ସୁପିରିୟର(ଆମେରିକା):ଆମେରିକାର ସୁପିରିୟର ସହର ନିକଟବର୍ତ୍ତୀ କୋଲୋରାଡୋର ଏକ ଜଙ୍ଗଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ନିଆଁରେ ସଂସ୍ପର୍ଶରେ ଆସିବା ଫଳରେ ଏଠାରେ ପ୍ରାୟ ୧ ହଜାର ଘର ଜଳିପୋଡି଼ ପାଉଁଶ ହୋଇଯାଇଥିବାବେଳେ ୩ ଜଣ ବ୍ୟକ୍ତି ନିଖୋଜ ଥିବା ଜଣାପଡ଼ିଛି । ବୁଧବାର ଘଟିଥିବା ଏହି ଅଗ୍ନିକାଣ୍ଡର କାରଣ ଖୋଜୁଛି ସ୍ଥାନୀୟ ପ୍ରଶାସନ ।
ଏହି ଅଗ୍ନିକାଣ୍ଡ ଫଳରେ ଡେନୱେର ଓ ବୋଲ୍ଡର ସହରରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ସୁପିରିୟର ସହରର ପଶ୍ଚିମ ପାର୍ଶ୍ବରେ ପ୍ରାୟ ୩.୨ କିଲୋମିଟର ପର୍ଯ୍ୟନ୍ତ ଘାସ ପଡ଼ିଆ ରହିଛି । ତେବେ ଏଠାରୁ ନିଆଁ ବ୍ୟାପି ଜଙ୍ଗଲରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସ୍ଥାନୀୟ ପ୍ରଶାସନ ସନ୍ଦେହ କରିଛି । ନିଆଁ ଅଧିକ ବ୍ୟାପିବାକୁ ରୋକିବା ପାଇଁ ଏବେ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ରଖାଯାଇଥିବା ସୂଚନା ମିଳିଛି ।