ୱାଶିଂଟନ: ଆମେରିକାରେ ଜାତିଆଣ ବିରୋଧି ଆନ୍ଦୋଳନ ଜୋର ଧରିଥିବା ବେଳେ ଏପରି ସ୍ଥିତିରେ ଜାତୀୟ ମହାନାୟକଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ଏହି କ୍ରମରେ ଦେଶର ସ୍ବାଧୀନତା ଦିବସ ଅବସରରେ ଶନିବାର ଟ୍ରମ୍ପ ଆହ୍ବାନ ଦେଇ ଆନ୍ଦୋଳନକାରୀଙ୍କ ଏହି ପ୍ରୟାସକୁ ନିର୍ଦ୍ଦୟ ଆନ୍ଦୋଳନର ଆଖ୍ୟା ମଧ୍ୟ ଦେଇଥିଲେ । ତେବେ ରବିବାର ସେ ଆଉ ଏକ ଘୋଷଣା କରି ଦେଶରେ ଆମେରିକୀୟ ମହାନାୟକଙ୍କ ପାଇଁ ଏକ ବଗିଚାର ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ବଗିଚା ବା ଗାର୍ଡେନରେ ସମସ୍ତ ଆମେରିକୀୟ ଜନନାୟକଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନିତ କରାଯିବ । ଏହାର ଉଦ୍ଦେଶ୍ୟ ହେଉଛି ଆଗାମୀ ପୀଢି ପାଖରେ ଦେଶର ସ୍ବର୍ଣ୍ଣିମ ଇତିହାସକୁ ଜୀବିତ ରଖିବା । ତେବେ ଏହି ଗାର୍ଡେନର ନିର୍ମାଣ ପାଇଁ ଏକ ସ୍ବତନ୍ତ୍ର ଓ ନୂଆ ଟାସ୍କ ଫୋର୍ସର ଗଠନ କରାଯିବା ସହ ଆଗାମୀ 60 ଦିନ ମଧ୍ୟରେ ଏଥିପାଇଁ ଜାଗା ଚିହ୍ନଟ ଓ ଯୋଜନାର ସାରଣୀ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 2026 ଜୁଲାଇ 4 ସୁଦ୍ଧା ଏହି ଗାର୍ଡେନର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି ।