ନୂଆଦିଲ୍ଲୀ:ବର୍ତ୍ତମାନ ମହାମାରୀର ପ୍ରାଣଘାତୀ ଲହର ମଧ୍ୟ ଦେଇ ଗତି କରୁଛି ସମଗ୍ର ବିଶ୍ବ । ଶିକ୍ଷାଠୁ ଆରମ୍ଭ କରି ଶିଳ୍ପ ସବୁକିଛି ଉଜୁଡିବାକୁ ବସିଛି । ଏପରି ସ୍ଥଳେ ମହାମାରୀକୁ ମାତ୍ ଦେବାକୁ ସଞ୍ଜିବନୀ ସାଜିଛି ଟିକା । ବିଭିନ୍ନ ରାଷ୍ଟ୍ରଗୁଡିକ ସ୍ବଦେଶୀ ଟିକା ଉତ୍ପାଦନ କରି ଟୀକାକରଣ ଜାରି ରଖିଛନ୍ତି । ସେପଟେ ବିଶ୍ବବ୍ୟାପୀ ଟିକାଦାନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାକୁ ଆଗେଇ ଆସିଛି ଆମେରିକା ।
ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ 92ଟି ରାଷ୍ଟ୍ରକୁ ଟିକା ଯୋଗାଣ ପାଇଁ ବଡ ଘୋଷଣା କରିଛନ୍ତି । ଆମେରିକା ପ୍ରାୟ ଅଧା ବିଲିୟନ ଫାଇଜର ଟିକା କିଣିବ ଏବଂ ନିମ୍ନ ଓ ମଧ୍ୟବିତ୍ତ ଆୟସମ୍ପନ୍ନ ରାଷ୍ଟ୍ରଗୁଡିକ ଫାଇଜର ଟିକା ପ୍ରଦାନ କରିବ । ମୋଟ 500 ମିଲିୟନ ଜୀବନ ରକ୍ଷାକାରୀ ଟିକା କିଣିବା ସହ ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା ଏହାକୁ ସମ୍ପୃକ୍ତ ରାଷ୍ଟ୍ରଗୁଡିକ ଯୋଗାଣ କରିବ । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମେ ପ୍ରାୟ 200 ମିଲିୟନ ଫାଇଜର ଟିକା ଯୋଗାଇବାକୁ ଆମେରିକା ଲକ୍ଷ୍ୟ ରଖିଥିବା ସ୍ପଷ୍ଟ କରିଛି । ତେବେ ଗୋଟିଏ ଦେଶ ଦ୍ବାରା ଟୀକାକରଣର ଏହା ସର୍ବବୃହତ୍ କ୍ରୟ ଏବଂ ଦାନ ।