ୱାସିଂଟନ: ଚୀନର ଉହାନ ସହରରୁ ବିସ୍ତାରିତ କୋରୋନା ସହ ସମଗ୍ର ବିଶ୍ବ ସଂଘର୍ଷ କରୁଛି। ଏଭଳି ପରିସ୍ଥିତିରେ ଅନେକ ଦେଶ ଏହି ମହାମାରୀ ପାଇଁ ଟିକା ଖୋଜୁଛନ୍ତି। ସାରା ବିଶ୍ବରେ ଥିବା ସମସ୍ତ ଲ୍ୟାବରେ ବୈଜ୍ଞାନିକମାନେ ଯଥାଶୀଘ୍ର ଟିକା ପାଇବା ପାଇଁ ଚେଷ୍ଟା କରୁଛନ୍ତି । ଏହି ସମୟରେ ଆମେରିକାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ଣ୍ଣା କୋରୋନା ଟିକା ତିଆରି କରିବାର ଆଶା ବଢାଇଛି।
ଟିକା ପ୍ରସ୍ତୁତ ପ୍ରକ୍ରିୟାରେ କମ୍ପାନୀ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଅତିକ୍ରମ କରିଛି। କୁହାଯାଉଛି ଯେ କମ୍ପାନୀ ଟିକାକରଣର ହ୍ୟୁମାନ ଟ୍ରାଏଲ ବା ମାନବ ପରୀକ୍ଷା ଆରମ୍ଭ କରିଛି ଓ ମାନବ ପରୀକ୍ଷା ଫଳାଫଳ ଭଲ ମଧ୍ୟ ରହିଛି। ମାନବ କ୍ଲିନିକାଲ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ସକରାତ୍ମକ ହେବା ପରେ ଜୁଲାଇରୁ ଟିକା ପରୀକ୍ଷାର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବ ବୋଲି କମ୍ପାନୀ କହିଛି।ସୂଚନାନୁଯାୟୀ, ଯଦି ତୃତୀୟ ପର୍ଯ୍ୟାୟ ସଫଳ ହୁଏ ତେବେ କମ୍ପାନୀ ଟିକା ଲାଇସେନ୍ସ ପାଇଁ ଆବେଦନ କରିପାରିବ।