ସିଓଲ: ତେଜିବାରେ ଲାଗିଥିବା ଉତ୍ତର-ଦକ୍ଷିଣ କୋରିଆ ବିବାଦ ନିଆଁରେ ଘିଅ ଢାଳିବାରେ ଲାଗିଛନ୍ତି ଦକ୍ଷିଣ କୋରିଆରେ ଥିବା ଉତ୍ତର କୋରିଆର କେତେକ ବିଶ୍ବାସଘାତକ । କିଛି ଦିନର ବିରାମ ପରେ ଏହି ବିଶ୍ବାସଘାତକ ପୁଣି ଉତ୍ତର କୋରିଆରେ ପ୍ୟୋଙ୍ଗ୍ୟାଙ୍ଗ ବିରୋଧୀ ଲିଫ୍ଲେଟ ବାଣ୍ଟିବା ଆରମ୍ବ କରିଛନ୍ତି । ଯାହା ଉତ୍ତର କୋରିଆର ରାଗକୁ ଦ୍ବିଗୁଣିତ କରିଛି ।
ଦକ୍ଷିଣ କୋରିଆରୁ ଏହି ଲିଫ୍ଲେଟ ରାତାରାତି ପଶ୍ଚିମାଞ୍ଚଳର ପଜୁ ସହରରୁ ଉତ୍ତର କୋରିଆ ପଠାଯାଇଥିବା ପୋଲିସ ସୂଚନା ଦେଇଛି । ଏକ ବେଲୁନ ସହାୟତାରେ ଏହି ଲିଫ୍ଲେଟଗୁଡିକୁ ସୀମା ପାର କରାଯାଇଥିବା ସୂଚନା ରହିଛି । ସେପଟେ ଏହି ଘଟଣାକୁ ସ୍ବୀକାର କରିଛନ୍ତି ଉତ୍ତର କୋରିଆ ମୁକ୍ତି ସଂଗ୍ରାମର ମୁଖ୍ୟ ପାର୍କ ସାଙ୍ଗ-ହକ୍ । ପାର୍କ ଅଧିକ ସୂଚନା ଦେଇ କହିଛନ୍ତି କି ଉତ୍ତର କୋରିଆ ବିରୋଧୀ ଲିଫ୍ଲେଟ ପ୍ରସ୍ତୁତିରେ 6 ଜଣ କର୍ମଚାରୀ ସାମିଲ ରହିଥିବା ବେଳେ ସୋମବାର ରାତି 11ଟାରୁ ମଧ୍ୟରାତ୍ରି ସୁଦ୍ଧା ପ୍ରାୟ 5ଲକ୍ଷ ଲିଫ୍ଲେଟକୁ ସୀମା ପାର କରାଯାଇଛି ।