ୱାଶିଂଟନ: ଆମେରିକାରେ ଆଫ୍ରିକାନ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ତେଜିଥିଲା ଜାତିଆଣ ବିରୋଧୀ ଆନ୍ଦୋଳନ । ଏହି ଆନ୍ଦୋଳନରେ ରାତାରାତି ଅନେକ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶରେ ହୋଇଥିବା କାର୍ଯ୍ୟକଳାପକୁ ଆଇନ ବିରୋଧ ତଥା ବିକ୍ଷାଭକାରୀଙ୍କୁ ବନ୍ଧକ ରଖିବା ବେଆଇନ ବୋଲି ଅଭିଯୋଗ କରିଛନ୍ତି ଆମେରିକୀୟ ରାଜ୍ୟ ଓରିଗନର ଆଟର୍ଣ୍ଣି ଜେନେରାଲ । ଏନେଇ ସେ ସରକାରଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି ।
ଆଟର୍ଣ୍ଣ ଜେନେରାଲ ଏଲ୍ଲେନ ରୋସେନବ୍ଲମ ଶନିବାର ଏନେଇ ମାମଲା ରୁଜୁ କରିଥିଲେ । ଏହା ପୂର୍ବରୁ କିଛି ସରକାରୀ ଅଧିକାରୀଙ୍କୁ ପୋର୍ଟଲ୍ୟାଣ୍ଡ ସହରର ଶାନ୍ତି ବଜାୟ ରଖିବା ପାଇଁ ନିୟୋଜିତ କରାଯାଇଥିଲା । ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ଦେଶରେ ଅହରହ ରାତ୍ରିକାଳୀନ ବିକ୍ଷୋଭ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏପରି ପଦକ୍ଷେପ ନେଇଥିଲେ । ଅଧିକାରୀମାନେ ସହରରେ ନିୟୋଜିତ ହେବା ପରେ ଅନେକ ବିକ୍ଷୋଭକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।