କ୍ବେଟ୍ଟା: ବାଲୋଚିସ୍ତାନର ସାମାଜିକ କର୍ମୀ ଓ ନିଖୋଜ ଲୋକଙ୍କ ପରିବାରବର୍ଗ କ୍ବେଟ୍ଟାରେ ଦୀର୍ଘ ସପ୍ତାହ ହେବ ଆନ୍ଦୋଳନ କରିଆସୁଛନ୍ତି । ସୋମବାର ଇଦ୍ ଉଲ ଫିତୁର ଅବସରରେ ସେମାନେ କ୍ବେଟ୍ଟା ପ୍ରେସ କ୍ଲବ ବାହାରେ ଧାରଣାରେ ବସିଥିଲେ । ପାକ୍ ସେନା ବିରୋଧରେ ସେମାନେ ଏହି ଆନ୍ଦୋଳନ କରୁଛନ୍ତି ।
ପାକିସ୍ତାନ ସେନା ବାଲୋଚିସ୍ତାନରେ ସରକାର ବିରୋଧୀ ତଥା ବାଲୋଚିସ୍ତାନର ମାନବାଧିକାର କର୍ମୀଙ୍କୁ ଅପହରଣ କରିନେଇ ସିକ୍ରେଟ୍ ସେଲରେ ରଖିଥିବାର ଅଭିଯୋଗ ହୋଇଛି । ଗୁପ୍ତଚର ଅଭିଯୋଗରେ ଏମାନଙ୍କୁ ମିଛରେ ଗିରଫ କରିଛି ପାକ୍ ସେନା । ଅନେକ ଲୋକଙ୍କୁ ଜବରଦସ୍ତ ପାକ୍ ସେନା ଧରିନେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।
ବାଲୋଚ ରିପବ୍ଲିକାନ ପାର୍ଟି ପକ୍ଷରୁ ଏନେଇ ହୋଇଥିବା ଧାରଣାରେ ପାକ୍ ସେନା ବିରୋଧରେ ମାନବାଧିକାର ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ଅଣାଯାଇଥିଲା । ପାର୍ଟିର ସଦସ୍ୟ ଅବଦୁଲ ହକ୍କିମ କହିଥିଲେ ଯେ ଧାରଣାରେ ଥିବା ସମସ୍ତ ଲୋକ ଆତଙ୍କବାଦୀ ନୁହନ୍ତି । ପାକ୍ ସେନା ଏମାନଙ୍କର ବାପା ଓ ଭାଇଙ୍କୁ ଅପହରଣ କରିନେଇଛନ୍ତି । ସରକାରଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ସେ କହିଥିଲେ ।
ଏହି ବିକ୍ଷୋଭରେ ଅନେକ ମହିଳା ଓ ଶିଶୁ ମଧ୍ୟ ସାମିଲ ହୋଇଥିଲେ । ଲଗାତାର 20 ବର୍ଷ ଧରି ବାଲୋଚିସ୍ତାନରେ ପାକିସ୍ତାନ ସେନା ଦମନଲୀଳା ଚଲାଇଛି । ସ୍ଥାନୀୟ ନିରୀହ ଲୋକଙ୍କୁ ହତ୍ୟା କରାଯାଉଛି । ଦୀର୍ଘ ବର୍ଷ ଧରି ଏଠାରୁ ଅନେକ ରାଜନୈତିକ କର୍ମୀ, ବିଶେଷଜ୍ଞ, ସାମ୍ବାଦିକ ଓ ସାଧାରଣ ନାଗରିକ ନିଖୋଜ ଅଛନ୍ତି । ଏମାନଙ୍କୁ ପାକ୍ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ ଅପହରଣ କରିନେଇ ସିକ୍ରେଟ ସେଲରେ ରଖିଥିବାର ଅଭିଯୋଗ ହୋଇଆସୁଛି ।
ନିଜ ଲୋକଙ୍କୁ ଫେରାଇବା ଦାବିରେ ଦୀର୍ଘ ସପ୍ତାହ ଧରି ଏଠାରେ ଆନ୍ଦୋଳନ ଜାରି ରଖିଛନ୍ତି ବାଲୋଚ କର୍ମୀ ଓ ଅପହୃତଙ୍କ ପରିବାରବର୍ଗ । ମୋଟ 3966 ଦିନ ଧରି ସେମାନେ ହଙ୍ଗର ଷ୍ଟ୍ରାଇକ କରୁଥିବା ଜଣାପଡିଛି । ମୋଟ 53 ହଜାର 658 ଲୋକଙ୍କୁ ଏଠାରୁ ଆଇଏସଆଇ ଅପହରଣ କରିଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । 350 ମହିଳା ଓ 200 ଶିଶୁ ଜବରଦସ୍ତ ଅପହରଣ ହୋଇଥିବା ସେମାନେ କହିଛନ୍ତି । ସେହିପରି ପ୍ରାୟ 18 ହଜାର ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ବାଲୋଚିସ୍ତାନ ପାକିସ୍ତାନର ସବୁଠାରୁ ଗରିବ ପ୍ରଦେଶ । ଏଠାରେ ଲୋକେ ଭୋକ, ଗରିବିରେ ପ୍ରାଣ ହରାଇଥାନ୍ତି ।