ଢାକା: ବାଂଲାଦେଶ ରୋହିଙ୍ଗ୍ୟା ମୁସଲିମ ସଂଖ୍ୟାଲଘୁଙ୍କ ଆଉ କୌଣସି ସଦସ୍ୟଙ୍କୁ ଗ୍ରହଣ କରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ କହିଛନ୍ତି । ଦେଶରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଶହ ଶହ ଶରଣାର୍ଥୀ ସମୁଦ୍ରରେ ଫସି ରହିଛନ୍ତି। ମୋମେନ କହିଛନ୍ତି, ‘ଆମେ ସ୍ଥିର କରିଛୁ ଯେ ଆମେ କୌଣସି ନୂତନ ରୋହିଙ୍ଗ୍ୟାଙ୍କୁ ଅନୁମତି ଦେବୁ ନାହିଁ। ଏହା COVID-19 ପରିସ୍ଥିତି ନୁହେଁ ବରଂ ସାଧାରଣ ସମୟରେ ମଧ୍ୟ। ଆମେ ସଂରକ୍ଷିତ ରଖିବାକୁ ଚାହୁଁଥିବା ଅଞ୍ଚଳରେ କୌଣସି ଲୋକଙ୍କୁ ଗ୍ରହଣ କରିବାକୁ ଦେବୁ ନାହିଁ ’।
ବୁଧବାର ଜଣାପଡିଛି ଯେ, ମାଲେସିଆ କର୍ତ୍ତୃପକ୍ଷ ସେମାନଙ୍କୁ ଘଉଡାଇବା ପରେ ଆନୁମାନିକ 500 ରୋହିଙ୍ଗ୍ୟା ମହିଳା, ପୁରୁଷ ଏବଂ ଶିଶୁ ସମତେ ବଙ୍ଗୋପସାଗରରେ ଫସିରହିଛନ୍ତି । ମୋମେନ ସ୍ବୀକାର କରିଛନ୍ତି ଯେ, ସେମାନଙ୍କର ଦୁଇଟି ଡଙ୍ଗା ବିଷୟରେ ଅବଗତ ଥିଲେ କିନ୍ତୁ ସରକାରଙ୍କର ପ୍ରାଥମିକତା ହେଉଛି ଶରଣାର୍ଥୀ କ୍ୟାମ୍ପ ଅଞ୍ଚଳର ସୁରକ୍ଷା, ଯେଉଁଠାରେ ବର୍ତ୍ତମାନ ହଜାର ହଜାର ରୋହିଙ୍ଗ୍ୟା ବାସ କରୁଛନ୍ତି । ସେ କହିଛନ୍ତି, ‘ଏହା ଏକ ଜନଗହଳିପୂର୍ଣ୍ଣ ସ୍ଥାନ। ଯଦି ଜଣେ ସଂକ୍ରମିତ ବ୍ୟକ୍ତି କୌଣସି ପ୍ରକାରେ ଆସନ୍ତି ତେବେ ସେ ସବୁକିଛି ନଷ୍ଟ କରିଦେବେ’।