ଲସ୍ ଏଞ୍ଜେଲେସ: ଲସ୍ ଏଞ୍ଜେଲେସର ଉତ୍ତରାଞ୍ଚଳରେ 53 କିଲୋମିଟର ଦୂରରେ ଥିବା ସାଣ୍ଟା କ୍ଲାରିଟାରେ ଜଙ୍ଗଲରେ ବ୍ୟାପି ଚାଲିଛି ନିଆଁ । ଦ୍ରୁତ ବେଗରେ ଏହି ନିଆଁ ବ୍ୟାପି ଚାଲିଥିବା ବେଳେ ଏହାର ପ୍ରକୋପ ଏତେ ଅଧିକ ରହିଛି କି ସାଧାରଣ ଲୋକେ ଏହାକୁ ସହ୍ୟ କରିପାରୁନାହାନ୍ତି । ଫଳରେ ଆଖପାଖର ଜନବସତି ଖାଲି କରାଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଏଥିସହ ଏହି ଜଙ୍ଗଲ ନିକଟରେ ଥିବା ଏକ ଫ୍ରି ୱେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଜଣା ପଡିଛି ।
ରବିବାର ଅପରାହ୍ନ 4ଟା ବେଳେ ସମ୍ପୃକ୍ତ ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଥିବା ବେଳେ ଧିରେ ଧିରେ ଏହା ବ୍ୟାପିବା ଆରମ୍ଭ ହୋଇଥିଲା । ରବିବାର ରାତି ସୁଦ୍ଧା ପ୍ରାୟ 5 ଏକର ଜମିରେ ଜଙ୍ଗଲ ନଷ୍ଟ ହୋଇସାରିଥିଲା । ହେଲେ ଧିରେ ଧିରେ ନିଆଁ ବ୍ୟାପିବାରେ ଲାଗିଥିବାରୁ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବରେ ପ୍ରାୟ 1100 ଏକର ଜମିରେ ଗଛ ନଷ୍ଟ ହୋଇସାରିଛି । ଏହାର ମୁକାବିଲା ପାଇଁ ପ୍ରାୟ 300 ସୁରକ୍ଷାକର୍ମୀ ନିୟୋଜିତ ରହିଛନ୍ତି । ହେଲେ ନିଆଁ ଲିଭିବା ବଦଳରେ ବଢି ବଢି ଚାଲିଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି ।