କାଠମାଣ୍ଡୁ: ପ୍ରାୟ 2 ଦଶନ୍ଧି ପରେ ନେପାଳକୁ ପୁଣି ଫେରିଛନ୍ତି ପଙ୍ଗପାଳ । ନେପାଳ ଅଧିକାରୀମାନେ କହିବା ଅନୁଯାୟୀ ଭାରି ମାତ୍ରାରେ ମରୁଭୂମି ପଙ୍ଗପାଳ ଦେଶରେ ପ୍ରବେଶ କରି ବିଭିନ୍ନ ସ୍ଥାନରେ ଫସଲ କାଟି ନଷ୍ଟ କରିଦେଇଛନ୍ତି । ମୁଖ୍ୟତଃ ଦକ୍ଷିଣ ନେପାଳର ବାରା, ସାରଲାହି, ପାର୍ସା ଓ ରୁପାନ୍ଦେହୀ ଜିଲ୍ଲାମାନଙ୍କରେ ପଙ୍ଗପାଳ ଆତଙ୍କ ସୃଷ୍ଟି କରିଥିବା ଜଣା ପଡିଛି । କୃଷି ମନ୍ତ୍ରଣାଳୟ ମୁଖପାତ୍ର ହରି ବାହାଦୂର କେସି ଏନେଇ ସୂଚନା ଦେଇ କହିଛନ୍ତି କି ବିଶ୍ବରେ ସବୁଠାରୁ କ୍ଷତିକାରକ ପୋକ ପ୍ରଜାତି ହେଉଛି ଏହି ମରୁଭୂମି ପଙ୍ଗପାଳ ।
ପୂର୍ବରୁ 60 ଦେଶରେ ଫସଲ ଧ୍ବଂସ କରିଥିବା ଏହି ପଙ୍ଗପାଳ ନେପାଳ ପାଇଁ କେତେ ବିପଦଜନକ ସେନେଇ ସରକାର କୌଣସି ଆକଳନ କରିନାହାନ୍ତି । ଏନେଇ କେସି କହିଥିଲେ କି ଦେଖାଯାଇଛି ଯେ ପବନର ଦିଗରେ ଏହି ପଙ୍ଗପାଳମାନେ ଗତି କରୁଥାଆନ୍ତି । ଏହା ଅନୁଯାୟୀ ଗତ ଦୁଇ ଦିନ ହେଲ ପଶ୍ଚିମରୁ ଉତ୍ତର ଆଡକୁ ପବନ ବୋହୁଥିବାରୁ ଏହି ଦିଗରେ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ସେ ଏହା ମଧ୍ୟ କହିଛନ୍ତି କି ଭାରତର ବାରାଣାସୀରୁ ଏହି ପଙ୍ଗପାଳମାନେ ନେପାଳ ମୁହାଁ ହୋଇଥାଇପାରନ୍ତି ।