ୱାଶିଂଟନ: ଶନିବାର ଆତଙ୍କବାଦୀ ସଙ୍ଗଠନ ଇସଲାମିକ ଷ୍ଟେଟ୍(ଆଇଏସ)କୁ ସିରିୟାରୁ ମୂଳପୋଛ କରିଛି ଆମେରିକା ନେତୃତ୍ବାଧୀନ ମିଳିତ ବାହିନୀ । ଅନେକ ବର୍ଷ ଧରି ଏଠାରେ ଆଇଏସ ସାମ୍ରାଜ୍ୟ ବିସ୍ତାର କରିଥିଲା । ହେଲେ ଗତ ସାଢେ 4 ବର୍ଷ ଧରି ଆମେରିକା ପକ୍ଷରୁ ଚାଲିଥିଲା ସାମରିକ ଅପରେସନ । ଯାହା ଶନିବାର ଶେଷ ହେବା ସହ ଆଇଏସ ସାମ୍ରାଜ୍ୟର ମୂଳପୋଛ ହୋଇଛି ।
ତେବେ ଏହି ବିଜୟକୁ ବିରାଟ ବିଜୟ କହିବା ସହ ଆତଙ୍କବାଦୀ ବିରୋଧରେ ଏହି ଲଢେଇ ଜାରି ରହିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ କହିଛନ୍ତି । ଏହି ଅପରେସନ ପରେ ହ୍ବାଇଟ୍ ହାଉସରୁ ଜାରି ଏକ ବିବୃତିରେ ଟ୍ରମ୍ପ ଏପରି ମନ୍ତବ୍ୟ ଦେଇଛନ୍ତି । ଏହା ଆତଙ୍କବାଦ ବିରୋଧରେ ଏକ ବଡ ବିଜୟ । ଆଇଏସ ବିରୋଧରେ ବିଶ୍ବବ୍ୟାପୀ ଚାଲିଥିବା ଲଢେଇ ଆଗକୁ ଜାରି ରହିବ । ଏହି ସଙ୍ଗଠନକୁ ସମୂଳେ ବିନାଶ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।