ଓଡିଶା

odisha

By

Published : Aug 18, 2021, 10:12 PM IST

Updated : Aug 18, 2021, 10:18 PM IST

ETV Bharat / international

ଆଫଗାନିସ୍ତାନ ଅସ୍ତିତ୍ବର ଶେଷ ଅଗ୍ନିଶିଖା ‘ଅମରୁଲ୍ଲା ସାଲେହ’

ଭୟ...ଅନିଶ୍ଚିତତା..ଅସ୍ଥିରତା ମଧ୍ୟରେ ଏମିତି ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ଆଫଗାନିସ୍ତାନର ଭବିଷ୍ୟତ । ଆଉ ଏହି ଅନ୍ଧକାର ମଧ୍ୟରେ ଆଫଗାନିସ୍ତାନର ଅସ୍ତିସ୍ବ ବଞ୍ଚାଇ ରଖିବାକୁ ଜଳି ଉଠିଛି ଆଶାର ଦୀପ । ଅଧିକ ପଢନ୍ତୁ...

ଆଫଗାନିସ୍ତାନ ଅସ୍ତିତ୍ବର ଶେଷ ଅଗ୍ନିଶିଖା ଅମରୁଲ୍ଲା ସାଲେହ
ଆଫଗାନିସ୍ତାନ ଅସ୍ତିତ୍ବର ଶେଷ ଅଗ୍ନିଶିଖା ଅମରୁଲ୍ଲା ସାଲେହ

କାବୁଲ:ପାଟି ଖୋଲିଲେ ଗର୍ଜି ଉଠୁଛି ବନ୍ଧୁକ । ନିୟମ ନ ମାନିଲେ ଗୁଳି । ରକ୍ତରେ ଭଜୁଛି ମାଟି । ଆତଙ୍କୀ ବେଶରେ ଶାସକର ଜୁଲମ । ଭୟ...ଅନିଶ୍ଚିତତା..ଅସ୍ଥିରତା ମଧ୍ୟରେ ଏମିତି ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି ଆଫଗାନିସ୍ତାନର ଭବିଷ୍ୟତ । ଆଉ ଏହି ଅନ୍ଧକାର ମଧ୍ୟରେ ଆଫଗାନିସ୍ତାନର ଅସ୍ତିସ୍ବ ବଞ୍ଚାଇ ରଖିବାକୁ ଜଳି ଉଠିଛି ଆଶାର ଦୀପ ।

କାବୁଲ କବଜା ପରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିଛି ତାଲିବାନ । ଅସ୍ତ୍ର ଛାଡି ଆତ୍ମସମର୍ପଣ କରିଛି ଆଫଗାନ ସେନା । ଦେଶ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି । ସଙ୍କଟର ଏହି ଘଡିରେ ଯଦି କିଏ ଏଯାଏଁ ମୁଣ୍ଡ ନୁଆଁଇ ନାହିଁ, ତେବେ ସେ ହେଉଛନ୍ତି ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ଅମରୁଲ୍ଲା ।

ସଂସଦଠୁ ନେଇ ରାଷ୍ଟ୍ରପତି ଭବନ, ଏପରିକି ଅସ୍ତ୍ରଶସ୍ତ୍ର ମଧ୍ୟ ନିଜ କବଜାକୁ ନେଇଯାଇଛି ତାଲିବାନ । ସରକାର ଗଠନ ପାଇଁ ଚାଲିଛି ପ୍ରସ୍ତୁତି । ହେଲେ ଏପଟେ ପଛଘୁଞ୍ଚା ନଦେଇ ଆତଙ୍କୀଙ୍କ ମୁକାବିଲା କରିବାକୁ ଛିଡା ହୋଇଛନ୍ତି ଆଫଗାନିସ୍ତାନର କେୟାରଟେକର ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

ସୋଭିଏତ ସଂଘ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିଲା ଘମାଘୋଟ ଯୁଦ୍ଧ । ଆଉ ସେବେ ଧିରେଧିରେ ଛୋଟରୁ ବଡ ହେଉଥିଲେ ଅମରୁଲ୍ଲା ସାଲେହ । ୧୯୭୨ରେ ପଞ୍ଜଶୀରରେ ଜନ୍ମ ଗ୍ରହଣ କରିଥିବା ଅମରୁଲ୍ଲାଙ୍କ ଲଢୁଆପଣ ଯୁଦ୍ଧକୁ ଦେଖି ଦେଖି ବିତିଛି । ବାଲ୍ୟାବସ୍ଥାରୁ ହିଁ ଅମରୁଲ୍ଲାଙ୍କ ମୁଣ୍ଡ ଉପରୁ ଉଠିଯାଇଥିଲା ବାପାଙ୍କ ହାତ ।

୧୯୮୯ରେ ସୋଭିଏତ ଫୌଜ ଆଫଗାନିସ୍ତାନ ଛାଡି ପଳାଇଥିଲେ । ଏହାପରେ ମଜବୁତ ହୋଇଚାଲିଲା ତାଲିବାନର ଚେର । ସ୍ଥିତି ପରିବର୍ତ୍ତନ ହେବାକୁଲାଗିଲା । ତାଲିବାନ ବିରୋଧରେ ମୁଣ୍ଡ ଟେକି ଛିଡା ହୋଇଥିଲେ ଅମଦ ଶାହ ମହମୁଦଙ୍କ ଭଳି ରାଜନେତା । ଅମରୁଲ୍ଲା ମଧ୍ୟ ନେଇଥିଲେ ମିଲିଟାରୀ ଟ୍ରେନିଂ । ଆଉ ସେବେଠୁ ସେ ଅମଦ ଶାହ ମହମୁଦଙ୍କ ସମ୍ପର୍କରେ ଆସିଥିଲେ । ଏହିଭଳି ତାଲିବାନ ବିରୋଧୀ ଲଢେଇରେ ସାମିଲ ହୋଇଥିଲେ ଅମରୁଲ୍ଲା । କେବେଳ ଏତିକି ନୁହେଁ, ଏହିଠାରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ରାଜନୈକ ଯାତ୍ରା ।

ଆରମ୍ଭରୁ ହିଁ ତାଲିବାନ ବିରୋଧରେ ଲଢିଆସିଛନ୍ତି ଅମରୁଲ୍ଲା । ତାଲିବାନ ଶକ୍ତି ସାମ୍ନାରେ ଯଦିଓ ଅମରୁଲ୍ଲାଙ୍କ ସାହସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ହେଲେ ଏହା କୌଣସି ନୂଆ କଥା ନୁହେଁ । ଅମରୁଲ୍ଲାଙ୍କ ସହ ତାଲିବାନର ଶତ୍ରୁତା ବେଶ ପୁରୁଣା ।

୧୯୯୪ରେ ହୋଇଥିଲା ତାଲିବାନର ଗଠନ । ଏହି ସମୟରେ ତାଲିବାନ ବିରୋଧରେ ଯେଉଁ ମିଲିଟାରୀ ଫ୍ରଣ୍ଟର ଆଫଗାନ ଉତ୍ତର ମେଣ୍ଟ ଗଠନ ହେଲା, ସେଥିରେ ସଦସ୍ୟ ହୋଇଥିଲେ ଅମରୁଲ୍ଲା । ୧୯୯୭ରେ ଅମରୁଲ୍ଲାଙ୍କୁ ତାଜାକିସ୍ତାନର ଆଫଗାନ ଦୂତାବାସରେ ଅନ୍ତରାଷ୍ଟ୍ରୀୟ ମାମଲା ତଦାରଖର ଦାୟିତ୍ବ ଦିଆଯାଇଥିଲା । ଏହିଭଳି ଆରମ୍ଭରୁ ସେ ତାଲିବାନ ବିରୋଧରେ କାର୍ଯ୍ୟ କରିଥିଲେ । ୧୯୯୯ରେ ଅହମଦ ଶାହ ମସୁଦ ଅମରୁଲ୍ଲାଙ୍କୁ ଟ୍ରେନିଂ ପାଇଁ ଆମେରିକା ମିଚିଗାନ ୟୁନିଭର୍ସିଟି ପଠାଏଦେଇଥିଲେ । ଏଠାରୁ ସେ ଅପେରେସନ ସମେତ ଅନ୍ୟ ତମାମ କୌଣଳ ଶିଖିଥିଲେ । ଆଉ ଏକ ଉତ୍କୃଷ୍ଟ ଗୁଇନ୍ଦା ଅଧିକାରୀ ଭାବରେ ସିଦ୍ଧହସ୍ତ ହୋଇଗଲେ ।

ଆମେରିକା ଉପରେ ୨୦୦୧ରେ ଯେବେ ୯/୧୧ ଆକ୍ରମଣ ହେଲା, ସେବେ ଅମରୁଲ୍ଲା ଆମେରିକୀୟ ଗୁଇନ୍ଦା ଏଜେନ୍ସକୁ କରିଥିଲେ ସହାୟତା । ୨୦୦୪ରେ ଇସଲାମିକ ରିପବ୍ଲିକ ଅଫ ଆଫଗାନିସ୍ତାନ ଗଠନ ପରେ ଅମରୁଲ୍ଲା ନ୍ୟାସନାଲ ଡାୟରେକ୍ଟୋରେଟ ଅଫ ସିକ୍ୟୁରିଟି ମୁଖ୍ୟ ହୋଇଯାଇଥିଲେ । ତତ୍କାଳୀନ ରାଷ୍ଟ୍ରପତି ହମିଦ କରଜାଇ ତାଙ୍କୁ ଦେଇଥିଲେ ଏହି ଦାୟିତ୍ବ । ଏହାପରେ ଅମରୁଲ୍ଲା ଓସାମା ବିନ ଲାଡେନକୁ ଖୋଜିବା ପାଇଁ ରଣନୀତିରେ କାର୍ଯ୍ୟ କରିଥିଲେ । ଲାଡେନର ସଠିକ ଠିକଣା ଖୁଲାସା କରିବାର ଶ୍ରେୟ ମଧ୍ୟ ଅମରୁଲ୍ଲାଙ୍କୁ ଯାଏ । ଜଣେ ଇଣ୍ଟେଲିଜେନ୍ସ ଅଧିକାରୀ ଭାବରେ ଅନେକ ସଫଳତା ହାସଲ କରିଛନ୍ତି ଅମରୁଲ୍ଲା ।

ଅମରୁଲ୍ଲାଙ୍କ ଉପରେ ଅନେକ ଥର ଆକ୍ରମଣ ହୋଇଛି । ଜୁଲାଇ ୨୦୧୯ରେ ଆତ୍ମଘାତୀ ଆକ୍ରମଣକାରୀ ଅମରୁଲ୍ଲାଙ୍କ କାର୍ଯ୍ୟାଳୟରେ ପଶିଯାଇଥିଲ ଆଉ ନିଜକୁ ବିସ୍ଫୋରଣ କରିଦେଇଥିଲା । ଏହି ଆକ୍ରମଣରେ ୨୦ ଜଣ ପ୍ରାଣ ହରାଇଥିଲେ । ସାଲେହଙ୍କୁ କୌଣସି କ୍ଷତି ପହଁଞ୍ଚିନଥିଲା । ସେପ୍ଟେମ୍ବର ୨୦୨୦ରେ ଉପରାଷ୍ଟ୍ରପତି ପଦରେ ରହିଥିବା ଅମରୁଲ୍ଲାଙ୍କୁ କରାଯାଇଥିଲା ଟାର୍ଗେଟ । ରାସ୍ତାରେ ଯାଉଥିବାବେଳେ ହୋଇଥିଲା ବିସ୍ଫୋରଣ । ହେଲେ ସୌଭାଗ୍ୟବସତଃ ଏଥିରୁ ବଞ୍ଚିଯାଇଥିଲେ ଅମରୁଲ୍ଲା ।

ଏଥର କିନ୍ତୁ ପରିସ୍ଥିତି ଭୟାବହ । ଦୀର୍ଘ ୨୦ ବର୍ଷ ପୁରୁଣା ଅସ୍ତିତ୍ବକୁ ଫେରିଛି ତାଲିବାନ । ବନ୍ଧକୁ ମୁନରେ ଶାସନ କରିବାକୁ ବ୍ୟଗ୍ର ଅଛନ୍ତି ରକ୍ତମୁଖା ଆତଙ୍କୀ । ଏଭଳିପରିସ୍ଥିତିରେ ଆଫଗାନିସ୍ତାନର ଶେଷ ଆଶା ସାଲେହ କିଭଳି ଏହି ସଙ୍କଟରୁ ଦେଶକୁ ଉଦ୍ଧାର କରୁଛନ୍ତି ତାହା ଆଗାମୀ ସମୟ କହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2021, 10:18 PM IST

ABOUT THE AUTHOR

...view details