ନୂଆଦିଲ୍ଲୀ: ଚୀନରୁ ସୃଷ୍ଟି ହୋଇଥିବା କୋରୋନା ଭୂତାଣୁ ଜନୀତ ମହାମାରୀ ପରିସ୍ଥିତିକୁ ଏବେ ସାରା ବିଶ୍ଵ ଯୁଝୁଛି। ହେଲେ ଏହି ସମୟରେ ଚୀନ ଦକ୍ଷିଣ ଚୀନ୍ ସାଗରରେ ପୂର୍ବବତ୍ ବିସ୍ତାରବାଦୀ ନୀତିକୁ ଜାରି ରଖି ଆନ୍ତର୍ଜାତୀୟ ସ୍ତରରେ ଧୈର୍ଯ୍ୟ ପରୀକ୍ଷା କରୁଛି। ଏହି ସାଗରରେ ଅନେକ ଦେଶ ସହ ଚୀନର ସୀମା ବିବାଦ ଲାଗି ରହିଛି।
ଏ ଭିତରେ ଭାରତ ସହ ମଧ୍ୟ ଚୀନ ତାହାର ସୀମା ବିବାଦରେ ଲିପ୍ତ ରହିଛି। ଏହି ହେତୁ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲରେ ଦୁଇ ସେନା ମଧ୍ୟରେ ଯୁଦ୍ଧ ହେତୁ ଉଭୟ ପକ୍ଷର ସୈନିକଙ୍କ ମୃତ୍ୟୁ ହୋଇଛି। ୪୫ ବର୍ଷ ପରେ ଏପରି ଏକ ପରିସ୍ଥିତି ସମଗ୍ର ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛି। ଗତ ସପ୍ତାହରେ ଚୀନର ପ୍ୟୁପୁଲ୍ସ ଲିବରେସନ୍ ଆର୍ମି ସେନା ଦକ୍ଷିଣ ଚୀନ୍ ସାଗରରେ ନିଜ ନୌସେନା ବାହିନୀର ସାମରିକ ଅଭ୍ୟାସ ଆରମ୍ଭ କରିଛି। ଏହାଦ୍ଵାରା ସଂଲଗ୍ନ ଦେଶର ଜଳ ଓ ସ୍ଥଳ ଭାଗରେ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।
ଚୀନର ଏହି ଯୁଦ୍ଧାଭ୍ୟାସ ତଥା ନୀତିକୁ ରୋକ୍ ଦେବା ଲାଗି ଆମେରିକା ପାରାସଲ୍ ଦ୍ଵୀପଠାରେ ନିଜର ଯୁଦ୍ଧ ବିମାନ ମୁତୟନ କରିଛି। ଏଥିରେ ତିନୋଟି ଆଣବିକ ଶକ୍ତି ସମ୍ପନ୍ନ ବିମାନ ରହିଛି। ଚୀନର ଏହି ବିସ୍ତାରବାଦୀ ନୀତି ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ସେକ୍ରେଟାରୀ ଅଫ୍ ଷ୍ଟେଟ୍ସ ମାଇକ୍ ପୋମ୍ପିଓ ଜୁଲାଇ ୮ ତାରିଖରେ ସରକାରୀ ବ୍ରାନ ଜାରି କରିଛନ୍ତି। ସେ କହିଛନ୍ତି, ହିମାଳୟର ପାର୍ବତ୍ୟ ଉପତ୍ୟକା ଠାରୁ ଆରମ୍ଭ କରି ଭିଏତ୍ନାମର ନିଜସ୍ଵ ସାଗର ଏବଂ ପୂର୍ବଚୀନ୍ ସାଗର ଏବଂ ଜାପାନ ସୀମାରେ ଥିବା ସେନ୍କାକୁ ଦ୍ଵୀପ ଯାଏ ବେଇଜିଂ ଅନ୍ୟ ଦେଶର ସୀମାରେ ବିବାଦ ସୃଷ୍ଟି କରି ସମ୍ପୃକ୍ତ ଦେଶଗୁଡ଼ିକୁ ଭଡ଼କାଉଛି । ଚୀନର ଏହି ପ୍ରକାର ଉଦ୍ଦେଶ୍ୟକୁ ବିଶ୍ଵ ଆଗକୁ ବଢ଼ିବାକୁ ଦେବା ଉଚିତ ନୁହେଁ କି ଏପରି ବିସ୍ତରବାଦୀ ନୀତିକୁ ବିଶ୍ଵ ଅନୁମତି ଦେବା ଉଚିତ ନୁହେଁ।
ଏହାପରେ ବୁଧବାର ଦିନ ଗ୍ଲୋବାଲ୍ ଟାଇମ୍ସ ଯାହା ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପାତ୍ର ବୋଲି କୁହାଯାଏ ଏବଂ ସର୍ବାଧିକ ପ୍ରଭାବଶାଳୀ ଖବରକାଗଜ ହୋଇଥାଏ, ସେଥିରେ ଚୀନ୍ ଭିତ୍ତିକ ଏକ ଅନୁଶୀଳନ ରିପୋର୍ଟ ପ୍ରକାଶ ପାଇଲା। ଏଥିରେ କୁହାଗଲା ଯେ, ଗଲା ତିନି ହେଲା ଲଗାତାର ଭାବେ ଯୁକ୍ତରାଷ୍ଟ୍ର ଆମେରିକାର ୫ଟି ଯୁଦ୍ଧ ବିମାନ ଦକ୍ଷିଣ ଚୀନର ଗୁଆଙ୍ଗଡଙ୍ଗ ପ୍ରଦେଶ ଉପରେ ଘୁରି ବୁଲୁଛି।
ଯୁକ୍ତରାଷ୍ଟ୍ର ଆମେରିକାର ଏହି ଉସ୍କାଇବା ନୀତିକୁ ଜବାବ ଦେବା ଲାଗି ପିଏଲଏ ଅନେକ କିଛି ପ୍ରତିରୋଧକମୂଳକ ପଦକ୍ଷେପ ନେଇପାରିବ। ଏ ଭିତରେ ଆମେରିକା ଯୁଦ୍ଧ ବିମାନକୁ ଜବାବ ଦେବା ଲାଗି ବେଇଜିଂ ନିଜର ଯୁଦ୍ଧ ବିମାନ ପଠାଇପାରିବ। ସେମାନଙ୍କୁ ଚୀନ ବାୟୁମଣ୍ଡଳୀୟ ସୀମା ଭିତରୁ ବାହାରକୁ କାଢ଼ିବା ଏକ ପ୍ରତିରୋଧକମୂଳକ ପଦକ୍ଷେପ ହେବ ବୋଲି କହି ଗ୍ଲୋବାଲ୍ ଟାଇମ୍ସ ସତର୍କ କରାଇଲା। ଏହାବାଦ୍ ପିଏଲଏ ୟୁଏସ୍ ମିଲିଟାରୀର ଏହି ନୀତିକୁ ଜବାବ ଦେବା ଲାଗି ପଇଁତରା ବି ଦେଇପାରିବ।
ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍ ଥିଙ୍କଟ୍ୟାଙ୍କ୍ରେ ସାମୁଦ୍ରିକ ପର୍ଯ୍ୟବେକ୍ଷଣ ବିଭାଗର ନେତୃତ୍ଵ ନେଉଥିବା ଅଭିଜିତ୍ ସିଂହଙ୍କ ଅନୁସାରେ, ଦକ୍ଷିଣ ଚୀନ ସାଗରକୁ ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧ ଯାହାଜ ପ୍ରେରଣ କରିବା ପଛରେ ଯେଉଁ ବାର୍ତ୍ତା ରହିଛି ତାହାକୁ ବୁଝିବାକୁ ହେବ। ଏହି ବାର୍ତ୍ତା ହେଲା ଚୀନ୍ ଏହି ଅଞ୍ଚଳରେ ଯୁଦ୍ଧ ପ୍ରବଣତାକୁ ବୃଦ୍ଧି ପରିବା ଲାଗି ଉସ୍କାଇବା ପାରିବ ନାହିଁ।
ଗଲା କିଛିଦିନ ହେଲା ଏହି ଅଞ୍ଚଳରେ ଚୀନର ଅଣ ନୌସେନା ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ଏହାଦ୍ଵାରା ସେମାନେ ଅଧିକ ଛଳନା କରିଛନ୍ତି ବୋଲି ସେ କହନ୍ତି। ଏହା ହିଁ ଏକମାତ୍ର କାରଣ ଯେଉଁଥିପାଇଁ ଏସିଆନ୍ ଦେଶଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଜାପାନର ସହାୟତା ମାଗିଛନ୍ତି।
ଜବାହାରଲାଲ୍ ନେହେରୁ ବିଶ୍ଵବିଦ୍ୟାଳୟ ଅନ୍ତର୍ଗତ ସେଣ୍ଟର ଅଫ୍ ଚାଇନିଜ୍ ଓ ସାଉଥ ଏସିଆନ୍ ଷ୍ଟଡିଜ୍ରେ ଚାଇନିଜ୍ ଓ ଚୀନ୍ ଷ୍ଟଡି ବିଭାଗ ପ୍ରଫେସର ବିଆର୍ ଦୀପକଙ୍କ ଅନୁସାରେ, ଏବେ ଚୀନର ଯେଉଁ ବିସ୍ତାରବାଦୀ ନୀତି ଦେଖୁଛନ୍ତି ତାହା ହଠାତ୍ ଉଭା ହୋଇ ନାହିଁ ବରଂ ଏହା ଅନେକ ଦିନ ହେଲା ଚାଲି ଆସୁଛି।
୧୯୭୯ ପରବର୍ତ୍ତୀ ସମୟଠାରୁ ଚୀନର ନୀତି ସଂସ୍କାର ଓ ଆର୍ଥିକ ବିକାଶ ଉପରେ ପର୍ଯ୍ୟବସିତ ଥିଲା। ଏହା ପରେ ୨୦୧୨ଠାରୁ ଯେତେବେଳେ ସି ଜିନ୍ପିଙ୍ଗ୍ ଦେଶର ରାଷ୍ଟ୍ରପତି ହେଲେ, ଏହି ଦେଶ ଅଧିକ ଆତ୍ମ ବିଶ୍ଵାସୀ ହୋଇ ନିଜର ବିସ୍ତାରବାଦୀ ନୀତି ଆରମ୍ଭ କରିଛି।
ସେ ଭାରତ ସହ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ ସୀମା ବିବାଦ ଏବଂ ଦକ୍ଷିଣ ଚୀନ ଦ୍ଵୀପରେ ଏକ ସମାନ୍ତରାଳ ନୀତି ଆରମ୍ଭ କରିଥିଲେ। ସେମାନେ ପ୍ରଥମେ ସୀମନ୍ତ ଅଞ୍ଚଳକୁ ସେମାନଙ୍କର ବୋଲି ଦାବି କହିଲେ, ପରେ ଦାବି କରିଲେ, ଯୁଦ୍ଧ କରିଲେ ଏବଂ ଏହାର ସ୍ଥିତାବସ୍ଥାରେ ଆଘାତ କରିଲେ। ଏହାପରେ ନିଜର ଆନ୍ତର୍ଜାତୀୟ ବଳ ପ୍ରୟୋଗ କରି ସେମାନେ ଏହାକୁ ନିଜ ଦେଶର ଅଂଶ ବିଶେଷ ବୋଲି କହିବାକୁ ଚେଷ୍ଟା କରିଲେ।
କିନ୍ତୁ ଯାହା ଚୀନର ମୁଣ୍ଡବିନ୍ଧା ବଢ଼ାଇଲା ତାହା ହେଲା ଲଦାଖରେ ଦୁଇ ପକ୍ଷ ଭିତରେ ମୁକାବିଲାକୁ ଦେଖି ଦକ୍ଷିଣ ଚୀନ୍ ସାଗରରେ ଭାରତର ସାମୁଦ୍ରିକ ଚଳ ପ୍ରଚଳ ବୃଦ୍ଧି ପାଇବା। ଏହାକୁ ଏକ ଅନ୍ଲାଇନ୍ ଫୋରମ୍ରେ ଘୋଷଣା କରି, ଫିଲିପାଇନ୍ସର ପ୍ରତିରକ୍ଷା ମନ୍ତ୍ରୀ ଡେଲ୍ଫିନ୍ ଲରେଞ୍ଜା କହିଛନ୍ତି, ଦକ୍ଷିଣ ଚୀନ ସାଗରରେ ଅନ୍ୟ ଦେଶର କାର୍ଯ୍ୟକଳାପ ରୋକିବା ବା ସେମାନଙ୍କ ଯାତାୟତକୁ ଆମେ ବନ୍ଦ କରିପାରିବୁ ନାହିଁ। ବ୍ରିଟିଶ୍ ବି ଚୀନ୍ ସାଗର ଦେଇ ଯାଇଥାଆନ୍ତି। ଫ୍ରେଞ୍ଚ ଓ ଅନ୍ୟ ଦେଶ ମଧ୍ୟ। ଆମେ ତ ସେମାନଙ୍କୁ ଆସିବାକୁ ଆମନ୍ତ୍ରଣ କରି ନଥିଲୁ।
ଅର୍ଥାତ୍ ଦକ୍ଷିଣ ଚୀନ ସାଗରରେ ଭାରତର ଉପସ୍ଥିତିକୁ ସ୍ଵାଗତ କରିବା ସହ ଲରେଞ୍ଜା ଚୀନ୍ ପିଏଲଏ ସେନାର ସାମରିକ ଅଭ୍ୟାସ ସମ୍ପର୍କରେ ଉଦ୍ବେଗ ପ୍ରକାଶ କରିଥିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫିଲିଫାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡୁଟେର୍ଟେଙ୍କ ଭିତରେ ଗତ ମାସରେ ହୋଇଥିବା ଟେଲିଫୋନିକ୍ ଆଲୋଚନା ପରେ ଫିଲିପାଇନ୍ସ ଏହି ମନ୍ତବ୍ୟ ରଖିଛି। ଏହି ଟେଲିଫୋନ୍ରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି ଫିଲିପାଇନ୍ସକୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶୀଦାର ଭାବେ ଗ୍ରହଣ କରୁଥିବା କହିଛନ୍ତି। ଜାପାନକୂଳ ଠାରୁ ଆରମ୍ଭ କରି ଆଫ୍ରିକା କୂଳ ଯାଏ ଏହି ମହାସାଗରୀୟ ଅଞ୍ଚଳ ବ୍ୟାପ୍ତ।
ଏହି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ ଯେଉଁପରି ଭାବେ ନିଜର ସାମରିକ ଅଭ୍ୟାସ ଚଳାଇଛି ତାହାକୁ ରୋକ୍ ଦେବା ଲାଗି ଭାରତ ସହ ଆମେରିକା, ଜାପାନ୍ ଓ ଅଷ୍ଟ୍ରେଲିଆ ଏକାଠି ହୋଇ ଏକ ଶକ୍ତି ବିକାଶ କରିଛନ୍ତି। ଶ୍ରୀ ସିଂହଙ୍କ ଅନୁସାରେ ଯଦିଓ ଦକ୍ଷିଣ ଚୀନ ସାଗରରେ ଭାରତର କୌଣସି ପ୍ରତ୍ୟକ୍ଷ ଅଂଶ ନାହିଁ କିନ୍ତୁ ଚୀନର ଯେଉଁ ଅତି ଉଗ୍ର ପ୍ରଚଳନ ସେଠାରେ ଆରମ୍ଭ ହୋଇଛି ତାହାକୁ ନେଇ ନୂଆଦିଲ୍ଲୀ ଉଦ୍ବେଗ ପ୍ରକାଶ କରିଛି।