ଓଡିଶା

odisha

ETV Bharat / international

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ହେଉଛି ଚୀନ୍ ସହ ମହା ଶକ୍ତି ମୁକାବିଲାର କେନ୍ଦ୍ରସ୍ଥଳ: ଆମେରିକା ପ୍ରତିରକ୍ଷା ସଚିବ

ଚୀନ୍ ବିଶ୍ବରେ ମହାମାରୀ ସମୟରେ ଛୋଟ ଛୋଟ ଦେଶ ଉପରେ ଅର୍ଥନୈତିକ ଜୋର ଜବରଦସ୍ତି ଏବଂ ସଂକଟ ବେଳର ଫାଇଦା ଉଠାଇ ନିୟମିତ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ଚାଳିଛି। ଏହା ଦର୍ଶାଇ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ଡଃ ମାର୍କ ଟି. ଏସପର ଚୀନର କଡ଼ା ସମାଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

By

Published : Aug 27, 2020, 10:30 PM IST

ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ହେଉଛି ଚୀନ୍ ସହ ମହା ଶକ୍ତି ମୁକାବିଲାର କେନ୍ଦ୍ରସ୍ଥଳ: ଆମେରିକା ପ୍ରତିରକ୍ଷା ସଚିବ
ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ହେଉଛି ଚୀନ୍ ସହ ମହା ଶକ୍ତି ମୁକାବିଲାର କେନ୍ଦ୍ରସ୍ଥଳ: ଆମେରିକା ପ୍ରତିରକ୍ଷା ସଚିବ

ଚୀନ୍ ବିଶ୍ବରେ ମହାମାରୀ ସମୟରେ ଛୋଟ ଛୋଟ ଦେଶ ଉପରେ ଅର୍ଥନୈତିକ ଜୋର ଜବରଦସ୍ତି ଏବଂ ସଂକଟ ବେଳର ଫାଇଦା ଉଠାଇ ନିୟମିତ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରି ଚାଳିଛି। ଏହା ଦର୍ଶାଇ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସଚିବ ଡଃ ମାର୍କ ଟି. ଏସପର ଚୀନର କଡ଼ା ସମାଲୋଚନା କରିଛନ୍ତି। ଡଃ ଏସପର ଆଜି ହୋନୁଲୁଲୁ, ହାୱାଲିଠାରେ ଡିକେଆଇ-ଏପିସିଏସଏସ(ଡାନିଏଲ କେ ଇନୋଇ-ଏସିଆ ପ୍ୟାସିଫିକ୍ ସେଣ୍ଟର ଫର ସିକ୍ୟୁରିଟି ଷ୍ଟଡିଜ୍)ର 25ତମ ବାର୍ଷିକୀ ଅବସରରେ ଏକ ଭର୍ଚୁଆଲ ସମାରୋହରେ ଦେଇଥିବା ଉଦଘାଟନୀ ଭାଷଣରେ ଏହା କହିଛନ୍ତି। ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରତିରକ୍ଷା ପ୍ରସଙ୍ଗଗୁଡ଼ିକ ଉପରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଆସୁଥିବା ଶହେରୁ ଅଧିକ ରାଷ୍ଟ୍ରର ସାମରିକ ଏବଂ ବେସାମରିକ ସୁରକ୍ଷା ବିଶାରଦଙ୍କୁ ନେଇ ମତ ବିନିମୟ ସକାଶେ 1995ରେ ଆମେରିକା ପ୍ରତିରକ୍ଷା ବିଭାଗ ଅଧିନରେ ଡିକେଆଇ-ଏପିସିଏସଏସ ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା।

‘ଏକ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ’ ଶୀର୍ଷକ ଆଲୋଚନାରେ ଭାଗ ନେଇ ଏସପର କହିଛନ୍ତି ଯେ, “ଆମର ସହଯୋଗୀ ଏବଂ ମିତ୍ର ରାଷ୍ଟ୍ରଗୁଡିକ ମଧ୍ୟରେ ମଜବୁତ ସଂପର୍କ ଓ ଯୋଗାଯୋଗ ରହିଥିବାରୁ ଏହା ଆମର ପ୍ରତିଦ୍ବନ୍ଦ୍ବୀ ଚୀନକୁ ନିୟନ୍ତ୍ରଣରେ ରଖିପାରିଛି। ଚୀନ୍ ନିଜର ସ୍ବାର୍ଥ ହାସଲ ପାଇଁ ଅନ୍ୟମାନଙ୍କୁ ବଳି ଦେବାକୁ ବସିଛି।” 2018ରେ ଜାରି ହୋଇଥିବା ଜାତୀୟ ପ୍ରତିରକ୍ଷା ରଣନୀତି ନିୟମାବଳୀ ଅନୁଯାୟୀ ଆମେରିକା ତାହାର ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମରେ 50 ପ୍ରତିଶତ ଚାଇନା ସମ୍ପର୍କରେ ଗୁରୁତ୍ବ ଦେବାକୁ ନିର୍ଦେଶ ଦେଇଥିଲା। ଏଥିରେ ପିପୁଲସ ରିପବ୍ଲିକ ଚୀନ୍ ସମ୍ପର୍କରେ ଅନେକ ତଥ୍ୟ ରହିଛି।

“ଚୀନ୍ କମ୍ୟୁନିଷ୍ଟ ପାର୍ଟି ନେତୃତ୍ବରେ ବେଜିଂ ବାରମ୍ବାର ତାହାର ପ୍ରତିଶ୍ରୁତି ପାଳନରୁ ଦୂରେଇ ରହୁଛି। ପ୍ରଥମତଃ ଅନ୍ତର୍ଜାତୀୟ ବାଣିଜ୍ୟ ବ୍ୟବସ୍ଥା ଏବଂ ମୁକ୍ତ ବଜାରର ଫାଇଦା ଉଠାଇବା ସତ୍ତ୍ବେ ଅନ୍ତର୍ଜାତୀୟ ଆଇନକାନୁନ ପାଳନ କରୁନାହିଁ। ଦ୍ବିତୀୟରେ ହଂକଂର ସ୍ବତନ୍ତ୍ରତାକୁ ସମ୍ମାନ ଦେବା ଏବଂ ଦକ୍ଷିଣ ଚୀନ ସାଗର ଅଞ୍ଚଳରେ ସମରସଜ୍ଜା ନ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ସମେତ ବିଶ୍ବ ସମୁଦାୟକୁ ଆଇନଗତ ଯେଉଁସବୁ ସମ୍ମାନ ଦେବା କଥା ତାହା ଚୀନ ରକ୍ଷା କରୁନାହିଁ” ବୋଲି ଡଃ ଏସପର କହିଛନ୍ତି। “ କେବଳ ନିଜ କଥା ଭାବୁଥିବା ବେଜିଂ ତାହାର ଆଚରଣ ଯୋଗୁଁ କେବଳ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରୁ ଏକଘରକିଆ ହୋଇ ରହିନାହିଁ, ବିଶ୍ବର ସବୁଠି ଥିବା ଆମର ସମଭାବାପନ୍ନ ସହଯୋଗୀ ଚୀନ କମ୍ୟୁନିଷ୍ଟ ପାର୍ଟି (ସିପିପି) ନିୟମିତ ଭାବେ ଆଇନ ଉଲ୍ଲଂଘନ କରୁଥିବା ଦେଖି ସାରିଲେଣି। ମୁକ୍ତ ବଜାର ଅର୍ଥନୀତିରୁ ଚୀନ୍ ସମେତ ଛୋଟ ବଡ଼ ସବୁ ରାଷ୍ଟ୍ର ଲାଭବାନ ହେଉଥିବା ବେଳେ ଚୀନ୍ ଋଣଗ୍ରସ୍ତ ରାଷ୍ଟ୍ରର ଅର୍ଥନୀତି ଉପରେ ଦାଦାଗିରି ଏବଂ ମନ୍ଦ ଉଦ୍ଦେଶ୍ୟ ରଖି ଅନ୍ୟାନ୍ୟ କାର୍ଯ୍ୟକଳାପ ଜରିଆରେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଛି” ବୋଲି ସେ କହିଛନ୍ତି।

ଚୀନର ସେନାବାହିନୀ ପିଏଲଏ(ପିପୁଲସ ଲିବରେସନ ଆର୍ମି) ମଧ୍ୟ ଦେଶ କିମ୍ବା ଦେଶର ସମ୍ବିଧାନ ପାଇଁ କାମ ନକରି ବରଂ ଏକ ରାଜନୈତିକ ସତ୍ତା ସକାଶେ କାମ କରୁଛି ବୋଲି ଟ୍ରମ୍ପ ପ୍ରଶାସନର ପ୍ରମୁଖ ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଅଧିକନ୍ତୁ ଅସ୍ଥିରତା ସୃଷ୍ଟି କରିବା ନେଇ ଚୀନ୍ ଯେଭଳି ପଦକ୍ଷେପ ନେଉଛି ତାହା ରାଜନୀତି ଏବଂ ଅର୍ଥନୈତିକ କ୍ଷେତ୍ରକୁ ଅଧିକ ବିନାଶ ଆଡ଼କୁ ନେଉଛି। ଚୀନର ବିସ୍ତାରବାଦୀ ଏଜେଣ୍ଡାକୁ ଆଗେଇ ନେବା ପାଇଁ ପିଏଲଏକୁ ବିଶ୍ବସ୍ତରୀୟ ସେନା ବାହିନୀରେ ପରିଣତ କରିବା ପାଇଁ ବ୍ୟାପକ ଭାବେ ଆଧୁନିକୀକରଣ ଯୋଜନା ହାତକୁ ନେଇଛି। ଏହାର ପ୍ରମାଣ ଏବଂ ପିଏଲଏର ଉତ୍ତେଜନାମୂଳକ ଆଚରଣ ଦକ୍ଷିଣ ଏବଂ ପୂର୍ବ ଚୀନ୍ ସାଗରରେ ଏବଂ ଅନ୍ୟତ୍ର ଯେଉଁଠି ଚୀନ୍ ସରକାରଙ୍କ ସ୍ବାର୍ଥ ରହିଛି ସେଠାରେ ଦେଖିବାକୁ ମିଳିଛି ବୋଲି ପ୍ରତିରକ୍ଷା ସଚିବ କହିଛନ୍ତି।

ମୋଟ ଜିଡିପିର 60 ପ୍ରତିଶତରୁ ଅଧିକ ଭାରତ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ରରୁ ଆସିଥାଏ ଏବଂ ଏହି ଅଞ୍ଚଳରେ ପରମାଣୁ ଶକ୍ତି ସଂପନ୍ନ 6ଟି ରାଷ୍ଟ୍ର ରହିଛନ୍ତି । ଏଥିସହିତ ବିଶ୍ବର 10ଟି ବୃହତ୍ ସେନା ମଧ୍ୟରୁ 7ଟି ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳର ବୋଲି ଡଃ ଏସପର ଉଲ୍ଲେଖ କରିଛନ୍ତି। “ଚୀନ୍ ସହ ଶକ୍ତି ମୁକାବିଲାରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ମୁଖ୍ୟ କେନ୍ଦ୍ର ସ୍ଥଳ ବା ଏପିସେଣ୍ଟର” ବୋଲି ସେ କହିଛନ୍ତି। ସେଠାରେ ଆମେରିକା ଏବଂ ତାହାର ସହଯୋଗୀ, ମିତ୍ର ଏବଂ କ୍ଷୁଦ୍ର ରାଷ୍ଟ୍ରଗୁଡିକ ମଧ୍ୟରେ ଅତି ନିକଟରୁ ସମନ୍ବୟ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ଚୀନର ଅଶୋଭନୀୟ ଆଚରଣ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଡଃ ଏସପର ଭାରତ ସହ ଆମେରିକାର ସମ୍ପର୍କକୁ ଏକବିଂଶ ଶତାବ୍ଦୀ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି। “ ଚୀନ୍ ସହ ଉତ୍ତେଜନା ସମ୍ପର୍କରେ ଭାରତର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ମୋର ବହୁବାର କଥାବାର୍ତ୍ତା ହୋଇଛି, ଖୁବ୍ ନିକଟରେ ବି ମୁଁ ଆଲୋଚନା କରିଛି। କୋରୋନା ଭୂତାଣୁ ସଂକ୍ରମଣ ସମୟରେ ଚୀନ୍ କିପରି ଏଥିରୁ ଫାଇଦା ନେବାକୁ ବସିଛି ଏହା ହେଉଛି ତାହାର ଏକ ଉଦାହରଣ। ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାବଳୀରୁ ଚୀନ୍ସୁ ବିଧା ନେବାରେ ବ୍ୟସ୍ତ। ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ୍ ଏପରି ପ୍ରଦର୍ଶନର ଆବଶ୍ୟକତା ନଥିଲା। ତେବେ ଉଭୟ ପକ୍ଷ ସେନା ପ୍ରତ୍ୟାହାର ପାଇଁ ଆଲୋଚନା କରୁଛନ୍ତି। ଆମେ ଏହାକୁ ଉତ୍ସାହିତ କରୁଛି। ଇତିମଧ୍ୟରେ ଭାରତ ସହିତ ସମ୍ପର୍କ ଅଧିକ ସୁଦୃଢ କରିବାକୁ ଆମେ ଉଦ୍ୟମ ଜାରି ରଖିଛୁ” ବୋଲି ସେ କହିଛନ୍ତି। ଆଗାମୀ କିଛି ସପ୍ତାହରେ ଭାରତ ଓ ଆମେରିକା ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ 2+2 ସ୍ତରୀୟ ପରବର୍ତ୍ତୀ ପର୍ଯ୍ୟାୟରେ ଭର୍ଚୁଆଲ ଆଲୋଚନା ଅନୁଷ୍ଠିତ ହେବ।

ସହଯୋଗୀ ଏବଂ ମିତ୍ର ରାଷ୍ଟ୍ରଗୁଡ଼ିକୁ ଜରୁରୀ ଅସ୍ତ୍ରଶସ୍ତ୍ର କିପରି ସଠିକ୍ ସମୟରେ ଯୋଗାଇ ଦିଆଯିବ ଏବଂ ସେମାନଙ୍କ ସେନା ବାହିନୀକୁ ଶକ୍ତିଶାଳୀ କରିବା ପାଇଁ ୟୁଏସ ଏଫଏମଏସ(ବିଦେଶକୁ ସାମରିକ ସରଞ୍ଜାମ ବିକ୍ରି) କାର୍ଯ୍ୟକ୍ରମରେ ଉନ୍ନତିକରଣ ସହିତ ଆବଶ୍ୟକ ପରିବର୍ତ୍ତନ କରାଯାଉଥିବା ଡଃ ଏସପର ଦର୍ଶାଇଛନ୍ତି। ଏ ପରିପ୍ରେକ୍ଷୀରେ ସେ ଜାପାନକୁ ଏଫ୍ 35 ହେଲିକପ୍ଟର, ଭାରତକୁ ସି ହକ୍ ଏବଂ ଆପାଚୀ ଲଢୁଆ ବିମାନ ଏବଂ ତାଇୱାନକୁ ଏଫ୍16 ଯୁଦ୍ଧ ବିମାନ ଯୋଗାଣର ଦୃଷ୍ଟାନ୍ତ ଦେଇଥିଲେ।

“ଏକବିଂଶ ଶତାବ୍ଦୀ ପାଇଁ ଆମେ ଯୁଦ୍ଧର ଏକ ନୂଆ ରାସ୍ତା ବାହାର କରିବାକୁ ଯାଉଛୁ, ଏଥିରେ ମିଳିତ ଭାବେ ଯୁଦ୍ଧ କରିବାର ଏକ ନୂଆ କୌଶଳ ସହିତ ଆମେ ଲଢେଇ କରିବା ଦିଗରେ ଅଗ୍ରସର ହେଉଛୁ ଏବଂ ଏଥିରେ ଆମର ସହଯୋଗୀ ରାଷ୍ଟ୍ରଙ୍କ ଲକ୍ଷ୍ୟ ପୂରଣ ହେବ ଏବଂ ଆମର ପ୍ରତିଦ୍ବନ୍ଦ୍ବୀଙ୍କ କାର୍ଯ୍ୟ କ୍ଷେତ୍ରରେ ଏହା ଓଲଟା ଫଳ ଦେବ। ଭବିଷ୍ୟତରେ କୌଣସି ସଂଘର୍ଷ ପାଇଁ ଆମର ସାମରିକ ପ୍ରସ୍ତୁତି ଏହିଭଳି ରହିବ। ଆମେ ଆଶା କରୁଛୁ ଆମକୁ ଲଢିବା ପାଇଁ ଆବଶ୍ୟକତା ପଡିବ ନାହିଁ, କିନ୍ତୁ ବିଜୟ ପାଇଁ ଆମେ ପ୍ରସ୍ତୁତ ହୋଇ ରହିବୁ” ବୋଲି ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି।

ଘଟଣାବଶତଃ ଗୋଟିଏ ଦିନରେ ଯେତେବେଳେ ଆମେରିକା ପରରାଷ୍ଟ୍ର ବିଭାଗ ଚୀନ ସରକାରଙ୍କ ଦ୍ବାରା ପରିଚାଳିତ କିଛି ନିର୍ଦ୍ଦିଷ୍ଟ ସଂସ୍ଥା ଏବଂ କାର୍ଯ୍ୟନିର୍ବାହୀଙ୍କ ଉପରେ ‘ଦକ୍ଷିଣ ଚୀନ୍ ସାଗରରେ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟକଳାପ’ ପାଇଁ କଟକଣା ଲାଗୁ କରିଛି, ଡଃ ଏସପର ସେ ସମୟରେ ମଧ୍ୟ 5ଜି ଜ୍ଞାନକୌଶଳ ନେଇ ଚୀନ୍ କମ୍ପାନିଗୁଡ଼ିକ ସହ କୌଣସି ବ୍ୟବସାୟ ନକରିବାକୁ ସହଯୋଗୀ ରାଷ୍ଟ୍ର ଗୁଡ଼ିକ ଆଗରେ ଯୁକ୍ତି ବାଢିଛନ୍ତି। “ ଜାପାନ, ଅଷ୍ଚ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ପୂର୍ବରୁ ଆସିଥିବା 5ଜି କମ୍ପାନିଗୁଡିକ ଯେପରି ସୁବିଧା ଉଠାଇ ନପାରିବେ ସେହି ଉଦ୍ଦେଶ୍ୟରେ ସେମାନଙ୍କର ବୈଷୟିକ ଉପଲବ୍ଧି ନ୍ୟୁନ କରିବା ନେଇ ଚୀନର ପ୍ରୟାସକୁ ବିଫଳ କରିବା ଲାଗି ଆମେରିକା ଏବଂ ତାହାର ମିତ୍ର ଦେଶଗୁଡ଼ିକ ନିର୍ଣ୍ଣୟାତ୍ମକ ପଦକ୍ଷେପ ନେଉଛନ୍ତି। ସମସ୍ତ ସମଭାବାପନ୍ନ ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କର ଟେଲିଯୋଗାଯୋଗ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଚୀନ୍ କମ୍ପାନିଗୁଡ଼ିକର ବ୍ୟବହାର କରିବା ପୂର୍ବରୁ ଭବିଷ୍ୟତରେ ରହିଥିବା ବିପଦ ପ୍ରତି ଯତ୍ନବାନ ରହିବାକୁ ମୁଁ ନିବେଦନ କରୁଛି ” -ଏହା ଥିଲା ଡଃ ଏସପରଙ୍କ ମନ୍ତବ୍ୟ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ନିକଟରେ ସମସ୍ତ ତଥ୍ୟ ଲୁଚାଇ କୋରୋନା ଭୂତାଣୁଜନିତ ମହାମାରୀ ନିୟନ୍ତ୍ରଣ କରିବାରେ ବିଶ୍ବସ୍ତରରେ ହେଉଥିବା ଉଦ୍ୟମରେ ଚୀନ୍ ବାଧା ଦେଉଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି।

-ସ୍ମିତା ଶର୍ମା, ନୂଆଦିଲ୍ଲୀ

ABOUT THE AUTHOR

...view details