କାବୁଲ:ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନ ଉପରେ କବଜା କରିବା ପରେ କେବଳ ଉତ୍ତରପୂର୍ବ ପ୍ରଦେଶ ପଞ୍ଜଶୀର ତାଲିବାନଙ୍କ କବଳରେ ନାହିଁ । ଏହାକୁ କବଜା କରିବା ପାଇଁ ରକ୍ତମୁଖା ହୋଇ ଆକ୍ରମଣ କରୁଛି ଏହି ସଙ୍ଗଠନ । କବଜା କରିବା ପାଇଁ ଆକ୍ରମଣ କରିବା ସମୟରେ ହୋଇଥିବା ସଂଘର୍ଷରେ ନିହତ ହୋଇଛନ୍ତି ୬୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ । ଏହାସହିତ 1 ହଜାରରୁ ଅଧିକ ତାଲିବାନ ଧରାପଡି ଜୀବନ ବିକଳରେ ଆତ୍ମସମର୍ପଣ କରିଛନ୍ତି ବୋଲି ପ୍ରତିରୋଧ ବାହିନୀର ମୁଖପାତ୍ର ଫାହିମ ଦଷ୍ଟି ଟ୍ବିଟ କରି କହିଛନ୍ତି ।
ପଞ୍ଜଶୀରର ପ୍ରତିରୋଧ ବାହିନୀ ବିରୋଧରେ ତାଲିବାନର ଆକ୍ରମଣ ଗତ ସୋମବାରଠାରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହି ଅଞ୍ଚଳରେ ଲ୍ୟାଣ୍ଡମାଇନ ଥିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଧୀର ହୋଇଥିବା କହିଛନ୍ତି ଫାହିମ । ସେପଟେ ପଞ୍ଜଶୀରରେ ଲଢେଇ ଜାରି ରହିଛି ବୋଲି କହିଛି ତାଲିବାନ । କିନ୍ତୁ ରାଜଧାନୀ ବଜାରକ ଏବଂ ପ୍ରାଦେଶିକ ରାଜ୍ୟପାଳଙ୍କ କମ୍ପାଉଣ୍ଡ ନିକଟ ରାସ୍ତାରେ ଲ୍ୟାଣ୍ଡମାଇନ୍ ଥିବାରୁ ଆକ୍ରମଣ ଧୀର ହୋଇଥିବା ତାଲିବାନ ସୂତ୍ରରୁ ସୂଚନା ମିଳିଛି ।