ମସ୍କୋ: ବିଶ୍ବରେ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାବେଳେ ଏହାର ଭ୍ୟାକ୍ସିନ ପ୍ରସ୍ତୁତି ନେଇ ବିଭିନ୍ନ ଦେଶ ଜାରି ରଖିଛନ୍ତି ଚେଷ୍ଟା । ଏମିତିରେ ଋଷ ପ୍ରସ୍ତୁତ କରିଥିବା ପ୍ରତିଷେଧକ ଟୀକା ‘ସ୍ପୁଟନିକ-ଭି’ ସମସ୍ତ କ୍ଲିନିକାଲ ଟ୍ରାଏଲକୁ ସଫଳତାର ସହ ପାର କରିଥିବା ଜଣାପଡିଛି । ଯାହା ବର୍ତ୍ତମାନ ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ଥିବା ଋଷ ସ୍ପଷ୍ଟ କରିଛି । ଏହି ଖବର ପ୍ରକାଶ ହେବା ପରେ ଅଗଣିତ ବିଶ୍ବବାସୀଙ୍କ ମନରେ ଖେଳିଛି ଖୁସିର ଲହରୀ । ପ୍ରତିଷେଧକ ଟୀକା ପ୍ରସ୍ତୁତି ରେସରେ ଏହା ବିଶ୍ବ ପାଇଁ ଏକ ବଡ ଉପଲବ୍ଧି ବୋଲି ସାଧାରଣରେ ପ୍ରକାଶ ପାଇଛି ।
ଏନେଇ ମଙ୍ଗଳବାର ଋଷର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇ କହିଛି କି ସାଧାରଣ ନାଗରିକଙ୍କ ବ୍ୟବହାର ପାଇଁ ବର୍ତ୍ତମାନ ପ୍ରଥମ ବ୍ୟାଚ୍ ଟୀକା ପ୍ରସ୍ତୁତ ହୋଇ ସାରିଛି । ଯାହା ଖୁବ ଶୀଘ୍ର ଋଷିଆର ବିଭିନ୍ନ ପ୍ରାନ୍ତରେ ବଣ୍ଟାଯିବାର ବ୍ୟବସ୍ଥା କରାଯିବ । ତେବେ ଋଷିଆନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଗ୍ୟାମାଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ବାରା ବିକଶିତ ଏହି ପ୍ରତିଷେଧକ ଟୀକାକୁ ଅନ୍ୟ ଶବ୍ଦରେ ଗ୍ୟାମ-କୋଭିଡ-ଭ୍ୟାକର ନାମ ଦିଆଯାଇଛି । ତେବେ ଖୁବ ଶୀଘ୍ର ଏହା ସାଧାରଣ ନାଗରିକଙ୍କ ପାଇଁ ବଣ୍ଟାଯିବା ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।