ଓଡିଶା

odisha

By

Published : Oct 3, 2019, 8:01 PM IST

ETV Bharat / international

ବିଶ୍ବଶକ୍ତି ହେବାରୁ ଆମକୁ କେହି ରୋକି ପାରିବେ ନାହିଁ: ଚୀନ

ବିଶ୍ବଶକ୍ତି ହେବାରୁ ଆମକୁ କେହି ରୋକି ପାରିବେ ନାହିଁ । ଏହା କହିଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ । ଚୀନର ରାଜଧାନୀ ବେଜିଂର ତିଆନମେନ୍ ସ୍କୋୟାର ଠାରେ କମ୍ୟୁନିଷ୍ଟ ଶାସନର 70 ବର୍ଷର ପୂର୍ତ୍ତି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସେ ।

ଡିଜାଇନ ଫଟୋ

ବେଜିଂ: ବିଶ୍ବଶକ୍ତି ହେବାରୁ ଆମକୁ କେହି ରୋକି ପାରିବେ ନାହିଁ । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବ ସମ୍ମୁଖରେ ସମାଜବାଦୀ ଚୀନ ଛିଡା ହୋଇଛି । ଦେଶର ସୁରକ୍ଷା,ସାର୍ବଭୌମତ୍ବ, ବିକାଶ ପାଇଁ ଆମର ସେନାବାହିନୀ ସର୍ବଦା ସତର୍କ । ଅନ୍ତର୍ଜାତୀୟ ସ୍ତରରେ ଶାନ୍ତି ପ୍ରତିଷ୍ଠା ପାଇଁ ଆମେ ସକ୍ଷମ । ଦେଶରେ କମ୍ୟୁନିଷ୍ଟ ଶାସନର 70 ତମ ପୂର୍ତ୍ତି ଅବସର ତିଆନମେନ୍ ସ୍କୋୟାର ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ସାମ୍ପ୍ରତିକ ପରିସ୍ଥିତିରେ ବର୍ତ୍ତମାନ ଆମେରିକା, ଚୀନକୁ ଆନ୍ତର୍ଜାତିକ ମଞ୍ଚରେ ଘେରିବାରେ ଲାଗିଛି । ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଷ୍ଟ୍ର ପରସ୍ପରର ପାରମ୍ପରିକ ପ୍ରତିଦ୍ବନ୍ଦୀ ପାଲଟି ଯାଇଛନ୍ତି । ଏପରିକି ବିଶ୍ବ ରାଜନୀତିରେ ନିଜର କ୍ଷମତା ବିସ୍ତାର ପାଇଁ ଏକବିଂଶ ଶତାବ୍ଦୀରେ କମ୍ୟୁନିଷ୍ଟ ଚୀନ ଏବଂ ପୁ଼ଞ୍ଜିବାଦୀ ଆମେରିକା ପରସ୍ପରର ରଣନୀତି ପ୍ରୟୋଗ କରିବାରେ ଲାଗି ପଡିଛନ୍ତି ।

କେବଳ ଆମେରିକା ନୁହେଁ ନିଜର ନିକଟତମ ପଡୋଶୀଙ୍କ ସହ ବର୍ତ୍ତମାନ ଚୀନର ବିବାଦ ଚାଲିଛି । ଦକ୍ଷିଣ ଚୀନ ସାଗରରେ ଅବସ୍ଥିତ ଥିବା ତାଇୱାନ ଏବଂ ଦକ୍ଷିଣ ଭାଗରେ ମ୍ୟାକମୋହନ ଲାଇନକୁ ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ଅନେକ ଦୃଷ୍ଟିରୁ ପ୍ରଭାବିତ ହୋଇଛି । ନିଜର ପ୍ରତିଦ୍ବନ୍ଦୀଙ୍କୁ ଜବାବ ଦେବାକୁ ଚୀନ ସକ୍ଷମ ବୋଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଜଣାଇ ଦେଇଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ ।

ଚୀନରେ କମ୍ୟୁନିଷ୍ଟ ଶାସନର 70 ବର୍ଷ ପୂର୍ତ୍ତି ଅବସରରେ ରାଜଧାନୀ ବେଜିଂ ସହରର ତିଆନମେନ ସ୍କୋୟାର ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ଚୀନର ରାଷ୍ଟ୍ରପତି । ଏହି ଅବସରରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଚୀନର ସାମରିକ ବାହିନୀ । ଏନେଇ ଆୟୋଜିତ ମିଲିଟାରୀ ପ୍ୟାରେଡରେ 15 ହଜାର ସୈନିକ, 160ଟି ଏୟାରକ୍ରାଫ୍ଟ ଏବଂ 580 ପ୍ରକାରର ସାମରିକ ଉପକରଣ ପ୍ରଦର୍ଶିତ ହୋଇଥିଲା ।

ଏହି ମିଲିଟାରୀ ପ୍ୟାରେଡ ଚୀନ, ଆମେରିକ ଜବାବ ଦେଇ ଜଣାଇ ଦେବାକୁ ଚାହୁଁଛି ଯେ, ସେମାନେ ଏବେ ଏକ ବିକଶିତ ରାଷ୍ଟ୍ର । ପ୍ରତିଦ୍ବନ୍ଦୀଙ୍କ ସମସ୍ତ ପ୍ରକାର ରଣନୀତିକୁ ମାତ ଦେବା କମ୍ୟୁନିଷ୍ଟ ଚୀନ ବର୍ତ୍ତମାନର ପରିସ୍ଥିତିରେ ସକ୍ଷମ । ନିଜର ବିରୋଧିଙ୍କୁ ଜବାବ ଦେବା ପାଇଁ ନିଜର ସାମରିକ ବାହିନୀର ଆଧୁନୀକିକରଣ ଉପରେ ଗୁରୁତ୍ବ ଦେଇଆସୁଛି ଚୀନ । ଏଥିପାଇଁ 1990 ଦଶକ ପରଠାରୁ ପିପୁଲ୍ସ ଲିବରେସନ ଆର୍ମି(ପିଏଲଏ)ର ନବକଳେବର କରିବାରେ ଲାଗି ପଡିଛନ୍ତି ସେଠାକାର କ୍ଷମତାସୀନ ସରକାର । ଏହି କାର୍ଯ୍ୟକୁ ଆସନ୍ତା 2035 ସୁଦ୍ଧା ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବର୍ତ୍ତମାନ ଚୀନର ସାମ୍ରାଜ୍ୟବାଦୀ ନୀତିକୁ ସମଗ୍ର ବିଶ୍ବରେ ପ୍ରସାରିତ କରିବାରେ ଲାଗିପଡିଛି । ଖାସକରି ସାମରିକ କ୍ଷେତ୍ରରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରୁଛି ଚୀନ । ଯାହା ଭାରତ ଭଳି ଦେଶ ପାଇଁ ଭବିଷ୍ୟତରେ ସତର୍କ ଘଣ୍ଟି ହୋଇପାରେ । ଆଗାମୀ ଦିନରେ ଚୀନ ପ୍ରତିଦ୍ବନ୍ଦୀଙ୍କ ସହ ବଡ ଧରଣର ସାମରିକ ସଂଘର୍ଷ ପାଇଁ ପ୍ରସ୍ତୁତ ହେଉଥିବା ତିଆନମେନ୍ ସ୍କୋୟାର ଠାରେ ଆୟୋଜିତ ମିଲିଟାରୀ ପ୍ୟାରେଡରୁ ଜଣାପଡୁଛି ।

ଏହି ପ୍ୟାରେଡରେ ଚୀନ ବିଭିନ୍ନ ଧରଣର ଅତ୍ୟାଧୁନିକ ସାମରିକ ଉପକରଣକୁ ପ୍ରଦର୍ଶିତ କରିଛି । ସକ୍ରିୟ ସାମରିକ ରଣନୀତି ମାଧ୍ୟମରେ ନିଜର ଶକ୍ତି ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରୁଛନ୍ତି ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାର । ଏଥିପାଇଁ ଦ୍ରୁତଗାମୀ, ଅଦୃଶ୍ୟ ଏବଂ ଦୂରଗାମୀ ଅସ୍ତ୍ରଶସ୍ତ୍ରକୁ ବିକଶିତ କରିବାରେ ଲାଗିପଡିଛି ଚୀନ । ଗୁଇନ୍ଦା ସୂଚନା ଏବଂ ସଂଯୁକ୍ତ ମିଲିଟାରୀ ଅପରେସନ ଉପରେ ଧ୍ୟାନ ଦେଉଛି ସେଠାକାର ସାମରିକ ବାହିନୀ ।

ଚୀନ ପକ୍ଷରୁ ବିକଶିତ ହେଉଥିବା ଏକ ଅତ୍ୟାଧୁନିକ ଏବଂ ଦ୍ରୁତଗାମୀ ଅସ୍ତ୍ର ହେଉଛି ଡିଏଫ-17 ହାଇପରସୋନିକ ଗ୍ଲାଇଡ ଭେହିକିଲ(ଏଚଜିଭି) । ଯାହା ଶବ୍ଦ ଠାରୁ ପାଞ୍ଚ ଗୁଣା ଅଧିକ ବେଗରେ ଗତି କରିଥାଏ । ଏହାର ଘଣ୍ଟା ପ୍ରତି ବେଗ 3800 ଏମପିଏଚ । ଏହା ଅଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆମେରିକା ଏବଂ ଏହାର ସହଯୋଗୀଙ୍କ ପାଇଁ ଡିଏଫ-17 ଏଚଜିଭି ଘାତକ ସାବ୍ୟସ୍ତ ହୋଇପାରେ । ଖାସ କରି ପ୍ରଶାନ୍ତ ମହସାଗରରେ ମୁତୟନ ହୋଇଥିବା ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିୟର ପାଇଁ ଏହା ବିପଦଜ୍ଜନକ ।

ସେହିପରି ଅନ୍ୟଏକ ଅସ୍ତ୍ର ହେଉଛି ଡିଏଫ-41 ଆନ୍ତଃମହାଦେଶୀୟ କ୍ଷେପଣାସ୍ତ୍ର(ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ-ଆଇସିବିଏମ)। ଏହାର ପରୀକ୍ଷାମୂଳକ ବ୍ୟବହାର ଆରମ୍ଭ ହୋଇଯାଇଛି । ବିଶ୍ବର ଏକ ପ୍ରମୁଖ ଆଇସିବିଏମ ଭାବେ ଏହା ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । ଥରକେ 10ଟି ଅଣୁ ଅସ୍ତ୍ର ନେବା ପାଇଁ ଏହା ସକ୍ଷମ । ଋଷୀୟ ଆଇସିବିଏମ ଏସଏସ -18 ସତାନକୁ, ଡିଏଫ-41 ମାତ୍ ଦେବାକୁ ସକ୍ଷମ । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରିବ । ଆମେରିକା ପାଖରେ ଏହାର କୌଣସି ବିକଳ୍ପ ନାହିଁ ।

ଚୀନର ଅନ୍ୟ ଏକ ଶକ୍ତିଶାଳୀ ଅସ୍ତ୍ର ହେଉଛି ଗୋଞ୍ଜି-11 ଅଦୃଶ୍ୟ ଆକ୍ରମଣକାରୀ ଡ୍ରୋନ(ଷ୍ଟିଲଥ ଆଟାକ ଡ୍ରୋନ)। ଏହାକୁ ପ୍ରତିହତ କରାଯାଇ ପାରିବ ନାହିଁ । ଏପରି ଧରଣର ଡ୍ରୋନ ସାମରିକ ଦୃଷ୍ଟିକୋଣରୁ ଭାରତର ଉତ୍ତର-ପୂର୍ବ ଭାଗରେ ମହଙ୍ଗା ପଡିପାରେ । କାରଣ ଏଠାରେ ଅବସ୍ଥିତ ଅଞ୍ଚଳର ସାର୍ବଭୌମତ୍ବ ଅନେକ ସମୟରେ ଚୀନର ଉପସ୍ଥିତି କାରଣରୁ ବିପଦପୂର୍ଣ୍ଣ ହୋଇଉଠୁଛି ।

ନିଜ ଶକ୍ତି ବଢାଇବା ଉଦ୍ଦେଶ୍ୟରେ ଚୀନ ପକ୍ଷରୁ ଅନ୍ୟ ଏକ ଡ୍ରୋନ ଯାହାର ନାଁ ହେଉଛି ଡିଆର-8କୁ ବିକଶିତ କରାଯାଉଛି । ଏହାକୁ ଜଳ, ସ୍ଥଳ ଏବଂ ଆକାଶ ବାହିନୀ ଦ୍ବାରା ବ୍ୟବହାର କରାଯିବ । ଏହା ମାଧ୍ୟମରେ ଚୀନର ନିଜ ରକେଟ ଆକ୍ରମଣ କ୍ଷମତାକୁ ବଢାଇବା ଲକ୍ଷ୍ୟରେ ରହିଛି । ଡିଏଫ-17 ଭଳି ଏହା ଆମେରିକା ପାଇଁ ମହଙ୍ଗା ପଡିପାରେ ।

ଏହା ବେଜିଂ ଠାରେ ଆୟୋଜିତ ହୋଇଥିବା ମିଲିଟାରୀ ପ୍ୟାରେଡରେ ଚୀନ ଜେ-20 ଅଦୃଶ୍ୟ ଯୁଦ୍ଧ ବିମାନ(ଷ୍ଟିଲଥ ଫାଇଟର ଜେଟ) ଏବଂ ଏର-6ଏନ ବୋମାବର୍ଷୀ ବିମାନ(ବମ୍ବର), ୱାଇଜେ-18 ସୁପରସୋନିକ ଆଣ୍ଟି ସିପ୍ ମିସାଇଲ, ଡିଏଫ-26 ଆଣ୍ଟି ସିପ୍ ବାଲାଷ୍ଟିକ ମିସାଇଲ ଆଦି ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରକୁ ପ୍ରଦର୍ଶିତ କରିଛି।

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ବର୍ତ୍ତମାନ ବିଶ୍ବ ମାନଚିତ୍ରରେ ଏକ ନୂତନ ଯୁଦ୍ଧକ୍ଷେତ୍ର ଭାବେ ଉଭା ହୋଇଛି । କାରଣ ଏହି ଭୌଗୋଳିକ କ୍ଷେତ୍ରରେ ବେଶ କିଛି ବର୍ଷ ହେବ ମୁହାଁମୁହିଁ ହୋଇ ଆସୁଛନ୍ତି ଉଭୟ ଚୀନ ଏବଂ ଆମେରିକା । ଆଗାମୀ ଦିନରେ ଆମେରିକା ଏବଂ ଏହାର ମିତ୍ର ରାଷ୍ଟ୍ରଙ୍କ ପକ୍ଷରୁ ଆସିବାକୁ ଥିବା ସାମରିକ ସମସ୍ୟାର ସମାଧାନ କରିବାକୁ ଯାଇ ଚୀନ ନିଜର ସେନା ବାହିନୀକୁ ବଳଶାଳୀ କରିବା ସହ ସାମରିକ ଉପକରଣକୁ ବିକଶିତ କରିବାରେ ଲାଗିପଡିଛି ।

ଚୀନ ପକ୍ଷରୁ ରାଜଧାନୀ ବେଜିଂ ସହରର ତିଆନମେନ୍ ସ୍କୋୟାର ଠାରେ ଆୟୋଜିତ ହୋଇଥିବା ମିଲିଟାରୀ ପ୍ୟାରେଡ ମାଧ୍ୟମରେ ଚୀନ କୂଚନୈତିକ ଏବଂ ସାମରିକ ସାମର୍ଥ୍ୟ ସମ୍ପର୍କରେ ବିଶ୍ବ ସମୁଦାୟକୁ ଜଣାଇ ଦେବାକୁ ଚାହୁଁଛି । ଏହା କେବଳ ତା’ର ନିକଟତମ ପ୍ରତିଦ୍ବନ୍ଦୀ ଭାରତ, ତାଇୱାନ କିମ୍ବା ଜାପାନ ପାଇଁ ନୁହେଁ ବିଶ୍ବ ସ୍ତରରେ ବିଭିନ୍ନ ପ୍ରସଙ୍ଗରେ ଚୀନ ସହ ମୁହାଁମୁହିଁ ହେଉଥିବା ଆମେରିକା ଏବଂ ଏହାର ନେତୃତ୍ବାଧିନ ନାଟୋ ରାଷ୍ଟ୍ର ପାଇଁ ଏକ ସତର୍କବାଣୀ ।

ABOUT THE AUTHOR

...view details