ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରସିଦ୍ଧି ଲାଭ କରିଛି କମ୍ବୋଡିଆ ରାଷ୍ଟ୍ର । ଏହି ରାଷ୍ଟ୍ରକୁ ଯଦି ଆପଣ କେବେ ବୁଲି ଯିବା ପାଇଁ ଯୋଜନା କରୁଛନ୍ତି ତେବେ ଭୁଲରେ ବି ଛାଡନ୍ତୁ ନାହିଁ ଏହାର ମୁଖ୍ୟ ଆକର୍ଷଣ । କେବଳ ରାଷ୍ଟ୍ର ନୁହେଁ ବରଂ ସାରା ବିଶ୍ବରେ ଏହି ସ୍ଥାନର ରହିଛି ସ୍ବତନ୍ତ୍ର ଖ୍ୟାତି । ବିଶ୍ବର ବୃହତମ ଧାର୍ମିକ ସ୍ମାରକୀର ରେକର୍ଡ ବହନ କରୁଛି ଏହି ଐତିହ୍ୟ ସ୍ଥଳ । ଏହାର ନାମ ହେଉଛି ଅଙ୍ଗକୋର ୱାଟ । କମ୍ବୋଡିଆର ଘଞ୍ଚ ଜଙ୍ଗଲରେ ବିଲୁପ୍ତ ପ୍ରାୟ ଏହି ଅଙ୍ଗକୋର ଗାଁରେ ଆଜି୍ ବି ସାଇତା ହୋଇ ରହିଛି ଏନେକ ପୌରାଣିକ ଗାଥା । କେବଳ ସେତିକି ନୁହେଁ ପ୍ରତ୍ନତାତ୍ତ୍ବିକ ପଥର ମୂର୍ତ୍ତି ଓ କୀର୍ତ୍ତିରାଜି ମଧ୍ୟ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବାରେ ବିଶେଷ ସହାୟକ ।
ଏହି ଗାଁରେ ମନ୍ଦିର କ୍ଷେତ୍ର ପାଇଁ ସ୍ବତନ୍ତ୍ର ଭାବେ ରହିଛି ଶହ ଶହ ଏକରର ଜମି । ଯାହା ନା ଯେ କେବଳ ରାଷ୍ଟ୍ର ବରଂ ସାରା ପୃଥିବୀରେ ସର୍ବାଧିକ ବୋଲି ଆକଳନ ହୋଇସାରିଛି । ତେବେ ଏହି ସ୍ଥାନଟିରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ବେଶ ଚିତାକର୍ଷକ । ତେଣୁ ଯେ କେହି ବି ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବାକୁ ଆସେ ସେ ନିଜକୁ ଏହି ସ୍ଥାନର ସୌନ୍ଦର୍ଯ୍ୟରୁ ମୁକୁଳାଇପାରେ ନାହିଁ । ପ୍ରାଥମିକ ଭାବେ ହିନ୍ଦୁ ମନ୍ଦିର ଭାବେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିର ପରବର୍ତ୍ତୀ ସମୟରେ ବୁଦ୍ଧ ମନ୍ଦିରରେ ପରିଣତ ହୋଇଥିଲା । ଆସନ୍ତୁ ଜାଣିବା ପ୍ରାକୃତି ସୌନ୍ଦର୍ଯ୍ୟ ଓ କଳାକୃତିର ଗନ୍ତାଘର ଏହି ସ୍ଥାନକୁ ନେଇ କିଛି ଅଜଣା କଥା:
ଗ୍ରହର ବୃହତ୍ତମ ଧାର୍ମିକ ସ୍ମାରକୀ ଅଙ୍ଗକୋର ୱାଟ:
ଅଙ୍ଗକୋର ଅଞ୍ଚଳରେ ପ୍ରାୟ 400ଏକର ବା 1.6 ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏଥିପାଇଁ ଏହା ବିଶ୍ବର ବୃହତ୍ତମ ଧାର୍ମିକ ସ୍ମାରକୀ ସ୍ଥଳ ଭାବେ ରେକର୍ଡ ରଖିଛି । 1992ରେ ୟୁନେସ୍କୋର ବିଶ୍ବ ଐତିହ୍ୟ ତାଲିକାରେ ଏହା ସାମିଲ ହୋଇଛି । ଏହି ଐତିହ୍ୟସ୍ଥଳକୁ ସୁରକ୍ଷା ପ୍ରଦାନ ସହ ଏହାର ବିକାଶ ପାଇଁ ଅନ୍ତର୍ଜାତୀୟସ୍ତରରେ ଉଦ୍ୟମ ଜାରି ରହିଛି ।
କମ୍ବୋଡିଆନ ଜାତୀୟ ପତାକାରେ ସ୍ଥାନୀତ ଅଙ୍ଗକୋର ୱାଟ:
1850 ମସିହାରୁ କମ୍ବୋଡିଆର ଜାତୀୟ ପତାକାର କେନ୍ଦ୍ରରେ ସ୍ଥାନୀତ ହୋଇଛି ଅଙ୍ଗକୋର ୱାଟ । ଏହା ଦେଶର ଗର୍ବ ବୋଲି ଏଥିରୁ ସ୍ପଷ୍ଟ ପ୍ରମାଣିତ । କେବଳ ସେତିକି ନୁହେଁ କମ୍ବୋଡିଆନ ନୋଟରେ ମଧ୍ୟ ଅନେକ ଥର ଅଙ୍ଗକୋର ୱାଟକୁ ସ୍ଥାନୀତ କରାଯାଇଥିବା ଦେଖାଯାଇଛି ।
ଖମେର ଭାଷାରେ ଏହାର ଅର୍ଥ ମନ୍ଦିରର ସହର:
କମ୍ବୋଡିଆନ ରାଷ୍ଟ୍ରୀୟ ଭାଷା ଖମେର ଅନୁଯାୟୀ ଅଙ୍ଗକୋର ୱାଟର ଅର୍ଥ ହେଉଛି ମନ୍ଦିରର ସହର । ଅଙ୍ଗକୋରର ଅର୍ଥ ସହର ବା ରାଜଧାନୀ ହୋଇଥିବା ବେଳେ ୱାଟର ଅର୍ଥ ହେଉଛି ମନ୍ଦିର ଭୂମି । ତେବେ ଏହି ସ୍ଥାନଟିର ମୂଳ ନାମ ହେଉଛି ବିଷ୍ଣୁଲୋକ ବା ପରମ ବିଷ୍ଣୁଲୋକ । ସଂସ୍କୃତରେ ଯାହାର ଅର୍ଥ ହେଉଛି ବିଷ୍ଣୁଙ୍କ ନିବାସ ।
ଦୁଇଟି ଧର୍ମ ପ୍ରବର୍ତ୍ତନର ମୁକ ସାକ୍ଷୀ ଅଙ୍ଗକୋର ୱାଟ:
ପ୍ରାଥମିକ ସମୟରେ ଏହି ମନ୍ଦିରଟି ପ୍ରଭୁ ବିଷ୍ଣଙ୍କୁ ସମର୍ପି ହିନ୍ଦୁ ରୀତିନୀତି ଅନୁଯାୟୀ ନିର୍ମାଣ ହୋଇଥିଲା । ପୂର୍ବ ରାଜାଙ୍କ ଶିବ ପୂଜା ନିୟମକୁ ଭଙ୍ଗ କରି ଏହି ମନ୍ଦିରର ନିର୍ମାଣ କରାଯାଇଥିଲା । ଯାହା ଦ୍ବାଦଶ ଶତାବ୍ଦୀର ଅନ୍ତ ଆଡକୁ ବୁଦ୍ଧ ମନ୍ଦିରରେ ପରିଣତ ହୋଇଥିଲା । ଆଜି ବି ଏଠାରେ ପୂଜାର୍ଚ୍ଚନା ଜାରି ରହିଛି ।