ୱାଶିଂଟନ: ବଢୁଛି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ । ନିର୍ବାଚନ ରାତିରେ ପାର୍ଟି ଆୟୋଜନ କରି ଅଡୁଆରେ ଫସି ଯାଇଛନ୍ତି ଟ୍ରମ୍ପ । ହ୍ବାଇଟହାଉସରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ପାର୍ଟିର ହେବ ଯାଞ୍ଚ । ନିକଟରେ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା କୋରୋନାରେ ପଜିଟିଭ ହୋଇଥିଲେ ।
ଆମେରିକାରେ ଅଣାୟତ କୋରୋନା । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖାଲି ଆକ୍ରାନ୍ତ ନୁହେଁ ମୃତ୍ୟୁ ସଂଖ୍ୟା ମଧ୍ୟ ତାଳଦେଇ ବଢୁଛି । ଆଉ ଏହାରି ଭିତରେ ନିର୍ବାଚନ ରାତିରେ ପାର୍ଟି ଆୟୋଜନ କରିଥିଲେ ଟ୍ରମ୍ପ । ଯେଉଁଥିରେ ସାମିଲ ହୋଇଥିଲେ ଏକାଧିକ ବରିଷ୍ଠ ନେତା । କୋରୋନା ନିୟମକୁ ଫୁ କରିଦେଇଥିଲେ ଉପସ୍ଥିତ ଲୋକେ । ନା ଥିଲା ସାମାଜିକ ଦୂରତା ନା ମୁହଁରେ ମାସ୍କ । ଏହାକୁ ନେଇ ଯାଞ୍ଚ କରାଯାଉଛି। ରାଷ୍ଟ୍ରପତିଙ୍କ ବରିଷ୍ଠ ଅଧିକାରୀଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇଛି ।
ଏପଟେ ହ୍ବାଇଟ ହାଉସରେ କୋରୋନା ପଜିଟିଭ ସମ୍ପର୍କିତ ଖବର ଉପରେ ବାରମ୍ବାର ଖଣ୍ଡନ କରିଛନ୍ତି ହ୍ବାଇଟ ହାଉସ କର୍ତ୍ତୃପକ୍ଷ । ଏପରିକି ନିଜେ ଟ୍ରମ୍ପ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କେବଳ ଟ୍ରମ୍ପ ନୁହେଁ ହ୍ବାଇଟ ହାଉସରେ ବହୁ ବରିଷ୍ଠ ଅଧିକାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଏ ସମ୍ପର୍କରେ କୌଣସି ଆଲୋଚନା କରୁନାହାନ୍ତି କର୍ତ୍ତୃପକ୍ଷ । ଏହି ପାର୍ଟିରେ ସାମିଲ ହୋଇଥିବା ଅଧିକାରୀଙ୍କ ତଥ୍ୟ ଗୁପ୍ତ ରଖିଛନ୍ତି କର୍ତ୍ତୃପକ୍ଷ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ ।
ଅନ୍ୟପଟେ ଲିଡର ମିଚ୍ ମ୍ୟାକ କନୋଲ କୁହନ୍ତି, ମୁଁ ଅଗଷ୍ଟ ମାସରୁ ହିଁ ହ୍ବାଇଟ ହାଉସ ଯିବା ବନ୍ଦ କରି ଦେଇଛି । ଆମେ ସିନେଟରେ କାମ କରୁ । ଏଠାରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରାଯାଏ । ତେବେ ଗତ ମଙ୍ଗଳବାର ଇଷ୍ଟ ରୁମରେ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ 100ରୁ ଅଧିକ ଟ୍ରମ୍ପଙ୍କ ସମର୍ଥକ ସାମିଲ ହୋଇଥିଲେ । ଏଥିରେ କେହି କୋଭିଡ ନିୟମର ପାଳନ କରିନଥିଲେ । ଏଥିରେ ମିଡୋ ମଧ୍ୟ ସାମିଲ ହୋଇଥିଲେ । ବହୁ ନିର୍ବାଚନ ରାଲି ପ୍ରଚାର କରିବା ପରେ ସେ ବୁଧବାର କୋରୋନା ପଜିଟିଭ ଥିବା ରିପୋର୍ଟ ଆସିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ