତ୍ୟନ୍ତ ସଂକଟପୂର୍ଣ୍ଣ ସ୍ଥିତିର ସମ୍ମୁଖୀନ ହେବା ଆଶଙ୍କା କରୁଛନ୍ତି ସତ, ତଥାପି ଏହି ‘ନେତାବିହୀନ’ ପ୍ରତିବାଦ ଆନ୍ଦୋଳନ ଅବ୍ୟାହତ ରହିବ । ତାଙ୍କ ସହିତ ଏକ୍ସକ୍ଳୁସିଭ୍ ବାର୍ତ୍ତାଳାପ ।
ପ୍ରଶ୍ନ-ବେଜିଂ କହେ ଯେ, ଜାତୀୟ ନିରାପତ୍ତାକୁ ସୁରକ୍ଷିତ ରଖିବା ଏବଂ ‘ଆତଙ୍କବାଦ ନିୟନ୍ତ୍ରଣ’ କରିବା ଲାଗି ଏହି ନୂତନ ଆଇନର ଆବଶ୍ୟକତା ରହିଛି । ଆପଣ ଏହି ଯୁକ୍ତିକୁ କିଭଳି ଦେଖୁଛନ୍ତି ?
ଆଲ୍ଭିନ ୟେଉଙ୍ଗ: ‘ଗୋଟିଏ ଦେଶ, ଦୁଇଟି ବ୍ୟବସ୍ଥା’ ଅନୁସାରେ ହଂକଂର ନିଜସ୍ବ ନିୟମାବଳୀ ରହିଛି । ଆମ ଶାସନ ବ୍ୟବସ୍ଥା ମୌଳିକ ଆଇନ ଦ୍ବାରା ପରିଚାଳିତ, ଯାହାକି ହଂକଂ ପାଇଁ ଏକ କ୍ଷୁଦ୍ର ସମ୍ବିଧାନ ସଦୃଶ । ଏହି ମୌଳିକ ଆଇନର ଗୋଟିଏ ଧାରାରେ ଆମ ଜାତୀୟ ନିରାପତ୍ତା ସଂପର୍କରେ ଖୁବ୍ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ତାହା ହେଲା, ଜାତୀୟ ନିରାପତ୍ତା ସଂପର୍କରେ ହଂକଂ ସରକାର ନିଜସ୍ବ ବିଧେୟକ ପ୍ରଣୟନ କରିବା ଉଚିତ । ତେଣୁ ଏହା ଆଭ୍ୟନ୍ତରୀଣ ବ୍ୟାପାରର ଅଂଶବିଶେଷ ଏବଂ ହଂକଂର ଅଧିବାସୀମାନଙ୍କ ଦ୍ବାରା ପରିଚାଳିତ ହେବା ଉଚିତ । 2003 ମସିହାରେ ହଂକଂ ସରକାର ଏକ ବିବାଦୀୟ ଜାତୀୟ ନିରାପତ୍ତା ବିଲ୍ ଆଗତ କରିବାକୁ ଚେଷ୍ଟା କରିଥିଲେ ଏବଂ ଏହାକୁ ବିରୋଧ କରି ପ୍ରାୟ ପାଞ୍ଚ ଲକ୍ଷ ଲୋକ ଆନ୍ଦୋଳନ ପାଇଁ ରାସ୍ତାକୁ ବାହାରିଥିଲେ । ତା’ପରଠାରୁ ଆଉ କୌଣସି ସରକାର ଅନୁରୂପ ବିଲ୍ ଆଗତ କରିବାକୁ ସାହସ କରିନାହାନ୍ତି । କାରଣ, ଏହା ଏତେ ଅଧିକ ବିବାଦୀୟ ଯେ ଆପଣ ନିଜେ ନିଜର ଅଧିକାର ସୁରକ୍ଷିତ ରହିଥିବା ସଂପର୍କରେ ସୁନିଶ୍ଟିତ ହେବାକୁ ପଡ଼ିବ ବୋଲି ଆମେ ବୁଝିପାରିଛୁ । ଯେହେତୁ ହଂକଂରେ ଏବେ ସଂପୂର୍ଣ୍ଣ ଗଣତନ୍ତ୍ର ନାହିଁ, ତେଣୁ ଆମେ ଆମ ମୁଖ୍ୟ କାର୍ଯ୍ୟନିର୍ବାହୀ ଚୟନ କରିପାରିବୁ ନାହିଁ ଏବଂ ବିଧାନ ପରିଷଦର କେବଳ ଅଧା ସଦସ୍ୟ ଲୋକଙ୍କ ଦ୍ବାରା ନିର୍ବାଚିତ ହୁଅନ୍ତି । ତେଣୁ ହଂକଂର ଲୋକେ ସଠିକ ଭାବରେ ସୁରକ୍ଷିତ ନୁହନ୍ତି ବୋଲି ଆପଣ ଅନୁମାନ କରିପାରୁଥିବେ । ତେଣୁ ଲୋକେ ଜାତୀୟ ନିରାପତ୍ତା ଆଇନକୁ ଅଗ୍ରାହ୍ୟ କରୁଛନ୍ତି, କାରଣ ତାହା ଆମ ଅଧିକାର ଉଲ୍ଲଂଘନ କରିବାକୁ
ଉଦ୍ଦିଷ୍ଟ । ଗତ ବର୍ଷରୁ ରାଜରାସ୍ତାରେ ଆନ୍ଦୋଳନ ଜାରି ରହିଛି, କାରଣ ଲୋକେ ପ୍ରତ୍ୟର୍ପଣ ବିଲ୍ ବିରୋଧରେ ଲଢ଼େଇ କରୁଛନ୍ତି । ସେବେଠାରୁ ଆମେ ପୋଲିସ ଅତ୍ୟାଚାରର ଶିକାର ହୋଇଆସୁଛୁ ଏବଂ ପୋଲିସର ଦମନଲୀଳା ପ୍ରତି ଆଖି ବୁଜି ଦେବାକୁ ଏହି ସରକାର ସ୍ଥିର କରିଛି ଏବଂ କୌଣସି ପରିଣତି କଥା ଚିନ୍ତା ନକରି ପୋଲିସ ବଳ ପ୍ରତି ସମର୍ଥନକୁ ପ୍ରାଥମିକତା ପ୍ରଦାନ କରୁଛି । କାର୍ଯ୍ୟତଃ ବର୍ତ୍ତମାନ ବେଜିଂ ଗୋଟିଏ କଥା କହୁଛି ଯେ, ମୁଁ ମୌଳିକ ଆଇନକୁ ଖାତିର କରେନାହିଁ, ମୁଁ ଦେଇଥିବା ପ୍ରତିଶ୍ରୁତିକୁ ଖାତିର କରେନାହିଁ, ହଂକଂ ଲୋକଙ୍କ ସହ କୌଣସି ପରାମର୍ଶ ନ କରି ମୁଁ ଏହି ଜାତୀୟ ନିରାପତ୍ତା ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି । ତାହା ବି ଆମ ବିଧାନ ପରିଷଦ ଜରିଆରେ ନୁହେଁ କି ଲୋକଙ୍କୁ ମନା କରିବାର ସୁଯୋଗ ନଦେଇ ।
ପ୍ରଶ୍ନ-ଚୀନ ବାରମ୍ବାର କହୁଛି ଯେ ହଂକଂରେ ଅଶାନ୍ତ ପରିସ୍ଥିତି ପଛରେ “ବିଦେଶୀ ଶକ୍ତି”ମାନଙ୍କର ହାତ ରହିଛି, ଗଣତନ୍ତ୍ର ସପକ୍ଷବାଦୀ ଆନ୍ଦୋଳନକାରୀଙ୍କୁ ଆତଙ୍କବାଦୀ କୁହାଯାଉଛି ଏବଂ ସେମାନଙ୍କୁ ଦଙ୍ଗା ସୃଷ୍ଟିକାରୀ ବୋଲି ବେଜିଂ ବର୍ଣ୍ଣନା କରୁଛି ।
ସବୁ ସ୍ବେଚ୍ଛାଚାରୀ ସରକାର ସମାନ । ସମସ୍ତଙ୍କୁ ଦୋଷ ଦେବା ସେମାନଙ୍କର ମୌଳିକ ଲକ୍ଷଣ । ବିରୋଧୀଙ୍କ ଭଳି, ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସେମାନେ ବିଦେଶୀ ଶକ୍ତି ବୋଲି କହିଲେ । କିନ୍ତୁ ସେମାନେ କୌଣସି ପ୍ରମାଣ ଉପସ୍ଥାପନ କଲେ ନାହିଁ । ବାସ୍ତବରେ, ସେମାନଙ୍କ କୃତକର୍ମରେ ନିଜର ଆତ୍ମ ପ୍ରତିଫଳନ କରାଇବା ଭଳି ସତ୍ସାହସ ସେମାନଙ୍କର ନାହିଁ । ଏ ସରକାର ଯାହା କରିବାରେ ବିଫଳ ହୋଇଛି ତାହା ହେଲା, ହଂକଂ ଲୋକଙ୍କ ଆଖିରେ ଆଖି ମିଳାଇ କହିବ ଯେ, ହଁ ମୁଁ ଭୁଲ କରିଛି, ହଁ ମୋ ଶାସନ ବ୍ୟବସ୍ଥାରେ କିଛି ତ୍ରୁଟି ରହିଛି ଏବଂ ମୁଁ ଏହାକୁ ସୁଧାରି ନେବାକୁ ଯାଉଛି । ତା ବଦଳରେ ସେମାନେ କ’ଣ କରୁଛନ୍ତି ନା ନିଜକୁ ବାଦ ଦେଇ ବାକି ସମସ୍ତଙ୍କ ଆଡ଼କୁ ଆଙ୍ଗୁଠି ଦେଖାଉଛନ୍ତି । ଏଭଳି ପରିଣାମ ଯୋଗୁଁ ଗତ ବର୍ଷ ସେମାନେ ଏକ ବିବାଦୀୟ ବିଲ୍ ଆଗତ କରାଇବାରେ ବିଫଳ ହେଲେ । ଏ ବର୍ଷ ଆହୁରି ଏକ ଖରାପ ବିଲ୍ ଆଣି ସେମାନେ ସେହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କଲେ ।
ପ୍ରଶ୍ନ- ଆନ୍ଦୋଳନକାରୀମାନେ କ’ଣ ସବୁ ଦାବି କରୁଛନ୍ତି ? ସେଥିରେ ଅଲଗା ହୋଇଯିବାକୁ ଦାବି ରହିଛି କି ?
କେତେକ ଲୋକ ତାହା କହୁଛନ୍ତି ସତ, କିନ୍ତୁ ସଂଖ୍ୟାଧିକ ଲୋକେ ତାହା ଚାହୁଁନାହାନ୍ତି । ଗତ ବର୍ଷଠାରୁ ହଂକଂର ଲୋକେ ପାଞ୍ଚଟି ଦାବି କରିଆସୁଛନ୍ତି । ସାର୍ବଜନୀନ ମତାଧିକାର, ଅର୍ଥାତ୍ ଆମ ନିଜ ସରକାରକୁ ନିଜେ ବାଛିବାର ଅଧିକାର । ମୌଳିକ ଆଇନ ପରିସରରେ ସେ ସଂପର୍କିତ ପ୍ରତିଶ୍ରୁତି ଦିଆଯାଇଥିଲା । ଆମେ ଏଠି ଚନ୍ଦ୍ର ମାଗୁନାହୁଁ । ଆମେ ଚାହୁଁଛୁ, ପୋଲିସ ଅତ୍ୟାଚାର ସଂପର୍କରେ ନିରପେକ୍ଷ ତଦନ୍ତ ହେଉ । ତାହା ଅତ୍ୟନ୍ତ ନୈରାଶ୍ୟଜନକ । ଆମେ ଚାହୁଁଛୁ, ଏ ସରକାର ରାଜନୈତିକ ଅଭିଯୋଗ ଭିତ୍ତିରେ ଲୋକଙ୍କ ବିରୋଧରେ ମକଦ୍ଦମା କରିବା ବନ୍ଦ କରୁ । ଏହା ସଂପୂର୍ଣ୍ଣ ଭୁଲ । କାହାରିକୁ ଏ ସବୁ ଦାବି କ’ଣ ଅଯୌକ୍ତିକ ମନେ ହେଉଛି କି ? ନା । ସାମାନ୍ୟତଃ, ଲୋକେ ଏସବୁ ଦାବି କରି ନଥିଲେ ବି ଏକ ମୁକ୍ତ ପୃଥିବୀର ଯେ କୌଣସି ସରକାର ଏସବୁ କରିଥାଆନ୍ତା ।