ଆଫଗାନ୍ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ପାଇଁ ଆମେରିକା ସିନେଟରଙ୍କ ଅନୁରୋଧ - US Senators seek emergency refugee
ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ପାଇଁ ବାହାରିଛନ୍ତି ଆମେରିକା ସିନେଟର ସଦସ୍ୟ । ଏଠାରେ ଥିବା ଶିଖ୍ ଓ ହିନ୍ଦୁଙ୍କ ପାଇଁ ସେମାନେ ଚିନ୍ତା ପ୍ରକଟ କରିଛନ୍ତି । ଅଧିକ ପଢନ୍ତୁ..

ୱାଶିଂଟନ: ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ପାଇଁ ବାହାରିଛନ୍ତି ଆମେରିକା ସିନେଟର ସଦସ୍ୟ । ଏଠାରେ ଥିବା ଶିଖ୍ ଓ ହିନ୍ଦୁଙ୍କ ପାଇଁ ସେମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହାସହ ସେମାନଙ୍କ ପାଇଁ ଜରୁରୀକାଳୀନ ଶରଣାର୍ଥୀ ସୁରକ୍ଷାକୁ ଅନୁମତି ଦେବାକୁ ଟ୍ରମ୍ପ ପ୍ରଶାସନକୁ ନିବେଦନ କରିଛନ୍ତି ।
ପ୍ରାୟ 20 ଜଣ ସିନେଟର ଏକ ଚିଠିରେ ଷ୍ଟେଟ୍ ସେକ୍ରେଟାରୀ ମାଇକ୍ ପୋମ୍ପେଓଙ୍କୁ ଏହା ଉପରେ ଲେଖିବା ସହ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଆମେରିକା ଶରଣାର୍ଥୀ ଆଡମିଶନ ପ୍ରୋଗ୍ରାମ ଅଧୀନରେ ସେମାନଙ୍କ ପାଇଁ ବ୍ୟବସ୍ଥା କରିବାକୁ ସିନେଟରମାନେ ନିବେଦନ କରିଛନ୍ତି । ଆଫଗାନିସ୍ତାନରେ ଧାର୍ମିକ ସଂଖ୍ୟାଲଘୁ ନାମରେ ହିନ୍ଦୁ ଓ ଶିଖ୍ ଉତ୍ପୀଡନର ଶିକାର ହେଉଛନ୍ତି । ତାଲିବାନ ଏବଂ ଆଇଏସଆଇଏସ ଖୋରାସନ ପକ୍ଷରୁ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଅନେକ ଯନ୍ତ୍ରଣା ଦିଆଯାଉଛି । ସେମାନଙ୍କ ଉପରେ ଅତ୍ୟାଚାର ମଧ୍ୟ ବୃଦ୍ଧି ପାଉଛି । ସେଥିପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରିବାକୁ ସିନେଟରମାନେ ଚିଠିରେ ଅନୁରୋଧ କରିଛନ୍ତି ।
ଏଥିରେ ଉଲ୍ଲେଖ ରହିଛି ଯେ ଟ୍ରମ୍ପ ପ୍ରଶାସନ ସର୍ବଦା ବିଦେଶ ନୀତିର ପ୍ରାଥମିକତା ଭାବେ ଧାର୍ମିକ ସ୍ବାଧୀନତାକୁ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି । ଆଫଗାନିସ୍ତାନରେ ଏହି ସମ୍ପ୍ରଦାୟ ପ୍ରତି ଆତଙ୍କବାଦୀ ଗ୍ରୁପ ପକ୍ଷରୁ ଅତ୍ୟାଚାରର ମାତ୍ରା ବଢିଚାଲିଛି । ଯେଉଁଥିପାଇଁ ସେଠାରେ ଜରୁରୀକାଳୀନ ସୁରକ୍ଷା ନୀତି ଲାଗୁ କରିବାର ଆବଶ୍ୟକତା ରହିଛି । କୋଭିଡ 19 ପାଇଁ ଆଫଗାନିସ୍ତାନକୁ ପ୍ରଦାନ କରାଯାଉଥିବା ସହାୟତାର ସୁବିଧା ଯେପରି ଏହି ଶିଖ୍ ଓ ହିନ୍ଦୁମାନେ ପାଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ଏଥିରେ ଅନୁରୋଧ କରାଯାଇଛି । ଧାର୍ମିକ ସ୍ବାଧୀନତା ଆଧାରରେ ଏମାନଙ୍କୁ ସୁରକ୍ଷା ଦେବା ପାଇଁ ଚିଠିରେ 20 ଜଣ ସିନେଟର ଦସ୍ତଖତ କରିଛନ୍ତି ।
ସିନେଟରମାନେ କହିଛନ୍ତି ଯେ ଆଫଗାନିସ୍ତାନରେ ଏକଦା ଏମାନଙ୍କ ସଂଖ୍ୟା 2 ଲକ୍ଷ 50 ହଜାର ଥିଲା । ହେଲେ ଏବେ ଏହା 1000 ତଳକୁ ଖସିଆସିଛି । ସେମାନଙ୍କ ଧାର୍ମିକ ପରିଚୟ ପାଇଁ ୟେଲୋ ଆର୍ମ ବ୍ୟାଣ୍ଡ ପିନ୍ଧିବାକୁ ବାଧ୍ୟ କରିଛି ତାଲିବାନ । ସେହିପରି ସେମାନଙ୍କୁ ରୋଜଗାର ମିଳୁନଥିବାବେଳେ ଅନେକ ଲୋକ ବାସହରା ହୋଇଛନ୍ତି । ତାଲିବାନଙ୍କ ପରେ ଏବେ ଏମାନଙ୍କ ଉପରେ ଆଇଏସଆଇଏସ କୋରାସନ ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି ଯାହା ଚିନ୍ତାଜନକ ବୋଲି ସିନେଟରମାନେ ଆଶଙ୍କା ପ୍ରକାଶ କରିଛନ୍ତି ।