ଟୋକିଓ: ଜାପାନରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଶନିବାର ଠାରୁ ଚାଲିଥିବା ଭୀଷଣ ବର୍ଷାରେ ଦେଶରେ ବନ୍ୟା ପରିସ୍ଥିତି ଓ ଭୂସ୍ଖଳନ ଦେଖାଦେଇଛି । ଏଥିରେ ଏବେ ଯାଏଁ 50 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି । ପ୍ରାୟ 12ରୁ ଅଧିକ ଲୋକ ନିଖୋଜ ଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ତେବେ ଉଦ୍ଧାରକାରୀ ଦଳଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ପଶ୍ଚିମ ଜାପାନରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଦେଶର ପାଣିପାଗ ସଂସ୍ଥା ନିଜର ଦ୍ବିତୀୟ ବୃହତ୍ତମ ଏମର୍ଜେନ୍ସି ୱାର୍ଣ୍ଣିଂ ଜାରି କରିଛି । ସାରା ଦେଶରେ ଏହି ବିପଦ ବଢିବାରେ ଲାଗିଛି । ଶତାବ୍ଦୀର ଏହାକୁ ଅନ୍ୟତମ ଭୟଙ୍କର ବନ୍ୟା ବୋଲି କୁହାଯାଉଛି । ଉଦ୍ଧାର କାର୍ଯ୍ୟ ପାଇଁ କୌଣସି ପ୍ରକାର ଡେଡଲାଇନ୍ ସ୍ଥିର ହୋଇନାହିଁ । ତଥାପି ସମୟର ଅଭାବ ଦେଖାଦେଇଛି । ଦଳକୁ ଉଦ୍ଧାର କାର୍ଯ୍ୟ ତ୍ବରାନିତ କରିବାକୁ ପଡିବ । ଶେଷ ଯାଏଁ ଆମେ ଆଶା ହରାଇବୁ ନାହିଁ ବୋଲି ଉଦ୍ଧାରକାରୀ ଦଳର ସଦସ୍ୟ କହିଛନ୍ତି ।
ବର୍ଷା ସହ ବନ୍ୟା ହଠାତ୍ ଆସିଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହୋଇଛି । କୋରୋନା ମୁକାବିଲାରେ ସରକାର ଲାଗିଥିବାବେଳେ ବନ୍ୟା ଚଡକ ପାଇଁ ଆଦୌ ପ୍ରସ୍ତୁତ ନଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟରେ କର୍ମଚାରୀମାନେ ଲାଗିଛନ୍ତି । କୋରୋନା ସଂକ୍ରମଣ ଭୟରେ ମଧ୍ୟ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଏହି କାର୍ଯ୍ୟରେ ଲାଗିଥିବା କର୍ମଚାରୀଙ୍କ ସଂଖ୍ୟା 2 ଗୁଣା କରିଛନ୍ତି । ପୋଲିସ, ଦମକଳ ବାହିନୀ ସମେତ ତଟରକ୍ଷୀ ବାହିନୀ ଏବଂ ସେନାକୁ ମଧ୍ୟ ଏହି କାର୍ଯ୍ୟରେ ମୁତୟନ କରାଯାଇଛି । ମୋଟ୍ 80 ହଜାର ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।