ଆବୁଧାବି:ଆଫଗାନିସ୍ତାନ ଜନସାଧାରଣଙ୍କୁ ମଝି ନଈରେ ଛାଡି ପଳାୟନ କରିଥିବା ପୂର୍ବତନ ରାଷ୍ଟ୍ରପତି ଅସରଫ ଘନିଙ୍କର ମିଳିଛି ଠିକଣା । ନିଜ ପରିବାର ସହ ଆବୁଧାବୀରେ ଅଛନ୍ତି ଅସରଫ ଘନି । ତାଲିବାନ କାବୁଲ କବଜା କରିବା ପରେ ଦେଶ ଛାଡି ପଳାୟନ କରିଥିଲେ ଆଫଗାନିସ୍ତାନ ପୂର୍ବତନ ରାଷ୍ଟ୍ରପତି ।
ଘନି ଆବୁଧାବିରେ ଥିବା ନେଇ ସ୍ପଷ୍ଟ କରିଛନ୍ତି ୟୁଏଇ ବୈଦେଶିକ ମନ୍ତ୍ରଣାଳୟ । ମାନବିକତା ଆଧାରରେ ରାଷ୍ଟ୍ରପତି ଅସରଫ ଘନିଙ୍କର ସ୍ବାଗତ କରିଛି ୟୁଏଇ ।
ରବିବାର ତାଲିବାନ ଆଫଗାନିସ୍ତାର ରାଜଧାନୀ କାବୁଲକୁ ନିଜ କବଜାକୁ ନେବା ପରେ ଇସ୍ତଫା ଦେଶଛାଡି ପଳାଇଥିଲେ ଅସରଫ ଘନି । ପ୍ରଥମେ ଘନି ତାଜାକିସ୍ତାନ ଯିବା କଥା କୁହାଯାଉଥିଲା । ହେଲେ ସେଠାରେ ତାଙ୍କ ବିମାନକୁ ଅବତରଣ କରାଇବାକୁ ଦିଆଯାଇନଥିଲା । ପରେ ଓମାନ ରାସ୍ତାରେ ଘନି ଆମେରିକା ଯିବା ନେଇ ଖାବର ସାମ୍ନାକୁ ଆସିଥିଲା । ହେଲେ ଏବେ ସେ ଆବୁଧାବିରେ ଶରଣ ନେଇଥିବା ଜଣାପଡିଛି ।
ଆଫଗାନିସ୍ତାନରେ ଯେଭଳି ରକ୍ତିପାତ ନହୁଏ, ଏଥିପାଇଁ ଦେଶ ଛାଡିଥିବା ସଫେଇ ଦେଇଛନ୍ତି ଘନି । ହେଲେ ସଙ୍କଟର ଘଡିରେ ଦେଶ ଛାଡିବା ନେଇ ଘନିଙ୍କ ଉପରେ ନାରାଜ ଅଛନ୍ତି ଆଫଗାନବାସୀ ।
ରବିବାର ବନ୍ଧୁକ ମୁନରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ତାଲିବାନ । ଭୟ ଓ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଅସରଫ ଘନି । କେବଳ ସେତିକି ନୁହେଁ, କ୍ଷମତା ହସ୍ତାନ୍ତର ପରେ ଦେଶ ଛାଡି ପଳାଇଥିଲେ ଘନି ।
ଆଫଗାନିସ୍ତାନରେ ଜୀବନ ବଞ୍ଚାଇବାକୁ ସଂଘର୍ଷ ଚାଲିଥିବାବେଳେ ସାଙ୍ଗରେ ୪ଟି କାର, ଗୋଟିଏ ହେଲିକପ୍ଟର ଓ ନଗଦ ଟଙ୍କା ସହିତ ଦେଶ ଛାଡି ପଳାଇଥଇଲେ ଅସରଫ ଘନି । ଶାସନ ପତନ ହେଲା ପରେ ଘନି ଏପରି କରିଥିଲେ । ୪ଟି କାର ଟଙ୍କାରେ ଭର୍ତ୍ତି ହୋଇଥିଲା । କିଛି ଟଙ୍କା ହେଲିକପ୍ଟରରେ ଭର୍ତ୍ତି କରିବାରୁ ଚେଷ୍ଟା କରିଥିଲେ ମାତ୍ର ତାହା ସମ୍ଭବ ହୋଇନଥିଲା ଫଳରେ କିଛି ଟଙ୍କା ରନୱେରେ ଛାଡି ଦେଇଥିବା କହିଥିଲା ଋଷ ଦୂତାବାସ ।