ହାଇଦ୍ରାବାଦ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍ ଶପଥ ନେଉଥିବା ସମୟରେ, ତାଙ୍କ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଅମଳରେ ନିଆଯାଇଥିବା କେତେକ ବିବାଦୀୟ ନିଷ୍ପତ୍ତି ରଦ୍ଦ କରିବା ଦିଗରେ କାର୍ଯ୍ୟନିର୍ବାହୀ ସିଦ୍ଧାନ୍ତ ନେବାର ଯୋଜନା ରଖିଛନ୍ତି । ଡିସେମ୍ବର 20 ତାରିଖରେ ଶପଥ ଗ୍ରହଣ କରିବା ପରେ, ସମ୍ଭବତଃ ରାଷ୍ଟ୍ରପତି ବାଇଡେନ୍ ତାଙ୍କ ପୂର୍ବସୂରୀଙ୍କ ଦ୍ବାରା ଲାଗୁ ହୋଇଥିବା କେତେକ ନିଷ୍ପତ୍ତି ପ୍ରତ୍ୟାହାର କରିନେବେ । ଏଭଳି ସମ୍ଭାବିତ ନିଷ୍ପତ୍ତିରେ ରହିଛି, କେତେକ ମୁସଲମାନ ବହୁଳ ଦେଶରୁ ଆମେରିକାକୁ ପ୍ରବାସନ ଉପରେ ଲାଗୁ କଟକଣା ପ୍ରତ୍ୟାହାର, ପ୍ୟାରିସ୍ ଜଳବାୟୁ ପରିବର୍ତ୍ତନ ବୁଝାମଣାରେ ଆମେରିକାର ପୁନଃ ଯୋଗଦାନ । ଏହା ବ୍ୟତୀତ କୋରୋନା ଭାଇରସ୍ ମୁକାବିଲା ଦିଗରେ ମଧ୍ୟ ଅଧିକ ଜୋରଦାର ପ୍ରୟାସ କରାଯିବ ।
2017ରେ କାର୍ଯ୍ୟଭାର ଗ୍ରହଣ କରିବାର ମାତ୍ର କେଇ ସପ୍ତାହ ପରେ, ଟ୍ରମ୍ପ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରି ସାତଟି ମୁସଲମାନ ବହୁଳ ରାଷ୍ଟ୍ରର ଯାତ୍ରୀଙ୍କ ଆମେରିକା ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରିଥିଲେ । ପରବର୍ତ୍ତୀ ସମୟରେ ଟ୍ରମ୍ପ ସରକାରଙ୍କ ଦ୍ବାରା ସେହି ନିର୍ଦ୍ଦେଶରେ ଅନେକ ପରିବର୍ତ୍ତନ କରାଯାଇଥିଲା ଏବଂ ପରେ, 2018 ମସିହାରେ, ସୁପ୍ରିମ କୋର୍ଟ ଏହି ନିର୍ଦ୍ଦେଶର ତୃତୀୟ ସଂସ୍କରଣକୁ କାଏମ ରଖିଥିଲେ । ପ୍ରଥମ ଥର ନିର୍ଦ୍ଦେଶରେ ସାମିଲ ହୋଇଥିବା ଦେଶ ମଧ୍ୟରେ ଥିଲେ ଇରାନ, ଲିବିୟା, ସୋମାଲିଆ, ସିରିଆ ଏବଂ ୟେମେନ । ପରେ ଏହି ନିଷେଧାଦେଶକୁ ଭେନେଜୁଏଲା ଏବଂ ଉତ୍ତର କୋରିଆ ପ୍ରତି ମଧ୍ୟ ଲାଗୁ କରାଯାଇଥିଲା । ସମୟକ୍ରମେ ନାଇଜେରିଆ, ସୁଦାନ ଏବଂ ମିଆଁମାର ଭଳି ଦେଶ ଏହି ନିଷେଧାଦେଶ ପରିସରଭୁକ୍ତ ଦେଶ ତାଲିକାରେ ସାମିଲ ହେଲେ । ଗତ ବର୍ଷ ଜୁଲାଇରେ, ଡେମୋକ୍ରାଟ୍ ବାଇଡେନ୍ ପ୍ରତିଶ୍ରୁତି ଦେଇଥିଲେ ଯେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହେଲେ, କାର୍ଯ୍ୟାଳୟରେ ପ୍ରଥମ ଦିନରେ ହିଁ ସେ ଡୋନାଲ୍ଡ ଟ୍ରମ୍ପଙ୍କ ତଥାକଥିତ ମୁସଲମାନଙ୍କ ଯାତ୍ରା ଉପରେ ନିଷେଧାଦେଶକୁ ରଦ୍ଦ କରିବେ । ସେ ଏହା ମଧ୍ୟ କହିଥିଲେ ଯେ ବିଦ୍ବେଷପୂର୍ଣ୍ଣ ଅପରାଧ ବିରୋଧରେ ‘ଜାବାରା-ହେୟର ନୋ ହେଟ୍ ଆକ୍ଟ’ ଏବଂ ’ଏଣ୍ଡ ରାସିଆଲ ଆଣ୍ଡ ରିଲିଜିଅସ୍ ପ୍ରୋଫାଇଲିଂ ଆକ୍ଟ’ ଭଳି ଆଇନ ଗୃହୀତ କରାଇବା ଲାଗି ସେ କଂଗ୍ରେସ ସହ ମିଶି କାର୍ଯ୍ୟ କରିବେ ।
କେଉଁମାନେ ପ୍ରଭାବିତ ହୋଇଛନ୍ତି ?
* ଆମେରିକାରେ ଅସ୍ଥାୟୀ ଭାବେ ବସବାସ କରିବାକୁ ଚାହୁଁଥିବା ଲକ୍ଷ ଲକ୍ଷ ଲୋକ, ନିର୍ଦ୍ଦିଷ୍ଟ ଭାବେ ଶରଣାର୍ଥୀମାନେ ।
* ଏହି ନିଷେଧାଦେଶ ଯୋଗୁଁ ଏହା ଅନ୍ତର୍ଗତ ବିଭିନ୍ନ ମୁସଲମାନ ବହୁଳ ରାଷ୍ଟ୍ରର ନାଗରିକଙ୍କୁ ଜାରି କରାଯାଉଥିବା ଭିସା ସଂଖ୍ୟା ପ୍ରଭାବିତ ହୋଇଥିଲା । ଏହା ଅନ୍ୟ ନିଷେଧାଦେଶ ବହିର୍ଭୂତ ଦେଶର ନାଗରିକଙ୍କୁ ମଧ୍ୟ ପ୍ରଭାବିତ କରିଥିଲା ।
* ଆମେରିକାରେ ରହୁଥିବା ମୁସଲମାନ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସଂପ୍ରଦାୟର ଲୋକେ ହଇରାଣ ହୋଇଥିଲେ, କାରଣ ଏହି ନିଷେଧାଦେଶ ଯୋଗୁଁ ସେମାନେ ନିଜ ନିଜ ଦେଶରେ ରହୁଥିବା ସେମାନଙ୍କ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ସେଠାରେ ସେମାନଙ୍କ ପରିବାର ଲୋକଙ୍କୁ ଭିସା ପ୍ରଦାନ କରାଯାଇ ନଥିଲା ।
* ମୁସଲମାନଙ୍କ ଯାତ୍ରା ଉପରେ ଏହି ନିଷେଧାଦେଶ ଯୋଗୁଁ ସେହି ଚାରିଟି ଦେଶର ଲୋକେ ପ୍ରଭାବିତ ହୋଇଥିଲେ ଯେଉଁ ଦେଶଗୁଡ଼ିକର ଅସ୍ଥାୟୀ ସୁରକ୍ଷା ମାନ୍ୟତା ବା ‘ଟେମ୍ପରାରୀ ପ୍ରୋଟେକ୍ଟେଡ୍ ଷ୍ଟାଟସ୍’ (TPS) ଆଗରୁ ରହିଥିଲା କିମ୍ବା ପରେ ଦିଆଯାଇଥିଲା । ସେହି ଦେଶଗୁଡ଼ିକ ହେଲେ ସୋମାଲିଆ, ସିରିଆ, ୟେମେନ ଏବଂ ସୁଦାନ । ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଅନ୍ୟାନ୍ୟ ମାନବୀୟ ସଂକଟରେ ପ୍ରପୀଡ଼ିତ ଦେଶର ଲୋକଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନ ଲାଗି ବାଧ୍ୟ କରିବା ବିରୋଧରେ TPS ସୁରକ୍ଷା ପ୍ରଦାନ କରେ ।