ୱାଶିଂଟନ:ଆମେରିକା ପାଇଁ ଆସନ୍ତା ଆର୍ଥିକ ବର୍ଷରେ ଖର୍ଚ୍ଚ ପାଇଁ ପ୍ରସ୍ତୁତ ହୋଇଛି ପ୍ୟାକେଜ । ଯେଉଁଥିରେ ଶୁକ୍ରବାର ମୋହର ମାରିଛି ଆମେରିକା ସିନେଟ । ତେବେ ଏହି ପ୍ୟାକେଜର ମୂଲ୍ୟ 259.5 ବିଲିୟନ ଡଲାର ରଖାଯାଇଛି । 2021 ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚ ହେବାକୁ ଥିବା ଚାରୋଟି ବିଲକୁ ନେଇ ଏହି ପ୍ୟାକେଜ ପ୍ରସ୍ତୁତ କରାଯାଇଛି । ଏଥିରେ ରାଜ୍ୟ ଓ ବୈଦେଶିକ ବ୍ୟାପାର ପାଇଁ ମଧ୍ୟ ବିଲଙ୍କୁ ସାମିଲ କରାଯାଇଥିବା ଜଣାପଡିଛି ।
ମୁଖ୍ୟତଃ କୃଷି, ଅନ୍ତରୀଣ ବ୍ୟାପାର, ପରିବେଶ ଓ ମିଲିଟାରୀ ନିର୍ମାଣ କାର୍ଯ୍ୟ ବାବଦରେ ଖର୍ଚ୍ଚକୁ ଏହି ପ୍ୟାକେଜରେ ପ୍ରାଧାନ୍ୟ ଦିଆଯାଇଛି । ଏଥିସହ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପାଇଁ ପୁଞ୍ଜି ସଂଗ୍ରହ ଦିଗରେ ମଧ୍ୟ ପ୍ୟାକେଜ କାର୍ଯ୍ୟକାରୀ ହେବ । ପ୍ରକାଶ ଥାଉ କି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ସଂକ୍ରମଣ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନକୁ ଦାୟୀ କହି ଏଥିପ୍ରତି ଫଣ୍ଡିଂକୁ ବନ୍ଦ କରିବା ପାଇଁ ବିଗତ ଦିନରେ ଆହ୍ବାନ ଦେଇଥିଲେ ।
ସେପଟେ ଆମେରିକା ସୀମାରେ ନିଜ ଆଧିପତ୍ୟ ଦର୍ଶାଉଥିବା କାନ୍ଥ ନିର୍ମାଣ ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପାତକାଳୀନ କାରଣ ଦର୍ଶାଇ ଅନେକ ପାଣ୍ଠିରୁ ଅର୍ଥ ଖାଲି କରିଥିଲେ । ଏହି ଖାଲି ପଡିଥିବା ପାଣ୍ଠିକୁ ନୂତନ ପ୍ୟାକେଜରେ ଭରଣା କରିବାକୁ ମନା କରାଯିବା ସହ ସ୍ବତନ୍ତ୍ର ଭାବେ ଏହି ନିର୍ମାଣ କାର୍ଯ୍ୟରେ ଟ୍ରମ୍ପଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ଆର୍ଥିକ ସହାୟତା ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହା କେବଳ ଆପାତକାଳନୀ ଜାତୀୟ ଫଣ୍ଡ ଭାବେ କାର୍ଯ୍ୟକାରୀ ହେବ । କୌଣସି ବ୍ୟକ୍ତିଗତ ସ୍ବାର୍ଥ ସିଦ୍ଧି ପାଇଁ ନୁହେଁ ବୋଲି ମଧ୍ୟ ରୋକଠୋକ ଶୁଣାଇ ଦିଆଯାଇଛି ।
ଏନେଇ ଗୃହର ଆବଣ୍ଟନ କମିଟି ଅଧ୍ୟକ୍ଷା ନୀତା ଲୋୱେ କହିଛନ୍ତି କି ନୂଆ ପ୍ୟାକେଜରେ ଆପାତକାଳୀନ ସ୍ଥିତି ଯଥା କୋରୋନା ମହାମାରୀ ଭଳି ସ୍ଥିତିର ମୁକାବିଲା ଓ ଅର୍ଥନୀତିକୁ ପୁଣି ସୁଧାରିବା ପାଇଁ କିଛି ଆର୍ଥିକ ସହାୟତାକୁ ସାମିଲ କରାଯାଇଛି । ଏଥିସହ ରିଲିଫ ଦିଗକୁ ମଧ୍ୟ ଏଥିରେ ଗୁରୁତ୍ବ ଦିଆଯାଇଛି । ଯାହା ବାସ୍ତବରେ ଅତି ପ୍ରଶଂସନୀୟ ପଦକ୍ଷେପ । ସେପଟେ ଆଗାମୀ ସପ୍ତାହରେ ବଳକା 7ଟି ବିଲକୁ ନେଇ ଅନ୍ୟ ଏକ ପ୍ୟାକେଜ ଆଗତ ହେବ ବୋଲି ସେ ସୂଚନା ଦେଇଛନ୍ତି ।
@IANS