ଓ୍ବାଶିଂଟନ: ଆମେରିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା । ଲଗାତାର 3 ଦିନ ଧରି ଦେଶରେ ମୃତ୍ୟୁ ସଂଖ୍ୟା କମିଥିବାବେଳେ, ମଙ୍ଗଳବାର ସଂକ୍ରମଣ ହାର ମଧ୍ୟ କମ ହୋଇଛି, ଯାହାଦ୍ବାରା କିଛି ମାତ୍ରାରେ ଆଶ୍ବସ୍ତି ଲାଭ କରିଛନ୍ତି ଦେଶବାସୀ ।
ତେବେ ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 18 ହଜାର 929ଟି ନୂଆ ପଜିଟିଭ ରିପୋର୍ଟ ହୋଇଛି ଏବଂ 700 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନ ପୂର୍ବରୁ, ଆମେରିକାରେ 19 ହଜାର 790ଟି ନୂଆ ମାମଲା ସାମ୍ନାକୁ ଆସିଥିଲା ଏବଂ 532 ଜଣଙ୍କର ମୃତ୍ୟୁ ଘଟିଥିଲା। ସମଗ୍ର ବିଶ୍ୱରେ ପ୍ରାୟ ଏକ ତୃତୀୟାଂଶ କୋରୋନା ଆକ୍ରାନ୍ତ ଆମେରିକାରେ ରହିଛନ୍ତି । ନ୍ୟୁୟର୍କ, ନ୍ୟୁ ଜର୍ସି, କାଲିଫର୍ନିଆରେ ସର୍ବାଧିକ ସଂଖ୍ୟକ ମାମଲା ଦେଖାଯାଉଛି ।
ୱାର୍ଲ୍ଡମିଟର ଅନୁଯାୟୀ, ବୁଧବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 17 ଲକ୍ଷ 25 ହଜାରକୁ ବୃଦ୍ଧି ପାଇଛି। ଏଥିସହ 98 ହଜାର 875 ଜଣଙ୍କର ମୃତ୍ୟୁ ଘଟିଛି। ତେବେ 4 ଲକ୍ଷ 78 ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରେ ସୁସ୍ଥ ହୋଇଛନ୍ତି ।
ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ’ବ୍ରାଇନ କହିଛନ୍ତି ଯେ, ଚୀନ ସାରା ବିଶ୍ୱରେ ମାରାତ୍ମକ କୋରୋନା ଭାଇରସ ଛାଡିଛି ଏବଂ ବେଜିଂ ଏହାକୁ ବହୁ ପରିମାଣରେ ଲୁଚାଇବାକୁ ଚେଷ୍ଟା କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ବାରମ୍ବାର ସନ୍ଦେହ କରୁଛନ୍ତି ଯେ ଉହାନରେ ପ୍ରଥମେ ଚିହ୍ନଟ ହୋଇଥିବା କୋରୋନା ଭାଇରସ ଚୀନ ଲାବୋରେଟୋରୀରୁ ଆସିଛି।
ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ’ବ୍ରାଇନ କହିଛନ୍ତି ଏହା ଚୀନ ଦ୍ବାରା ପ୍ରସ୍ତୁତ ହୋଇ ସମଗ୍ର ବିଶ୍ବରେ ଏହାକୁ ଛଡା ଯାଇଥିବା ଭାଇରସ । ଏହା ଲୁଚାଯାଇ ଥିଲା ଏବଂ ଦିନେ ଏହା ଏଚବିଓରେ ସେହିପରି ପ୍ରଦର୍ଶିତ କରାଯିବ, ଯେପରି ଚେର୍ନୋବିଲକୁ ପ୍ରଦର୍ଶିତ କରାଯାଇଥିଲା ।