ଓଡିଶା

odisha

ETV Bharat / international

ଏହା ପରେ ଡୋନାଲ୍ଡ ଟ୍ରମ୍ପଙ୍କ କ’ଣ ହେବ ? - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ସିନେଟ୍‌ ଦ୍ବାରା ଯଦି ଦୋଷୀସାବ୍ୟସ୍ତ ହୁଅନ୍ତି, ତା’ହେଲେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭବିଷ୍ୟତରେ କୌଣସି ସରକାରୀ କାର୍ଯ୍ୟଭାର ଗ୍ରହଣ ପାଇଁ ଅଯୋଗ୍ୟ ବିବେଚିତ କରାଯିବ କି ନାହିଁ, ତାହା ଉପରେ ଆଇନ ପ୍ରଣେତାମାନେ ପୃଥକ୍‌ ଭୋଟଦାନ କରିପାରନ୍ତି । ଭବିଷ୍ୟତରେ କାର୍ଯ୍ୟଭାର ଗ୍ରହଣ ପାଇଁ ତାଙ୍କ ଉପରେ ନିଷେଧାଦେଶ ଜାରି କରିବା ଲାଗି କେବଳ ସଂଖ୍ୟାଗରିଷ୍ଠ ସିନେଟ୍‌ ସଦସ୍ୟଙ୍କ ସମ୍ମତି ଆବଶ୍ୟକ । କିନ୍ତୁ ଦୋଷୀସାବ୍ୟସ୍ତ କରିବା ଲାଗି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦରକାର ।

ଏହା ପରେ ଡୋନାଲ୍ଡ ଟ୍ରମ୍ପଙ୍କର କ’ଣ ହେବ ?
ଏହା ପରେ ଡୋନାଲ୍ଡ ଟ୍ରମ୍ପଙ୍କର କ’ଣ ହେବ ?

By

Published : Jan 20, 2021, 3:11 PM IST

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସରିଆସୁଥିବା ବେଳେ ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଚଳିତ ପ୍ରଥା ବିରୋଧୀ ଆଭିମୁଖ୍ୟର ଛାପ, କ୍ଷମତା ହସ୍ତାନ୍ତରଣର ସ୍ବାଭାବିକ ଓ ସତର୍କତାର ସହ ରୀତିବଦ୍ଧ ପ୍ରକ୍ରିୟା ଉପରେ ବି ଅନୁଭୂତ ହେଉଛି । ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଦ୍ବିତୀୟ ଥର ପାଇଁ ଆମେରିକା ସଦନରେ ମହାଭିଯୋଗ ଗୃହୀତ ହୋଇସାରିଛି ଏବଂ ଏଣିକି ଏହି ପ୍ରସଙ୍ଗରେ ସିନେଟ୍‌ରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିବା ଲାଗି ବାଚସ୍ପତି ନାନ୍‌ସି ପେଲୋସିଙ୍କୁ ସର୍ବୋତ୍ତମ ଉପାୟ ଖୋଜିବାକୁ ପଡିବ ।

ସିନେଟ୍‌ର ନିୟମାବଳୀ ଅନୁସାରେ ମହାଭିଯୋଗ ପ୍ରସ୍ତାବ ସମ୍ବଳିତ ପତ୍ର ପ୍ରକୋଷ୍ଠରେ ହସ୍ତଗତ ହେବା ସଙ୍ଗେ ସଙ୍ଗେ ଶୁଣାଣି ପ୍ରକ୍ରିୟା ନିଶ୍ଚିତ ରୂପରେ ଆରମ୍ଭ ହେବ । ଗତ ସପ୍ତାହରେ ଟ୍ରମ୍ପଙ୍କ ଉତ୍ତେଜିତ ସମର୍ଥକମାନଙ୍କର ଏକ ଗୋଷ୍ଠୀ କ୍ୟାପିଟୋଲ ଭିତରେ ଜବରଦସ୍ତି ପ୍ରବେଶ କରିବା ପରେ ଏହି ପ୍ରସ୍ତାବ ପତ୍ରରେ ତାଙ୍କ ବିରୋଧରେ “ବିଦ୍ରୋହକୁ ଉସୁକାଇବା” ଅଭିଯୋଗ କରାଯାଇଛି । ତେବେ ଏହି ପ୍ରସ୍ତାବ କେବେ ପହଞ୍ଚାଇ ଦିଆଯିବ ସେ ସମ୍ପର୍କରେ ପେଲୋସି କହିନାହାଁନ୍ତି ।

ଆସନ୍ତା ସପ୍ତାହର ପ୍ରାରମ୍ଭିକ ଭାଗରେ କିମ୍ବା ତା ପୂର୍ବରୁ ଯଦି ଏହାକୁ ସଦନରୁ ସିନେଟ୍‌କୁ ପଠାଯାଏ, ତେବେ, ନିର୍ବାଚିତ ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣର ଉଦ୍‌ଘାଟନୀ ଦିବସ, ଜାନୁଆରୀ 20 ତାରିଖ ଅପରାହ୍ନ 1ଟାରେ ଶୁଣାଣି ଆରମ୍ଭ ହୋଇପାରେ । ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟାହ୍ନରେ ଶପଥଗ୍ରହଣ କରିବେ ।

ବର୍ତ୍ତମାନ ପାଇଁ ଏହା ନିଶ୍ଚିତ ଯେ ଟ୍ରମ୍ପ ରାଷ୍ଟ୍ରପତିଙ୍କ ପଦବୀ ଛାଡି ସାରିବା ପରେ ହିଁ ମହାଭିଯୋଗ ଉପରେ ଶୁଣାଣି ଆରମ୍ଭ ହେବ । କିନ୍ତୁ ଶୁଣାଣି ପ୍ରକ୍ରିୟା କିଭଳି ଆଗକୁ ବଢିବ ଏବଂ ସିନେଟ୍‌ର ରିପବ୍ଲିକାନ୍‌ ସଦସ୍ୟଙ୍କ ମଧ୍ୟରୁ କେହି ଟ୍ରମ୍ପଙ୍କୁ ଦୋଷୀସାବ୍ୟସ୍ତ କରିବା ସପକ୍ଷରେ ଭୋଟ ଦେବେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।

ଭିନ୍ନ ଭିନ୍ନ ଅଭିଯୋଗ, ଭିନ୍ନ ମହାଭିଯୋଗ

ପୂର୍ବରୁ ଅନୁଷ୍ଠିତ ମହାଭିଯୋଗ ଶୁଣାଣି ପ୍ରକ୍ରିୟା ତୁଳନାରେ ଏହି ପ୍ରକ୍ରିୟା ଅନେକ ଦୃଷ୍ଟିରୁ ଭିନ୍ନ ହୋଇପାରେ ।

2019ରେ ଟ୍ରମ୍ପଙ୍କ ବିରୋଧରେ ସଦନରେ ଅଭିଯୋଗ ହୋଇଥିଲା ଯେ ବାଇଡେନଙ୍କ ସଂପର୍କରେ ତଦନ୍ତ କରିବା ଲାଗି ସେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ କହିଥିଲେ । ଦୀର୍ଘ କାଳର ଅନୁସନ୍ଧାନ ପରେ ଏବଂ ବହୁ ସରକାରୀ ଅଧିକାରୀଙ୍କ ଦସ୍ତାବିଜ ଭିତ୍ତିରେ ଏହି ଅଭିଯୋଗ ଆଗତ ହୋଇଥିଲା । ଡେମୋକ୍ରାଟ୍‌ ସଦସ୍ୟମାନେ ସର୍ବସମ୍ମତ ଭାବରେ ଟ୍ରମ୍ପଙ୍କ ଆଚରଣକୁ ସମାଲୋଚନା କରିଥିଲେ ଏବଂ ସେ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି ବୋଲି କହିଥିଲେ ହେଁ ଏହି ଅଭିଯୋଗ ପ୍ରମାଣର ଜଟିଳତାରେ ଛନ୍ଦି ହୋଇଯାଇଥିଲା ।

ଏଥର କିନ୍ତୁ, ତଦନ୍ତର ଆବଶ୍ୟକତା ଖୁବ୍‌ କମ୍‌ ବୋଲି ଡେମୋକ୍ରାଟ୍‌ମାନେ ଅନୁଭବ କରନ୍ତି । କ୍ୟାପିଟୋଲରେ ଅନୁପ୍ରବେଶ ଘଟଣା ଟେଲିଭିଜନରେ ଲାଇଭ୍‌ ପ୍ରସାରିତ ହୋଇଥିଲା ଏବଂ ଏହି ଘଟଣା ସମୟରେ କଂଗ୍ରେସର ଅଧିକାଂଶ ସଦସ୍ୟ ସଂସଦ ଭବନ ପରିସରରେ ଉପସ୍ଥିତ ଥିଲେ । ଯେଉଁ ସିନେଟ୍‌ ସଦସ୍ୟମାନ ସେଠାରେ ବସିଥିବେ ସେମାନେ କେବଳ ପର୍ଯ୍ୟବେକ୍ଷକ ନୁହଁନ୍ତି, ବରଂ ଆମ ଭଳି ସେମାନେ ବି ସେହି ଅପରାଧର ଶିକାର ହୋଇଥିଲେ ।

ସେଦିନର ସେହି ଘଟଣା ପୂର୍ବରୁ, ଆନୁଷ୍ଠାନିକ ଭାବେ ଭୋଟ ଗଣତି ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିବା ସମୟରେ, ଟ୍ରମ୍ପ ତାଙ୍କ ସମର୍ଥକମାନଙ୍କୁ ଭାଷଣ ଦେଇ ନିର୍ବାଚନ ଫଳାଫଳ ବିରୋଧରେ ‘ଉଗ୍ର ଭାବରେ ଲଢ଼େଇ’ କରିବାକୁ କହିଥିଲେ ଏବଂ ଏହା ଟେଲିଭିଜନରେ ପ୍ରସାରିତ ହୋଇଥିଲା ।

ଗତ ଥର ସଦନରେ ମହାଭିଯୋଗ ଶୁଣାଣି ଗୋଷ୍ଠୀର ନେତୃତ୍ବ ନେଇଥିବା ହାଉସ୍‌ ଇଣ୍ଟେଲିଜେନ୍‌ସ କମିଟି ଅଧ୍ୟକ୍ଷ ଆଡାମ ସିଫ୍‌ କହିଥିଲେ ଯେ, କ୍ୟାପିଟୋଲରେ ବିଦ୍ରୋହ ଏକ “ମହାଭିଯୋଗ ଯୋଗ୍ୟ ଅପରାଧ, ଯାହାକି ସ୍ପଷ୍ଟ ଦିବାଲୋକରେ କରାଯାଇଥିଲା ଏବଂ ସାରା ଦେଶ ଯାହାକୁ ଦେଖିଥିଲା ।”

ସେ କହିଥିଲେ ଯେ, “ପରିସ୍ଥିତିର ଗୁରୁତ୍ବ ଏବଂ ଅପରାଧର ପ୍ରକାର ଦୃଷ୍ଟିରୁ ମହାଭିଯୋଗ ବଳରେ ବହିଷ୍କାର ପ୍ରକ୍ରିୟାକୁ ତ୍ବରିତ କରାଯିବା ଆବଶ୍ୟକ ।”

ମହାଭିଯୋଗ ପ୍ରସ୍ତାବ

ଚାରି ପୃଷ୍ଠାର ମହାଭିଯୋଗ ପ୍ରସ୍ତାବରେ କୁହାଯାଇଛି ଯେ ଟ୍ରମ୍ପ “ଯୁକ୍ତରାଷ୍ଟ୍ର ଆମେରିକାର ସୁରକ୍ଷା ଏବଂ ଏହାର ସରକାରୀ ଅନୁଷ୍ଠାନ ପ୍ରତି ଘୋର ବିପଦ ଆଶଙ୍କା ସୃଷ୍ଟି କରିଥିଲେ ।”ଏହି ପ୍ରସ୍ତାବକୁ ରୋଡ୍‌ ଆଇଲ୍ୟାଣ୍ଡର ଡାଭିଡ୍‌ ସିସିଲିନ୍‌, କାଲିଫର୍ଣ୍ଣିଆର ଟେଡ୍‌ ଲିୟୁ ଏବଂ ମ୍ୟାରୀଲ୍ୟାଣ୍ଡର ଜାମି ରାସ୍କିନ୍‌ ପ୍ରମୁଖ ଡେମୋକ୍ରାଟିକ୍‌ ପ୍ରତିନିଧିମାନେ ଆଗତ କରିଥିଲେ ।ପ୍ରସ୍ତାବ ସମ୍ବଳିତ ପତ୍ରରେ କୁହାଯାଇଛି ଯେ, ପୂର୍ବରୁ ନିର୍ବାଚନ ଫଳାଫଳକୁ “ଧାରାଚ୍ୟୁତ କରିବା ଏବଂ ଏଥିରେ ବାଧା ପହଞ୍ଚାଇବା” ପାଇଁ ଟ୍ରମ୍ପଙ୍କ ଉଦ୍ୟମ ସହିତ ତାଙ୍କର ବର୍ତ୍ତମାନ ଆଚରଣ ମେଳ ଖାଉଛି । ଏହି ସନ୍ଦର୍ଭରେ ସେ ନିକଟରେ ଜର୍ଜିଆର ରାଜ୍ୟ ସଚିବଙ୍କୁ ଫୋନ କରି ବାଇଡେନ୍‌ଙ୍କ ପାଖରୁ ନିର୍ବାଚନ ହାରିଯିବା ପରେ ତାଙ୍କ ସପକ୍ଷରେ ଅଧିକ ଭୋଟ ପାଇବାକୁ ଚାହୁଁଛନ୍ତି ବୋଲି କହିଥିବା କଥା ଉଲ୍ଲେଖ କରାଯାଇଛି ।

ବିଭିନ୍ନ ରିପୋର୍ଟ ଅନୁସାରେ, ନିର୍ବାଚନରେ ବ୍ୟାପକ ଜାଲିଆତି ହୋଇଛି ବୋଲି ଟ୍ରମ୍ପ ମିଛରେ ଅଭିଯୋଗ କରିଥିଲେ ଏବଂ ଏହି ଭିତ୍ତିହୀନ ଅଭିଯୋଗକୁ କଂଗ୍ରେସର ରିପବ୍ଲିକାନ୍‌ ପ୍ରତିନିଧି ଏବଂ କ୍ୟାପିଟୋଲ ଆକ୍ରମଣ କରିଥିବା ବିଦ୍ରୋହୀମାନେ ବାରମ୍ବାର ଦୋହରାଇଥିଲେ।

ଆନ୍ଦୋଳନକାରୀମାନେ ଧସେଇ ପଶିବା ବେଳେ ଉଭୟ ସଦନରେ ଆରିଜୋନାର ଭୋଟ ଗଣତି ସଂପର୍କରେ ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଆଗତ ପ୍ରସ୍ତାବ ଉପରେ ବିତର୍କ ହେଉଥିଲା । ନିର୍ବାଚନରେ ବାଇଡେନ୍‌ଙ୍କ ବିଜୟକୁ ପ୍ରମାଣିତ କରିବାର ଏହା ଏକ ପ୍ରକ୍ରିୟା ।

ଉଦ୍‌ଘାଟନୀ ସମୟରେ ସମ୍ଭାବ୍ୟ ହିଂସାକୁ ପ୍ରତିହତ କରିବାର ଉପାୟ

ରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ଗ୍ରହଣ ସଂପର୍କିତ ଉଦ୍‌ଘାଟନୀ ସମାରୋହ ପୂର୍ବରୁ ସମସ୍ତ 50ଟି ରାଜ୍ୟ ଏବଂ ୱାଶିଂଟନରେ ସଶସ୍ତ୍ର ହିଂସା ହୋଇପାରେ ବୋଲି ଆମେରିକାର ଜାତୀୟ ତଦନ୍ତକାରୀ ସଂସ୍ଥା -ଏଫ୍‌ବିଆଇ ସତର୍କ କରାଇ ଦେଇଛି । କ୍ୟାପିଟଲରେ ବିଦ୍ରୋହକୁ ଉସୁକାଇଥିବା ଅଭିଯୋଗରେ ବୁଧବାର ଦିନ ଦ୍ବିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବ ଆଗତ ହେବା ପରେ ଟ୍ରମ୍ପ ତାଙ୍କ ସମର୍ଥକମାନଙ୍କର ହିଂସାତ୍ମକ କାର୍ଯ୍ୟରୁ ନିଜକୁ ଦୂରେଇ ନେଇଛନ୍ତି । ୱାଶିଂଟନ ସମେତ ସାରା ଦେଶରେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଏବଂ ନ୍ୟାସନାଲ ଗାର୍ଡ ସତର୍କ ରହିଥିବା ସମୟରେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ତାଙ୍କର ଶେଷଦିନରେ ଟ୍ରମ୍ପ ଦେଇଥିବା ବାର୍ତ୍ତାକୁ ସତର୍କତାର ସହିତ ଯାଞ୍ଚ କରାଯାଇ ଏଥିରେ ପ୍ରତିବାଦକୁ ପ୍ରୋତ୍ସାହନ ଦେବା ଭଳି କିଛି ଅଛି କି ନାହିଁ ତାହା ସ୍ଥିର କରାଯିବ ।

ପରମ୍ପରା ପାଳନକୁ ଅସ୍ବୀକାର

ବୁଧବାର ଦିନ ସକାଳେ, ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉଦ୍‌ଘାଟନୀ ଆରମ୍ଭ ହେବା ପୂର୍ବରୁ ହିଁ ରାଷ୍ଟ୍ରପତି ଟ୍ରମ୍ପ ୱାଶିଂଟନ ଛାଡି ଫ୍ଲୋରିଡାରେ ତାଙ୍କ ଅବସରକାଳୀନ ଜୀବନ ଆରମ୍ଭ କରିବାକୁ ଯିବେ ।

ପରମ୍ପରା ପାଳନକୁ ଏଡାଇ ଯାଇ କ୍ଷମତା ହସ୍ତାନ୍ତର ଉପଲକ୍ଷେ ଆୟୋଜିତ ଆନୁଷ୍ଠାନିକ ସମାରୋହରେ ଅଂଶଗ୍ରହଣ କରିବାକୁ ଟ୍ରମ୍ପ ମନା କରିଦେଇଛନ୍ତି ଏବଂ ଏହା ପରିବର୍ତ୍ତେ ସେ ମ୍ୟାରୀଲ୍ୟାଣ୍ଡର ‘ଜଏଣ୍ଟ ବେସ୍‌ ଆଣ୍ଡ୍ର୍ୟୁଜ୍‌’ରେ ବିଦାୟକାଳୀନ ସମାରୋହରେ ଭାଗ ନେଇ ‘ଏୟାର୍‌ ଫୋର୍ସ ୱାନ୍‌’ ବିମାନରେ ତାଙ୍କର ଚୂଡ଼ାନ୍ତ ଯାତ୍ରା କରିବାକୁ ସ୍ଥିର କରିଛନ୍ତି । ବାଇଡେନ୍‌ କହିଛନ୍ତି ଯେ, ମହାଭିଯୋଗ ପ୍ରସ୍ତାବର ଶୁଣାଣି ସହିତ ତାଙ୍କ ମନୋନୀତ ବ୍ୟକ୍ତିମାନଙ୍କ ନିଯୁକ୍ତିକୁ ପ୍ରମାଣିତ କରିବା ଏବଂ ପ୍ରାଥମିକତା ଭିତ୍ତିରେ ଆଇନ ପ୍ରଣୟନ କାର୍ଯ୍ୟ ସଂପାଦନ କରିବା ଲାଗି ସିନେଟ୍‌ ଏହାର କାର୍ଯ୍ୟ ସମୟକୁ ବିଭାଜିତ କରିବା ଉଚିତ ।

ସିନେଟ୍‌ ଶୁଣାଣିରେ ଟ୍ରମ୍ପଙ୍କ ସମ୍ଭାବ୍ୟ ଆତ୍ମରକ୍ଷା ଉପାୟ

ସଦନର ମହାଭିଯୋଗ ପ୍ରସ୍ତାବରେ ଗୋଟିଏ ମାତ୍ର ଅଭିଯୋଗ ରହିଛି, ଯାହା କି ଏକ ଆନୁଷ୍ଠାନିକ ଅଭିଯୋଗ । ଏଥିରେ ଟ୍ରମ୍ପ ‘ବିଦ୍ରୋହକୁ ଉସୁକାଇଥିବା’ ଅଭିଯୋଗ କରାଯାଇଛି । କ୍ୟାପିଟୋଲରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ବାରା ଆକ୍ରମଣର କିଛି ସମୟ ପୂର୍ବରୁ ଟ୍ରମ୍ପ ତାଙ୍କର ହଜାର ହଜାର ସମର୍ଥକଙ୍କୁ ଦେଇଥିବା ଭାଷଣ ଉପରେ ଏଥିରେ ଗୁରୁତ୍ବାରୋପ କରାଯାଇଛି ।ଟ୍ରମ୍ପ ହୁଏତ ଯୁକ୍ତି କରିପାରନ୍ତି ଯେ, ତାଙ୍କର ସମସ୍ତ ମନ୍ତବ୍ୟ ତାଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ସମ୍ବଳିତ ଏବଂ ଏହା ସମ୍ବିଧାନର ପ୍ରଥମ ସଂଶୋଧନ ପ୍ରସ୍ତାବ ଦ୍ବାରା ସୁରକ୍ଷିତ ଏବଂ ତାଙ୍କ ସମର୍ଥକମାନଙ୍କୁ “ଲଢ଼ିବା” ପାଇଁ କହିବା ସମୟରେ ସେ ଆକ୍ଷରିକ ଅର୍ଥରେ ହିଂସା କରିବାକୁ ଆହ୍ବାନ ଦେଇ ନଥିଲେ ।

ବୁଧବାର ଦିନ ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣର କିଛି ସମୟ ପରେ ଟ୍ରମ୍ପ ଏକ ଭିଡିଓ ବିବୃତି ଜାରି କରି ଗତ ସପ୍ତାହର ହିଂସାକୁ ନିନ୍ଦା କରିଛନ୍ତି । ଟ୍ରମ୍ପ କହିଛନ୍ତି, “ଆମ ଦେଶରେ ଏବଂ ଆମ ଅଭିଯାନରେ ହିଂସା ଓ ଉପଦ୍ରବ ପାଇଁ ସ୍ଥାନ ନାହିଁ ।”

ଟ୍ରମ୍ପଙ୍କ ଭବିଷ୍ୟତ ଅତି ଅନିଶ୍ଚିତ

ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଭଣ୍ଡୁର କରିବାକୁ ତାଙ୍କ ସମର୍ଥକମାନଙ୍କ ଉଦ୍ୟମ ଯୋଗୁଁ ଆଇନ ପ୍ରଣେତାମାନେ ଏବଂ ସଂସଦର କର୍ମଚାରୀମାନେ ସୁରକ୍ଷିତ ରହିବାକୁ ଉପାୟ ଖୋଜି ବୁଲୁଥିବାର ଦୁଇ ସପ୍ତାହ ପରେ ଏକ ଘୋର ଅନିଶ୍ଚିତ ଭବିଷ୍ୟତକୁ ନେଇ ଟ୍ରମ୍ପ ୱାଶିଂଟନ ଛାଡିବେ । ଏକଦା ରିପବ୍ଲିକାନ୍‌ ପାର୍ଟିର ସବୁଠାରୁ ଶକ୍ତିଶାଳୀ ସ୍ବର ଭାବରେ ଟ୍ରମ୍ପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛାଡିବେ ଏବଂ 2024ରେ ପୁଣି ରାଷ୍ଟ୍ରପତି ପଦ ଦୌଡରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ, କ୍ୟାପିଟୋଲର ଜଣେ ପୋଲିସ ଅଧିକାରୀଙ୍କ ସମେତ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟାଇଥିବା ହିଂସାକାଣ୍ଡ ପ୍ରତି ତାଙ୍କର ପ୍ରତିକ୍ରିୟା ଯୋଗୁଁ ତାଙ୍କ ଦଳର ଅଧିକାଂଶ ସଦସ୍ୟ ହିଁ ତାଙ୍କ ସପକ୍ଷରେ ରହିବାକୁ ଅମଙ୍ଗ ହେଉଛନ୍ତି ।

ଭବିଷ୍ୟତ ଯୋଜନାକୁ ନେଇ ଚିନ୍ତିତ ଏବଂ ହାତଗଣତି ଅନୁଗତ ସହକର୍ମୀଙ୍କ ସହିତ ଏଣିକି ଫ୍ଲୋରିଡାରେ ଟ୍ରମ୍ପଙ୍କ ଦେଖା ମିଳିବ ବୋଲି ଆଶା କରାଯାଉଛି ।

ଏହା ପରେ ସେ କ’ଣ କରିବେ ?

ରାଷ୍ଟ୍ରପତି ପଦବୀରୁ ଅବ୍ୟାହତି ପରେ ଏକ ଅଫିସ୍‌ ସ୍ଥାପନ କରିବେ କି ରାଷ୍ଟ୍ରପତିଙ୍କ ଜୀବନଧାରା ସଂପର୍କରେ ସୂଚନା ଦେଉଥିବା ଏକ ପାଠାଗାର ଖୋଲିବେ, ସେ ସଂପର୍କରେ ଟ୍ରମ୍ପ ଏ ପର୍ଯ୍ୟନ୍ତ କୌଣସି ରୂପରେଖ ପ୍ରସ୍ତୁତ କରିନାହାନ୍ତି । 2024ରେ ପୁଣି ଥରେ ହ୍ବାଇଟ୍‌ ହାଉସ୍‌ ପାଇଁ ଦୌଡ଼ରେ ସାମିଲ ହେବାକୁ ସେ ମନ ବଳାଇଥିଲେ, କିନ୍ତୁ ଆସନ୍ତା ସପ୍ତାହରେ ଟ୍ରମ୍ପଙ୍କ ବିରୋଧରେ ଦ୍ବିତୀୟ ମହାଭିଯୋଗ ଶୁଣାଣି ଆରମ୍ଭ ହେବା ସହିତ ସିନେଟ୍‌ ଏହି ସମ୍ଭାବନାର ସମସ୍ତ ପଥ ଅବରୋଧ କରିଦେବ ।

ଦୋଷୀସାବ୍ୟସ୍ତ ହେଲେ, ଭବିଷ୍ୟତରେ କୌଣସି ସରକାରୀ ପଦବୀ ପାଇଁ ନିର୍ବାଚନରେ ଟ୍ରମ୍ପଙ୍କ ପ୍ରତିଯୋଗିତା ଉପରେ ସିନେଟ୍‌ କଟକଣା ଜାରି କରିପାରେ- ଏମିତି କି ତାଙ୍କ ପେନ୍‌ସନ୍‌ ବି ବନ୍ଦ କରାଇ ଦିଆଯାଇପାରେ ।

ABOUT THE AUTHOR

...view details