ୱାଶିଂଟନ: ଆମେରିକାରେ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍, ଫିଲାଣ୍ଟ୍ରୋପିକ ଅର୍ଗାନାଇଜେସନ, ସର୍ଭାଇଭର ଗ୍ରୁପ ଓ ଅନ୍ୟ କମ୍ପାନୀର ମିଳିତ ସହଯୋଗରେ ଆରମ୍ଭ କରିଛନ୍ତି ଏକ ଭିନ୍ନ କ୍ୟାମ୍ପେନ । ପୂର୍ବରୁ ପରୀକ୍ଷା ଦ୍ବାରା ଜଣା ପଡିଛି କି କୋଭିଡ-19 ଆକ୍ରାନ୍ତଙ୍କ ଦେହରେ ଥିବା ରକ୍ତ ପ୍ଲାଜମାରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଯାହାଦ୍ବାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରେ କୋରୋନା ଭୂତାଣୁ ନିଷ୍କ୍ରିୟ ହୋଇଯାଆନ୍ତି । ଫଳସ୍ବରୂପ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇପାରିଥାଏ । ତେଣୁ କୋରୋନାରୁ ମୁକ୍ତ ବା ସୁସ୍ଥ ହୋଇସାରିଥିବା ବ୍ୟକ୍ତିଙ୍କୁ ନିଜ ପ୍ଲାଜମା ଦାନ କରିବା ପାଇଁ ଏହି କ୍ୟାମ୍ପେନ ଆରମ୍ଭ କରାଯାଇଛି ।
ଆମେରିକାରେ ଆରମ୍ଭ ଏହି କ୍ୟାମ୍ପେନର ନାମ ରହିଛି ‘ଦି ଫାଇଟ ଇଜ ଇନ ୟୁଏସ’ । ଏହି କ୍ୟାମ୍ପେନକୁ ଦେଶର ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚାଇବା ସହ କୋରୋନାରୁ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିଙ୍କୁ ନିଜ ପ୍ଲାଜମା ଦାନ କରିବା ପାଇଁ ଅନୁରୋଧ କରାଯାଉଛି । ବର୍ତ୍ତମାନ ଏହି କ୍ୟାମ୍ପେନ ଦୁଇଟି ଡେଡଲାଇନ ନେଇ କାର୍ଯ୍ୟ କରୁଛି । ପ୍ରଥମଟି ହେଉଛି କୋରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତଙ୍କ ଦେହରୁ ଦୁଇ ମାସ ମଧ୍ୟରେ ପ୍ଲାଜମା ସଂଗ୍ରହ କରିବା । ଏହି ସମୟ ମଧ୍ୟରେ ପ୍ଲାଜମାରେ ଆଣ୍ଟିବଡି ସକ୍ରିୟ ରହିଥିବା ନେଇ ମଧ୍ୟ ସ୍ପଷ୍ଟ ହେବା ଦରକାର । ଦ୍ବିତୀୟ ଡେଡଲାଇନ ହେଉଛି ଏହି ଭୂତାଣୁ ପରିବେଶର ତାପମାତ୍ରା ଅନୁଯାୟୀ ସକ୍ରିୟ ହେଉଥିବାରୁ ଶୀତ ଋତୁ ଆରମ୍ଭ ପୂର୍ବରୁ ଏହାର ନିରାକରଣ ଖୋଜି ବାହାର କରିବା ।
ତେବେ କ୍ୟାମ୍ପେନରେ ସାମିଲ ସର୍ଭାଇଭର କର୍ପର ପ୍ରତିଷ୍ଠାତା ଡାଏନା ବେରେଣ୍ଟଙ୍କ କହିବା ଅନୁଯାୟୀ କୋଭିଡ-19 ମୁକାବିଲାରେ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିଙ୍କ ଦେହରେ ଆଣ୍ଟିବଡି ଯୁକ୍ତ ପ୍ଲାଜମା ଭରପୂର ରହିଥାଏ । ବର୍ତ୍ତମାନ ସମୟ ଆସିଛି ଏହି ହିରୋମାନେ ସ୍ବେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ଅନ୍ୟ ଆକ୍ରାନ୍ତଙ୍କୁ ଜୀବନ ଦାନ କରିବେ । ଯାହା ଅଧିକ ଲୋକଙ୍କୁ ବଞ୍ଚାଇପାରିବା ସହ ଦେଶର କୋରୋନା ସ୍ଥିତିକୁ ମଧ୍ୟ ସୁଧାରିବାରେ ସାହାଯ୍ୟ କରିବ ।