ୱାଶିଂଟନ: ସମସ୍ତ ଆମେରିକାର ନାଗରିକ ସ୍ବଦେଶକୁ ସୁରକ୍ଷିତ ଭାବେ ନ ଫେରିବା ପର୍ଯ୍ୟନ୍ତ ସେନା ଆଫଗାନିସ୍ତାନରେ ରହିବ ବୋଲି ବୁଧବାର କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ । ଅଗଷ୍ଟ ୩୧ ତାରିଖ ପରେ ମଧ୍ୟ ସମସ୍ତ ଆମେରିକୀୟ ନ ଫେରିବା ପର୍ଯ୍ୟନ୍ତ ଆଫଗାନିସ୍ତାନରୁ ସେନା ହଟାଇବ ନାହିଁ ଆମେରିକା ।
ଆଫଗାନିସ୍ତାନରୁ ଆମେରିକା ସେନାକୁ ଫେରାଇନେବା ପାଇଁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଥିଲେ ବାଇଡ଼େନ ସରକାର । ତେବେ ଏବେ ମଧ୍ୟ ଆଫଗାନିସ୍ତାନରେ ଅନେକ ଆମେରିକା ନାଗରିକ ଫସି ରହିଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପହଞ୍ଚାଇବା ପାଇଁ ସେଠାରେ ଆମେରିକାର ସେନାଙ୍କୁ ମୁତୟନ କରାଯାଇଛି । ସମୟସୀମା ଶେଷ ହେବା ପୂର୍ବରୁ ଆଫଗାନିସ୍ତାନରୁ ଆମେରିକା ନାଗରିକ ଓ ସହଯୋଗୀଙ୍କୁ ଆଣିବା ପାଇଁ ଦେଶ ଚେଷ୍ଟା କରିବ । କିନ୍ତୁ ଯଦି ଅଗଷ୍ଟ ୩୧ ତାରିଖ ମଧ୍ୟରେ ଏହା ସମ୍ଭବ ନ ହୁଏ, ଏହାପରେ ମଧ୍ୟ ସେନା ସେଠାରେ ରହିବ ବୋଲି କହିଛନ୍ତି ବାଇଡ଼େନ ।
ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ସମୟରେ ସେଠାରେ ୧୫ ହଜାର ଆମେରିକୀୟ ଫସି ରହିଥିଲେ । ଆଫଗାନିସ୍ତାନରୁ ବାହାରକୁ ଯାଉଥିବା ଅନେକ ଲୋକଙ୍କ ଯାତାୟାତ ଉପରେ ତାଲିବାନ ଆତଙ୍କବାଦୀ ରୋକ ଲଗାଉଥିବା ମଧ୍ୟ ଖବର ମିଳିଛି । ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ତାଲିବାନ ସହିତ କଥାବାର୍ତ୍ତା କରାଯାଉଛି । ବିମାନବନ୍ଦରରେ ପ୍ରାୟ ୪୫୦୦ ଆମେରିକା ସେନା ରହିଛନ୍ତି । ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ପଠାଇବା ସମୟରେ ଆମେରିକାର ସେନାମାନେ ସୁରକ୍ଷା ଯୋଗାଉଥିବା ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।