କାବୁଲ:ଭୀଷଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛି ଆଫଗାନିସ୍ତାନ । ଆଫଗାନ ଉପରେ ତାଲିବାନର କବଜା ପରେ ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ତାଲିବାନୀଙ୍କ ବର୍ବରତା ସାଙ୍ଗକୁ ଦାରିଦ୍ର୍ୟତା ମଧ୍ୟରେ ଆଉଟୁପାଉଟୁ ହେଉଛନ୍ତି ଦେଶବାସୀ । ପୂର୍ବରୁ ଆଫଗାନସ୍ତାନରୁ ବର୍ବରତାର ଅନେକ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ଜନମାନସକଙ୍କୁ ଆନ୍ଦୋଳିତ ଏବଂ ବିଚଳିତ କରିଛି । ବର୍ତ୍ତମାନ ଦାରିଦ୍ର୍ୟ ଏବଂ କ୍ଷୁଧା ଯନ୍ତ୍ରଣା ଆଫଗାନବାସୀଙ୍କୁ ଏତେ କଲବଲ କରିଛି ଯେ, ଫଳରେ ଏଠାକାର ବହୁ ପରିବାର ଅନିଚ୍ଛା ସତ୍ତ୍ବେ ସାମାନ୍ୟ କିଛି ଟଙ୍କା ଆଶାରେ ନିଜର ନାବାଳିକା ଝିଅଙ୍କ ବିବାହର ସଉଦା କରୁଛନ୍ତି ।
ନିକଟରେ ଜଣେ ବାପା ନିଜ ୯ ବର୍ଷୀୟ ଝିଅକୁ ଆଉ ଜଣଙ୍କୁ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଛି । ଅବଦୁଲ ମଲ୍ଲିକ ନାମକ ବ୍ୟକ୍ତି ନିଜ ଝିଅକୁ ଜଣେ ୫୫ ବର୍ଷୀୟ ବ୍ୟକ୍ତିକୁ ବିକ୍ରି କରିଛି । ଏନେଇ ଅବଦୁଲ କହିଛନ୍ତି, ସେ ପୂର୍ବରୁ ମଧ୍ୟ ନିଜ ୧୨ ବର୍ଷୀୟ ଝିଅକୁ ବିକି ଥିଲେ । କ୍ଷୁଧା ଯନ୍ତ୍ରଣାରେ ଜର୍ଜରିତ ନିଜ ପରିବାରକୁ ବଞ୍ଚାଇବାକୁ ଏବଂ ତାଙ୍କ ପେଟ ପୋଷିବାକୁ ବର୍ତ୍ତମାନ ଆଉ ଜଣେ ଝିଅ ବିକ୍ରି କରିବାକୁ ସେ ବାଧ୍ୟ ହୋଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ଅପମାନବୋଧ, ଲଜ୍ଜା ଏବଂ ଚିନ୍ତାରେ ତାଙ୍କ ମୁଣ୍ଡ ତଳକୁ କରିଦେଇଥିବା ସେ କହିଛନ୍ତି ।